ସାହିତ୍ୟ ଏକାଡେମୀର ‘ଫେଷ୍ଟିଭାଲ ଅଫ୍ ଲେଟରସ୍’ ସାହିତ୍ୟୋତ୍ସବରେ ଯୋଗ ଦେଇ କବିତା ପଢିଲେ କୃଷ୍ଣ କୁମାର ମହାନ୍ତି

ସମଗ୍ର ଦେଶରୁ ଆସିଥିଲେ ୧୧୦୦ରୁ ଊର୍ଦ୍ଧ୍ବ ଲେଖକ

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): କେନ୍ଦ୍ର ସାହିତ୍ୟ ଏକାଡେମୀର ନୂଆଦିଲ୍ଲୀ କାର୍ଯ୍ୟାଳୟସ୍ଥ ରବୀନ୍ଦ୍ର ଭବନ ପରିସରରେ ଦେଶର ସର୍ବବୃହତ୍ ସାହିତ୍ଯ ଉତ୍ସବ ‘ଫେଷ୍ଟିଭାଲ ଅଫ୍ ଲେଟରସ୍’ ପକ୍ଷରୁ ଆମନ୍ତ୍ରିତ ହୋଇ କବିତା ପଢିଲେ ବାଲେଶ୍ଵରର କବି ଓ ବରିଷ୍ଠ ଲେଖକ ସମ୍ପାଦକ କୃଷ୍ଣ କୁମାର ମହାନ୍ତି। ଚଳିତ ମାସ ୧୫ ତାରିଖ ଦିନ ନାର୍ସି ମେହେଟା ସଭାଗୃହରେ ଅନୁଷ୍ଠିତ ବହୁଭାଷୀ କବି ସମ୍ମେଳନରେ ଶ୍ରୀ ମହାନ୍ତି ଉପସ୍ଥିତ ରହି ନିଜର ଇଂରାଜି ଓ ହିନ୍ଦୀରେ ଅନୂଦିତ କବିତା ପାଠ କରିଥିଲେ। ଏହି ଅଧିବେସନରେ କେରଳର ପ୍ରସିଦ୍ଧ କବି କେ. ଜି. ଶଙ୍କର ପିଲ୍ଲାଇ ଅଧ୍ୟକ୍ଷତା କରିଥିବା ବେଳେ ଶ୍ରୀ ମହାନ୍ତିଙ୍କ ସମେତ ବଙ୍ଗଳା ଭାଷାର ସ୍ଵରୂପ ଚାନ୍ଦ୍, ହିନ୍ଦୀରୁ ରାଜେନ୍ଦ୍ର ଉପାଧ୍ୟାୟ ଓ ରଞ୍ଜିତା ଶ୍ରୀବାସ୍ତବ, କାଶ୍ମିରୀ ଭାଷାରୁ ମହମ୍ମଦ ସର୍ଫରାଜ୍ ପାରେ, ମରାଠୀ ରୁ ସୁରେଶ ମୋହିତେ ଏବଂ ପଞ୍ଜାବୀ ଭାଷାରୁ କବି ସ୍ଵାମୀ ଅନ୍ତର୍ ନୀରବ୍ ପ୍ରମୁଖ ସ୍ଵରଚିତ କବିତା ପାଠ କରିଥିଲେ। ଛଅ ଦିବସୀୟ ଏହି ସାହିତ୍ଯ ଉତ୍ସବରେ ସମଗ୍ର ଦେଶରୁ ବିଭିନ୍ନ ଭାଷାର ୧୧୦୦ରୁ ଅଧିକ ଲେଖକଲେଖିକା ଯୋଗ ଦେଇଥିବା ବେଳେ ଏକାଧିକ ସଭାଘରେ ଏକକାଳୀନ ବିଭିନ୍ନ ଅଧିବେଶନ ଚାଲିଥିବାରୁ ପରିବେଶ ଥିଲା ଉତ୍ସବ ମୁଖର। ବାଲେଶ୍ଵର ଜିଲ୍ଲାରୁ ଏକମାତ୍ର ଓଡ଼ିଆ କବି ଭାବେ ଶ୍ରୀ ମହାନ୍ତି ପ୍ରତିନିଧିତ୍ଵ କରିଥିବାରୁ ତାଙ୍କୁ ଲେଖକ ମହଲରୁ ଆଶାତୀତ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରାଯାଇଥିବା ଜଣାପଡ଼ିଛି। ତାଙ୍କର ଏହି ଯୋଗଦାନ ପାଇଁ ଖୁସି ଓ ଆନନ୍ଦ ବ୍ୟକ୍ତ କରିଥିବା ସମସ୍ତଙ୍କୁ ଶ୍ରୀମହାନ୍ତି ନିଜର କୃତଜ୍ଞତା ଜଣାଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.