କେବେ ସୁଧୁରିବ ତେଲିଗୁଡା ରାସ୍ତା

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବଡ଼ପୋଡ଼ାଗୁଡା ପଞ୍ଚାୟତର ତେଲିଗୁଡା ଗାଁ ମୁଖ୍ୟ ରାସ୍ତା ଅନେକ ଦିନରୁ ଶୋଚନୀୟ ହୋଇପଡିଛି। ସାମାନ୍ୟ ବର୍ଷା ହେଲେ ଉକ୍ତ ରାସ୍ତାଦେଇ ଯାଉଥିବା ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଲିଗୁଡା ଗାଁଠାରୁ ବିଜୁ ଏକ୍ସପ୍ରେସ ୱେ ପର୍ଯ୍ୟନ୍ତ ପ୍ରାୟ ୨.କିମି ରାସ୍ତା ପଞ୍ଚାୟତ ଅଧିନରେ ରହିଛି। ପ୍ରତିବର୍ଷ ବ୍ଳକ ଓ ପଞ୍ଚାୟତ ପକ୍ଷରୁ ଏହି ରାସ୍ତାକୁ ମରାମତି କରାଯାଉଛି ହେଲେ ରାସ୍ତା ଅବସ୍ଥାରେ ସୁଧାର ଆସିପାରୁ ନାହିଁ। ଯାହା ଫଳରେ ଲୋକେ ସବୁଦିନିଆ ଭଲ ରାସ୍ତା ଖଣ୍ଡେ ପାଇ ନ ପାରି ବର୍ଷ ବର୍ଷ ଧରି ଯାତାୟାତରେ ଅସୁବିଧା ଭୋଗୁଛନ୍ତି। ଖରା ଦିନେ ଯେମିତି ସେମିତି ଭାବରେ ଯା’ଆସ କରନ୍ତି, ହେଲେ ବର୍ଷା ଆସିଲେ ଲୋକଙ୍କ ଦୁର୍ଦ୍ଦଶା ବହୁ ଗୁଣରେ ବଢ଼ି ଯାଇଥାଏ। କାରଣ ସାମାନ୍ୟ ବର୍ଷା ହେଲେ ମଧ୍ୟ ରାସ୍ତାରେ କାଦୁଅ ପଚ୍ ପଚ୍ ହୋଇ ଯାତାୟାତ ସମ୍ଭବ ହୋଇ ନଥାଏ। ଅନେକ ଲୋକ ଯିବା ଆସିବା ବେଳେ ଖସିପଡି ଖଣ୍ଡିଆ ଖାବରା ମଧ୍ୟ ହୋଇଥାନ୍ତି। ଗତ କିଛିଦିନ ଆଗରୁ ଏହି ରାସ୍ତାରେ ମେଟାଲ ଓ ମୋରମ ପକାଇ କାମ କରାଯାଇଛି। ହେଲେ ଠିକାଦାର ପୋଷା ନିତିରେ ହୋଇଥିବାରୁ ତାହା ବର୍ଷା ହେଲେ ଲୋକଙ୍କ ସମସ୍ୟା ଦ୍ଵିଗୁଣିତ କରି ଦେଉଛି। ପ୍ରତିବର୍ଷ କୈାଣସି ନାଁ କୈାଣସି ଯୋଜନାରେ ଉକ୍ତ ରାସ୍ତାକୁ ମରାମତି କରାଯାଉଛି ହେଲେ ରାସ୍ତା ଅବସ୍ଥାରେ ତ’ ସୁଧାର ଆସିପାରୁ ନାହିଁ, କିନ୍ତୁ ଠିକାଦାର ମାନଙ୍କ ଅବସ୍ଥାରେ ସୁଧାର ଆସି ଯାଇଥିବା ସ୍ଥାନୀୟ ଲୋକେ ଆଲୋଚନା କରୁଛନ୍ତି। ଉକ୍ତ ରାସ୍ତାର ସ୍ଥାୟୀ ସମାଧାନ ପାଇଁ ଗ୍ରାମବାସୀ ବିଭିନ୍ନ ସମୟରେ ନେତା ଓ ପ୍ରଶାସନକୁ ଜଣାଇ ଆସୁଥିଲେ ସୁଦ୍ଧା କାହାରି ଦୃଷ୍ଟି ପଡୁନାହିଁ। ଯାହା ଫଳରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଉକ୍ତ ରାସ୍ତାକୁ ମୁଖ୍ୟମନ୍ତ୍ରୀ କିମ୍ବା ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାର ସାମିଲ କରିବା ପାଇଁ ଗୋବର୍ଦ୍ଧନ ପୂଝାରୀ, ଋତୁରାଜ ରାଉତ, ଦେବେଶ୍ବର ଦଣ୍ଡସେନା, ଯୁଗେଶ୍ୱର ପୂଝାରୀ, ସେତୁବନ୍ଦ ଧ.ମାଝୀ ସମେତ ପ୍ରମୁଖ ଗ୍ରାମବାସୀ ଦାବି କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.