ବାଲେଶ୍ୱରରେ ସରକାରୀ ସହଯୋଗରେ ପୂର୍ଣ୍ଣାଙ୍ଗ ପୁସ୍ତକ ମେଳା କରିବାକୁ ଦାବି ହେଲା ଜୋରଦାର

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱର ଜିଲ୍ଲାରେ ସରକାରୀ ସହଯୋଗରେ ପୂର୍ଣ୍ଣାଙ୍ଗ ବାର୍ଷିକ ପୁସ୍ତକ ମେଳା ଆୟୋଜନର ଦାବି ଜୋରଦାର ହୋଇଛି। ବିଧାନସଭାରେ ଏ ସମ୍ପର୍କରେ ବସ୍ତା ବିଧାୟିକା ସୁବାସିନୀ ଜେନା ଏ ସମ୍ପର୍କରେ ପ୍ରଶ୍ନ ଉଠାଇବା ପରେ ପୁସ୍ତକମେଳା ଦାବି ଭିନ୍ନ ମୋଡ଼ ନେଇଛି।

ଓଡ଼ିଆ ଭାଷା ଆନ୍ଦୋଳନରେ ବାଲେଶ୍ଵରର ଐତିହାସିକ ଭୂମିକା ଓ ସମୃଦ୍ଧ ସାହିତ୍ୟିକ ପରମ୍ପରାକୁ ଉଲ୍ଲେଖ କରି ବିଧାୟିକା ପ୍ରଶ୍ନ କରିଥିଲେ ଯେ, ସରକାରୀ ସହଯୋଗରେ ବାର୍ଷିକ ପୁସ୍ତକ ମେଳା ଆୟୋଜନ ପାଇଁ କୌଣସି ସ୍ପଷ୍ଟ ପ୍ରସ୍ତାବ ସରକାରଙ୍କ ତରଫରୁ ପ୍ରସ୍ତୁତ ହୋଇଛି କି ନାହିଁ। ଏହାର ଉତ୍ତରରେ ବିଭାଗୀୟ ମନ୍ତ୍ରୀ କହିଥିଲେ ଯେ, ଜିଲ୍ଲା ପ୍ରଶାସନ ମାଧ୍ୟମରେ ପ୍ରସ୍ତାବ ଆସିଲେ ସଂସ୍କୃତି ବିଭାଗ ପକ୍ଷରୁ ପୁସ୍ତକ ମେଳା ଆୟୋଜନ ପାଇଁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି।

କିନ୍ତୁ ଏହି ଉତ୍ତରରେ ଜିଲ୍ଲାର କିଛି ପ୍ରମୁଖ ସାହିତ୍ୟିକ ଓ ବୁଦ୍ଧିଜୀବୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେମାନଙ୍କ କହିବା କଥା ହେଉଛି, ପ୍ରଶାସନିକ ପ୍ରତିପାଳନରେ ବାଲେଶ୍ୱରରେ ଏପର୍ଯ୍ୟନ୍ତ କୌଣସି ସ୍ୱତନ୍ତ୍ର ଓ ପୂର୍ଣ୍ଣାଙ୍ଗ ପୁସ୍ତକ ମେଳା ଆୟୋଜିତ ହୋଇନାହିଁ। ସମ୍ପ୍ରତି ପୋଲିସ୍ ଲାଇନ୍ ପଡିଆରେ ଆୟୋଜିତ ଜିଲ୍ଲାସ୍ତରୀୟ ‘କୋଶମ୍ବ’ ମେଳାରେ ବସ୍ତ୍ର, ଖାଦ୍ୟପଦାର୍ଥ, ହସ୍ତଶିଳ୍ପ ଓ ଅନ୍ୟାନ୍ୟ ବାଣିଜ୍ୟିକ ସାମଗ୍ରୀ ପ୍ରମୁଖତା ପାଇଥିବା ବେଳେ, ପୁସ୍ତକ ପାଇଁ କେବଳ ଗୋଟିଏ ମାତ୍ର ଷ୍ଟଲ୍ ରଖା ଯାଇଥିଲା। ଯାହାକୁ କୌଣସି ଭାବେ ପୂର୍ଣ୍ଣାଙ୍ଗ ପୁସ୍ତକ ମେଳା ବୋଲି କୁହାଯାଇପାରିବ ନାହିଁ।

ବାଲେଶ୍ୱରକୁ ଆଧୁନିକ ଓଡ଼ିଆ ସାହିତ୍ୟର ପ୍ରଗତିରେ ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ବୋଲି ଗଣ୍ୟ କରାଯାଏ। ଏହି ଭୂମି ରାଧାନାଥ ରାୟ ଓ ଫକୀର ମୋହନ ସେନାପତିଙ୍କ ସହ ଜଡିତ, ଯେଉଁମାନେ ଓଡ଼ିଆ କବିତା ଓ କଥାସାହିତ୍ୟର କର୍ଣ୍ଣଧାର ହୋଇଥିବା ବେଳେ ଔପନିବେଶିକ ଶାସନକାଳୀନ ଓଡ଼ିଆ ଭାଷା ସୁରକ୍ଷା ଆନ୍ଦୋଳନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ। ୧୯୩୬ ମସିହାରେ ଓଡ଼ିଶା ଏକ ସ୍ୱତନ୍ତ୍ର ଭାଷାଭିତ୍ତିକ ରାଜ୍ୟ ରୂପେ ଗଠିତ ହେବାରେ ଏହି ଜିଲ୍ଲାର ଅବଦାନ ଅନସ୍ବୀକାର୍ଯ୍ୟ।
ବାଲେଶ୍ବରର ବୁଦ୍ଧିଜୀବୀ ଓ ସାହିତ୍ୟିକଙ୍କ ମଧ୍ୟରେ ଗାଳ୍ପିକ ଉଦୟ ନାରାୟଣ ଦାସ, ସୁସାହିତ୍ୟିକ ଡକ୍ଟର ରାଧା ରଞ୍ଜନ ପଟ୍ଟନାୟକ, କବି ଓ ସମ୍ପାଦକ କୃଷ୍ଣ କୁମାର ମହାନ୍ତି, କବି ଓ ପ୍ରକାଶକ ଡକ୍ଟର କାଳିପଦ ପଣ୍ଡା, କବି ଓ ପ୍ରକାଶକ ଅଭୟ ଦାସଙ୍କ ସମେତ ଅନ୍ୟାନ୍ୟ ଅନେକ ସାହିତ୍ୟିକ ଏବେ ଏହି ପ୍ରଶ୍ନର ପ୍ରଶାସନିକ ଆଗ୍ରହ ଓ ତତ୍ତ୍ଵାବଧାନ ସମ୍ପର୍କରେ ସ୍ୱଚ୍ଛ ଓ ସ୍ପଷ୍ଟ ତଦନ୍ତର ଦାବି କରିଛନ୍ତି। ସେମାନେ ସଂସ୍କୃତି ବିଭାଗକୁ ଏହି ବିଷୟରେ ସମ୍ପୂର୍ଣ୍ଣ ତଦାରଖ କରି ଆବଶ୍ୟକ ପଦକ୍ଷେପ ନେଇ ବାଲେଶ୍ୱରର ସାହିତ୍ୟିକ ଐତିହ୍ୟକୁ ସମ୍ମାନ ଜଣାଇ ଏକ ସୁବ୍ୟବସ୍ଥିତ ପୂର୍ଣ୍ଣାଙ୍ଗ ପୁସ୍ତକ ମେଳା ଆୟୋଜନ କରିବାକୁ ଆହ୍ୱାନ କରିଛନ୍ତି।

ସାହିତ୍ୟିକମାନେ କହିଛନ୍ତି ଯେ, ଏହି ପ୍ରଶ୍ନ କେବଳ ଏକ ମେଳା ଆୟୋଜନର ନୁହେଁ; ଏହା ଜିଲ୍ଲାର ସାଂସ୍କୃତିକ ମର୍ଯ୍ୟାଦା ସହ ସଂପୃକ୍ତ। ଓଡ଼ିଆ ଭାଷା ଓ ସାହିତ୍ୟକୁ ସୁଦୃଢ଼ କରିବା ପାଇଁ ସାମୂହିକ ପ୍ରୟାସ ଆବଶ୍ୟକ ବୋଲି ସେମାନେ ମତ ପ୍ରକାଶ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.