ଓଡ଼ିଆ ବାର୍ତ୍ତା/ କେସିଙ୍ଗା: କଳାହାଣ୍ଡି ଜିଲ୍ଲାର ଏକ ଗୁରୁତ୍ବପୂର୍ଣ୍ଣ ପଞ୍ଚାୟତ ସମିତି କେସିଙ୍ଗାର ବୈଠକକୁ ନେଇ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ନିୟମ ଅନୁଯାୟୀ ପ୍ରତି ଦୁଇ ମାସରେ ଗୋଟିଏ ଲେଖାଏଁ ବୈଠକ ହେବା କଥା କିନ୍ତୁ ଏହି ନିୟମକୁ ଠିକ୍ ଭାବରେ ପାଳନ କରାଯାଉନଥିବା ପରିଲକ୍ଷିତ ହେଉଛି। ବିଗତ ୨୭ ମାସ ମଧ୍ୟରେ ୧୩ଗୋଟି ବୈଠକ ଅନୁଷ୍ଠିତ ହେବା ଯାଗାରେ ହୋଇଛି ମାତ୍ର ୬ ଗୋଟି ବୈଠକ। ଏହି ୬ ଗୋଟି ବୈଠକ ମଧ୍ୟରୁ ବ୍ଲକ ଅଧ୍ୟକ୍ଷ ଆସନରେ ବସିବାକୁ ଗୋଟିଏ ଏବଂ ଉପାଧ୍ୟକ୍ଷ ଆସନରେ ବସିବାକୁ ଗୋଟିଏ ଏପରି ୨ଟି ବୈଠକ ଅର୍ନ୍ତଭୁକ୍ତ। ପଞ୍ଚାୟତ ସମିତି ବୈଠକରେ ଅନେକ ଗୁରୁତ୍ତ୍ୱପୂର୍ଣ୍ଣ ବିଷୟ ଯଥା; ଉନ୍ନୟନମୂଳକ କାର୍ଯ୍ୟ, ପାନୀୟଜଳ ଓ ପରିମଳ, ସାଧାରଣ ବଣ୍ଟନ ବ୍ୟବସ୍ଥା, କୃଷି, ଶିକ୍ଷା, ମହିଳା ଓ ଶିଶୁ ବିକାଶ, ଲଘୁ ବନଜାତ ଦ୍ରବ୍ୟ, ପ୍ରାଣୀ ସଂପଦ, ଉଦ୍ୟାନ, ବିଦ୍ୟୁତ, ଅବକାରୀ ଆଦି ବିଭିନ୍ନ ବିଷୟରେ ଆଲୋଚନା କରାଯାଇ ଏସବୁର ସମାଧାନ ପାଇଁ ରୂପରେଖ ପ୍ରସ୍ତୁତ କରାଯାଇଥାଏ। ତେବେ ୨୦୨୨ ମାର୍ଚ୍ଚରେ ପ୍ରଥମେ ଚେୟାରମେନ ଆସନରେ ବସିବା ଏବଂ ସେହି ମାର୍ଚ୍ଚରେ ଭାଇସ ଚେୟାରମେନ ଆସନରେ ବସିବାକୁ ବୈଠକ ହୋଇଥିଲା, ଏହି ବୈଠକରେ ସାଧାରଣତଃ ଅନ୍ୟାନ୍ୟ ବିଷୟରେ ଆଲୋଚନା କରାଯାଇନଥାଏ। ଏହାପରେ ତୃତୀୟ ବୈଠକ ୨୦୨୨ ମଇ ୧୮ ତାରିଖ, ଚତୁର୍ଥ ବୈଠକ ୨୦୨୨ ମସିହା ଅକ୍ଟୋବର ୧୦, ପଞ୍ଚମ ବୈଠକ ୨୦୨୩ ମସିହା ଜୁନ୍ ୨୬ ଓ ଷଷ୍ଠ ବୈଠକ ୧୭/୧୧/୨୦୨୩ରେ ଅନୁଷ୍ଠିତ ହୋଇଥିଲା। ଏହାପରେ ଆଉ କୈାଣସି ବୈଠକ ଅନୁଷ୍ଠିତ ହୋଇନାହିଁ। ପଞ୍ଚାୟତ ସମିତି ବୈଠକ ପ୍ରତି ୨ ମାସରେ ଆୟୋଜିତ ନହୋଇ ଏପରି ବୈତିକ୍ରମ ହେବା ବ୍ଲକ ଅଧ୍ୟକ୍ଷ ଓ ବିଡ଼ିଓଙ୍କ ପ୍ରିୟାପ୍ରିତି ଦିଗକୁ ସୂଚିତ କରୁଛି ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି। ସଠିକ ସମୟରେ ବୈଠକ ହେଲେ କାଳେ ଦୁର୍ନୀତି ଓ ଅନିୟମିତତାର ଖୁଲାସା ହୋଇଯିବ ସେଥିପାଇଁ ପ୍ରତି ୨ମାସରେ ବୈଠକ ହେଉନାହିଁ ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ନିୟମିତ ଭାବେ ପଞ୍ଚାୟତ ସମିତି ବୈଠକର ଆୟୋଜନ କରିବାକୁ ସରପଞ୍ଚ ସଂଘ ଲିଖିତ ଅଭିଯୋଗ କରିଛି ଏପଟେ ସମିତି ସଭ୍ୟ ସଂଘ ମଧ୍ୟ ବୈଠକକୁ ନେଇ ବାରମ୍ବାର କହି ଆସିଛି। ଏସବୁ ସତ୍ତ୍ବେ ମଧ୍ୟ କେସିଙ୍ଗା ପଞ୍ଚାୟତ ସମିତି ବୈଠକ ନିୟମାନୁସାରେ ଅନୁଷ୍ଠିତ ନହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି। ୨୦୨୩-୨୪ ମସିହାରେ ପର୍ଯ୍ୟାପ୍ତ ପରିମାଣରେ ଆସିଥିବା ଅନୁଦାନରେ ବ୍ୟାପକ ଅନିୟମିତ ହୋଇଥିବା ମଧ୍ୟ ଅଭିଯୋଗ ହେଉଛି। ହୁଏତ ଏହି କାରଣ ଯୋଗୁଁ ନିୟମାନୁସାରେ ପଞ୍ଚାୟତ ସମିତି ବୈଠକ ହେଉନଥିବା ସାଧାରଣରେ ଚର୍ଚ୍ଚା ହେଉଛି।