ଶ୍ରୀମଦ୍ଭାଗବତ ମହାପୁରାଣ ୫୫ତମ ଦିବ୍ୟ ସତସଙ୍ଗ

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର: ସାହିତ୍ୟିକ କବି ବନ୍ଧୁ ପରିବାର ବାଲେଶ୍ଵର ତରଫରୁ ଶ୍ରୀମଦ୍ଭାଗବତ ମହାପୁରାଣ ତୃତୀୟ ସ୍କନ୍ଧ : ଏକବିଂଶ, ଦ୍ବାବିଂଶ ଅଧ୍ୟାୟର ବିସ୍ତୃତ ବ୍ୟାଖ୍ୟା ସହ ପାରାୟଣ ଓ ସତସଙ୍ଗ କାର୍ଯ୍ୟକ୍ରମ ବୁଧବାର, ଗୁରୁବାର ସନ୍ଧ୍ୟା ୭.୦୦ ଘଟିକା ସମୟରେ ଅନୁଷ୍ଠିତ ହୋଇ ଯାଇଛି। ବହୁ ପରିଚିତ ସାହିତ୍ୟ ଅନୁଷ୍ଠାନ “ସାହିତ୍ୟିକ କବି ବନ୍ଧୁ ପରିବାର”ର ସମ୍ପାଦିକା ପ୍ରଣତି ମହାପାତ୍ରଙ୍କ ସୁପରିଚାଳନାରେ, ଦେବେନ୍ଦ୍ର କୁମାର ନାଏକଙ୍କ ସଭାପତିତ୍ୱରେ ଶ୍ରୀମଦ୍ଭାଗବତ ମହାପୁରାଣ, ତୃତୀୟ ସ୍କନ୍ଧର ଏକବିଂଶ ଓ ଦ୍ବାବିଂଶ ଅଧ୍ୟାୟ ଦୁଇଦିନ ଧରି ବିସ୍ତୃତ ଭାବରେ ଆଲୋଚନା ହୋଇଯାଇଛି। ପ୍ରଥମ ଦିବସର ସାୟଂକାଳର ପ୍ରାରମ୍ଭରେ ତପନ କୁମାର ବିଶ୍ବାଳ, ଢେଙ୍କାନାଳ ଓମକାର ନାଦଧ୍ବନି ଦେଇ ସମସ୍ତଙ୍କୁ ସୁସ୍ଵାଗତ ଜଣାଇବା ବେଳେ ସମ୍ପାଦିକା ପ୍ରଣତି ମହାପାତ୍ର ସମସ୍ତ ସତସଙ୍ଗୀମାନଙ୍କୁ ଶୁଭେଚ୍ଛା ଓ ସ୍ବାଗତ କରିବା ସହ କଥାବ୍ୟାସଙ୍କ ପରିଚୟ ରଖିଥିଲେ। ଶ୍ରୀମତୀ ସ୍ନେହ ମିଶ୍ର, ମୁମ୍ବାଇ ମହୋଦୟା ପୌରୋହିତ୍ୟ ଆସନରେ ଆସୀନ ହୋଇ ଆକାଶୀୟ ମଞ୍ଚକୁ ସର୍ବପ୍ରଥମେ କଥାବ୍ୟାସ ବିଶିଷ୍ଟ ଗବେଷକ, ପ୍ରବକ୍ତା ପଣ୍ଡିତ ଡ଼ ନିରଞ୍ଜନ ସାହୁ ମହୋଦୟଙ୍କୁ ସଭକ୍ତିକ ପାଛୋଟି ଆଣି ତୃତୀୟ ସ୍କନ୍ଧ: ଏକବିଂଶ ଅଧ୍ୟାୟର ତାତ୍ତ୍ବିକ କଥା ଆଲୋଚନା କରିବା ପାଇଁ ନିବେଦନ କରିଥିଲେ। ଏକବିଂଶ ଅଧ୍ୟାୟରେ ବିଦୁର ମହାରାଜ ମୈତ୍ରେୟ ମୁନିଙ୍କୁ ପଚାରିଛନ୍ତି ଯେ ସ୍ବାୟମ୍ଭୁବ ମୁନିଙ୍କ ବଂଶ କିପରି ଭାବରେ ଏ ଜଗତରେ ପ୍ରସରିଥିଲା ସେ ବିଷୟରେ ଅବଗତ କରାନ୍ତୁ। ସ୍ବାୟମ୍ଭୁବ ମନୁଙ୍କର ଦୁଇ ପୁତ୍ର ଉତ୍ତାନପାଦ ଓ ପ୍ରିୟବ୍ରତ ଦୁଇ ପୁତ୍ର ଏବଂ ଦେବହୂତି, ଆକୂତି,ପ୍ରସୂତି ତିନି କନ୍ୟା। ଦେବୀ ଦେବହୂତି କର୍ଦ୍ଦମ ଋଷି, ଆକୂତି ଦେବୀ ପ୍ରଜାପତି ରୁଚି ଋଷି ଏବଂ ଦେବୀ ପ୍ରସୂତି ଦକ୍ଷ ପ୍ରଜାପତିଙ୍କୁ ବିବାହ କରି ବଂଶବୃଦ୍ଧି କରିଥିଲେ ବୋଲି ଭାଗବତର ଏକବିଂଶ ଅଧ୍ୟାୟରେ ବର୍ଣ୍ଣିତ ଯାହା ଉପରେ ଦୀକ୍ଷାନ୍ତ ଆଲୋଚନା କରିଥିଲେ ପଣ୍ଡିତ ଡ଼ ନିରଞ୍ଜନ ସାହୁ ମହୋଦୟ। ଦ୍ବାବିଂଶ ଅଧ୍ୟାୟରେ ମନୁମହାରାଜ ଓ ଶତରୂପା ମହାରାଣୀ କନ୍ୟା ସମ୍ପ୍ରଦାନ କରି କର୍ଦ୍ଦମ ମୁନିଙ୍କୁ ବିଭିନ୍ନ ପ୍ରକାର ଉପଢୌକନ ପ୍ରଦାନ କରିଥିବା ବିଷୟରେ ପଣ୍ଡିତ ଡ ନିରଞ୍ଜନ ସାହୁ ମହାଭାଗ ଅତିବଡ଼ି ଜଗନ୍ନାଥ ଦାସଙ୍କ ଭାଗବତକୁ ଅତି ସୁନ୍ଦର ଭାବରେ ବର୍ଣ୍ଣନା କରିଥିଲେ। ଉକ୍ତ ଦୁଇ ଦିନର ସତସଙ୍ଗ କାର୍ଯ୍ୟକ୍ରମରେ ବିଭିନ୍ନ ସ୍ଥାନରୁ ୧୬୫ରୁ ଉର୍ଦ୍ଧ୍ବ ସତସଙ୍ଗୀ ଶ୍ରୀମଦ୍ଭାଗବତପ୍ରେମୀ ଯୋଗ ଦେଇ ଏ ମହତ୍ ବାଣୀ ସାହିତ୍ୟିକ କବି ବନ୍ଧୁ ପରିବାରର ଏ କାର୍ଯ୍ୟକ୍ରମ ମାଧ୍ୟମରେ ଶ୍ରବଣ କରି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ ଏବଂ ଶ୍ରୀମଦ୍ଭାଗତର ଏ ଦୁଇ ଅଧ୍ୟାୟର ଆଲୋଚକ ଡ଼ ମିଶ୍ର ମହାଭାଗଙ୍କୁ ପଣ୍ଡିତ ଶ୍ରୀଯୁକ୍ତ ଶ୍ୟାମସୁନ୍ଦର ଦାଶ ମହୋଦୟ ଶୁଭେଚ୍ଛା ଜ୍ଞାପନ କରିଥିଲେ, ପଣ୍ଡିତ ଡ଼ ପ୍ରଦୀପ କୁମାର ଆଚାର୍ଯ୍ୟ, ପଣ୍ଡିତ ଅନାଦି ଚରଣ ମାହାଳି, ପଣ୍ଡିତ ସୂର୍ଯ୍ୟ କୁମାର ପାଣିଗ୍ରାହୀ, ପଣ୍ଡିତ ଶକ୍ତିପଦ ମିଶ୍ର, ପଣ୍ଡିତ ପ୍ରଦୀପ୍ତ କୁମାର ମିଶ୍ର, ପଣ୍ଡିତ ପଦ୍ମନାଭ ପାଣିଗ୍ରାହୀ, ପଣ୍ଡିତ ଭାବଗ୍ରାହୀ ମିଶ୍ର ଏବଂ ବିଦୂଷୀ ସଂଯୁକ୍ତା ରାଉତ ମହୋଦୟା ଉପରୋକ୍ତ ଅଧ୍ୟାୟର ତତ୍ତ୍ବପୂର୍ଣ୍ଣ ଆଲୋଚନା ସହ ଉକ୍ତ କାର୍ଯ୍ୟକ୍ରମ ସମ୍ବନ୍ଧରେ ନିଜସ୍ୱ ବକ୍ତବ୍ୟ ପ୍ରଦାନ କରିଥିଲେ। ଅନୁଷ୍ଠାନ ପକ୍ଷରୁ ସମ୍ପାଦିକା ଶ୍ରୀମତୀ ପ୍ରଣତି ମହାପାତ୍ର ଦୁଇ ଦିନର ସତସଙ୍ଗରେ ଦାୟିତ୍ୱ ସମ୍ପାଦନ କରିଥିବା ବେଳେ ସହଯୋଗ କରିଥିବା ଉପସ୍ଥିତ ସମସ୍ତ ସତସଙ୍ଗୀ ଭଗବତ୍ ପ୍ରେମୀଙ୍କୁ ସାଧୁବାଦ ଜଣାଇଥିଲେ । ଶ୍ରୀମତୀ ରୀତା ଅପରାଜିତା ମହାନ୍ତି ଧନ୍ୟବାଦ ଅର୍ପଣ ଓ ଶ୍ରୀଯୁକ୍ତ ରତିନାରାୟଣ ରାଉତ ଶାନ୍ତିପାଠ କରିଥିଲେ। କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ଦାସ ନିଜର ବକ୍ତବ୍ୟ ସହ ସଭାର ବିରତି ଆସନ୍ତା ବୁଧବାର ପର୍ଯ୍ୟନ୍ତ ଘୋଷଣା କରି ସଭାସାଙ୍ଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.