ଜନ୍ମରୁ ସ୍କୁଲ ଦୁଆର ଦେଖିନାହିଁ ମମିତା ମାଝୀ

ପିତା ମାତାଙ୍କ ଦେହାନ୍ତ ପରେ ଅସହାୟ ଜୀବନ

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଦେଦର ପଂଚାୟତ କୁସୁମ୍ବରା ଗାଁରେ ରହୁଛି ଏକ ଅସହାୟ ଶିଶୁ ମମିତା ମାଝୀ । ବୟସ ମାତ୍ର ୧୦ ବର୍ଷ । ଗାଁରେ ସ୍କୁଲ ନଥୁବାରୁ ଓ ପିତା ମାତା ନଥୁବାରୁ ମମିତା ବିଦ୍ୟାଳୟର ଦୁଆର ମାଡ଼ିନାହିଁ । ଅଜା ଘାଷି ମାଝୀ ଓ ଆଈ ମଙ୍ଗଲେ ମାଝୀଙ୍କ ପାଖରେ ରହି ଘର କାମରେ ସାହାର୍ଯ୍ୟ କରୁଛି । ଅଜା ଆଇ ମଧ୍ୟ ବୃଦ୍ଧ ଅବସ୍ଥାରେ ବହୁତ ଅସୁବିଧାରେ ରହୁଛନ୍ତି । ମନରେ ପାଠ ପଢିବାକୁ ଇଛାଥଲେ ମଧ୍ଯ ପାରିବାରିକ ସମସ୍ୟା ହେତୁ ଅନେକ ବାଧା ବିଘ୍ନରେ ପାଠ ପଢିପାରୁନାହିଁ । ସୂଚନା ଅନୁସାରେ ଦେଦର ପଂଚାୟତ ବଣ ପାହାଡ଼ ଉପରେ କୁସୁମ୍ବରା ଗାଁ ଅବସ୍ଥିତ । ଏହି ଗାଁରେ ବିଭିନ୍ନ ସମ୍ପ୍ରଦାୟର ପ୍ରାୟ ୨୦ ରୁ ଅଧ୍ବକ ପରିବାର ବସବାସ କରନ୍ତି । ଏହି ଗାଁରେ ଅର୍ଜୁନ ମାଝୀ ଓ ସସ୍ମିତା ମାଝୀ ମଧ୍ୟ ବସବାସ କରୁଥିଲେ । ଝିଅକୁ ଜନ୍ମଦେଇ ସସ୍ମିତାଙ୍କ ମୃତ୍ୟୁ ପରେ ପିତା ଅର୍ଜୁନ ଝିଅର ଲାଳନ ପାଳନ କଲେ । ତାଙ୍କର ମଧ୍ୟ ଗତବର୍ଷ ଜ୍ଵରରେ ଦେହାନ୍ତ ହେବାରୁ ଝିଅ ମମିତା ଏବେ ଅସହାୟ ଅବସ୍ଥାରେ ଅଜା ଆଈଙ୍କ ପାଖରେ ରହୁଛି । ମମିତା ପଢ଼ିବାର ଇଛାଥିଲେ ମଧ୍ୟ ପରିବାରର ଅସୁବିଧା ବାଧା ଦେଉଛି । ବୟସ ୧୦ ବର୍ଷ ହୋଇଥିଲେ ମଧ୍ୟ ସ୍କୁଲ ଦୁଆର ଦେଖୁନାହିଁ । ଏହି ସମସ୍ୟା ବିଷୟରେ କିଛି ଦିନ ତଳେ ସମାଜସେବୀ ଯଶୋବନ୍ତ ରଣା ଜାଣିବାକୁ ପାଇଲା ପରେ ମମିତା ମାଝୀଙ୍କ ଘରକୁ ଯାଇ ତାକୁ ଭେଟି ସମସ୍ତ ସମସ୍ୟା ବିଷୟରେ ପଚାରି ବୁଝିଥିଲେ । ସେ ପଢିବାକୁ ଇଛା ପ୍ରକାଶ କରିବାରୁ ତାକୁ ପଢ଼ିବାର ସମସ୍ତ ବ୍ୟବସ୍ଥା କରିବାପାଇଁ ପ୍ରତିଶୃତି ଦେଇଛନ୍ତି । ମମିତାଙ୍କ ଅଜା ଆଇ ମଧ୍ୟ କୌଣସି ଏକ ଆଶ୍ରମ ସ୍କୁଲରେ ରଖ୍ ପଢେଇବାକୁ କହିଥିଲେ । ଏହି ସମସ୍ୟା ପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ମମିତାକୁ ଥଇଥାନ କରିବାକୁ ଶ୍ରୀ ରଣା ଓ ଗ୍ରାମବାସୀ ଦାବି କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.