ଆକାଶର ମେଘ ପଛର ରୋଚକ କଥା 

ବାଦଲଫଟା ବର୍ଷା, ଗରଜି ଗରଜି ବରଷୁଥିବା ମେଘ ପଛର ଅନେକ ବୈଜ୍ଞାନିକ ତଥ୍ୟ ଥାଏ। ଏପରିକି ମୁଣ୍ଡ ଉପରେ ଥିବା ବାଦଲଖଣ୍ଡକୁ ନେଇ ଲୋକେ ତା’ ପଛର କାହାଣୀକୁ ଜାଣିବାକୁ କୌତୁହଳ ଦେଖାନ୍ତି, କେମିତି ସୃଷ୍ଟି ହୋଇଥାଏ ବର୍ଷା? ସାଧାରଣତଃ ଆକାଶରେ ଘୋଟିଯାଉଥିବା ବାଦଲ ଧିରେ ଧିରେ ରୂପ ବଦଳାଇଥାଏ। ମେଘ ଭିତରେ ଥିବା ଥଣ୍ଡା ତାପମାତ୍ରାର ଆର୍ଦ୍ରତା ବା ବାଷ୍ପ ତରଳ ପଦାର୍ଥରେ ପରିଣତ ହୁଏ। ଆଉ ଏହି ତରଳ ପଦାର୍ଥ କୋଟି କୋଟି ବା ଟ୍ରିଲିୟନ୍ କ୍ଷୁଦ୍ର ଜଳ ବୁନ୍ଦା ଆକାର ନେଇ ବାଦଲ ମଧ୍ୟରୁ ଝରିଥାଏ। ପାଣିପାଗ ବିଜ୍ଞାନୀଙ୍କ ଆକଳନ ଅନୁଯାୟୀ, ଏକ ବର୍ଗ ମାଇଲ କ୍ଷେତ୍ରରେ ବରଷୁଥିବା ଏକ ଇଂଚ ବର୍ଷା ୧୭.୪ ମିଲିୟନ ଗ୍ୟାଲନ ଜଳରାଶି ସହ ସମାନ। ଏପରିକି ତାହାର ଓଜନ ପାଖାପାଖି ୧୪୩ ମିଲିୟନ ପାଉଣ୍ଡ ବା ୧୦୦ ହାତୀର ଓଜନ ସହିତ ସମାନ ବୋଲି ଆକଳନ କରିନ୍ତି ପାଣିପାଗ ବିଜ୍ଞାନୀ। ପାଣିପାଗ ବିଜ୍ଞାନୀଙ୍କ କହିବା ମୁତାବକ, ଏକ ବାଦଲଖଣ୍ଡର ଓଜନ ପାଖାପାଖି ୧.୧ ମିଲିୟନ ପାଉଣ୍ଡ ବା ୫ ଲକ୍ଷ କିଲୋଗ୍ରାମ। ଏହାର ଅର୍ଥ ଯେବେ ଯେବେ ଆକାଶରେ କଳାବାଦଲ ଘୋଟି ଆସି ମେଘର ରୂପ ନିଏ ସେତେବେଳେ ଆମ ମୁଣ୍ଡ ଉପରେ କୋଟି କୋଟି ମିଲିୟନ ପାଉଣ୍ଡ ପାଣି ଭାସମାନ ହୋଇଥାଏ। ଏକ ସାଧାରଣ କୁମୁଲସ ମେଘର ଲମ୍ବ, ମୋଟେଇ ଏବଂ ଉଚ୍ଚତା ପ୍ରାୟ ୧୦୦୦ ମିଟର ବା ୧ କିଲୋମିଟର ଭଳି ହୋଇଥାଏ।
ପାଣିପାଗ ବିଜ୍ଞାନୀଙ୍କ ଆକଳନ ଅନୁଯାୟୀ, ଏକ ବାଦଲଖଣ୍ଡର ଆୟତ୍ତନ ୧ ବିଲିୟନ ବର୍ଗ ମିଟର ହୋଇଥିବାବେଳେ ମେଘର ଘନତ୍ୱ ୦.୫ ଗ୍ରାମ ହୋଇଥାଏ। ବଜ୍ରପାତ ବର୍ଷାର ଓଜନ ସାଧାରଣ ବର୍ଷାର ଓଜନଠାରୁ ୨ ମିଲିୟନ ଟନ୍ ହୋଇଥାଏ। ଆକାଶରେ ମେଘ ତିନି ପ୍ରକାରର ଥାଏ। ସିରସ, କ୍ୟୁମୁଲସ ଏବଂ ଷ୍ଟ୍ରେଟସ୍। ବାଦଲର ଆକାର ଏବଂ ତା’ର ପ୍ରକୃତିକୁ ଆକଳନ କରି ମେଘଖଣ୍ଡର ନାମକରଣ କରାଯାଇଛି। ଆକାଶର ସାମାନ୍ୟ ଉଚ୍ଚତାରେ ଭାସମାନ ହେଉଥିବା ମେଘଖଣ୍ଡକୁ ସିରସ୍ କୁହାଯାଏ। ଯାହା ପ୍ରତିଦିନ ଆକାଶରେ ଦେଖାଯାଇଥାଏ। ସାମାନ୍ୟ ଉଚ୍ଚତାରେ ଥିବାରୁ ଗ୍ରୀଷ୍ମଋତୁରେ ସିରସ୍ ମେଘରେ ବରଫ କଣିକା ରହିଥାଏ। ସେହିପରି କ୍ୟୁମୁଲସ ମେଘଖଣ୍ଡ ଗଦା ପରି ଆକାର ନେଇଥାନ୍ତି। ଯଦି କ୍ୟୁମୁଲସ୍ ମେଘଖଣ୍ଡ କଳାହାଣ୍ଡିଆ ମେଘର ରୂପ ନିଏ ସେତେବେଳେ କୁଆପଥର ବର୍ଷିବାର ଅଧିକ ସମ୍ଭାବନା ଥାଏ। ସେହିଭଳି ଆକାଶକୁ ଚାଦର ଭଳି ଘୋଡ଼ାଇ ରଖିଥବା ବାଦଲକୁ ଷ୍ଟ୍ରେଟସ୍ ମେଘ କୁହାଯାଏ। ଯାହା ଭୂତଳଠୁ ୧୨୦୦ ଫୁଟ ଉଚ୍ଚତାରେ ଭାସମାନ କରିଥାନ୍ତି। ଏହି ସମୟରେ ବର୍ଷାର ପରିମାଣ କମ୍ ଥାଏ କିନ୍ତୁ ଆକାଶ ସମ୍ପୂର୍ଣ୍ଣ ମେଘାଚ୍ଛନ୍ନ ରହିଥାଏ। ମୌସୁମୀମୟ ଆକାଶରେ କାହିଁକି ମାରିଥାଏ ବିଜୁଳି? ମେଘ ଗୁଡ଼ିକରେ ଅତି ସୂକ୍ଷ୍ମ କଣିକା ଆର୍ଦ୍ରତା ଧାରଣ କରିଥାଏ। ଆଉ ବାୟୁ ଏବଂ ଜଳ କଣିକା ମଧ୍ୟରେ ଘର୍ଷଣ ହୁଏ ସେତେବେଳେ ଏଥିରୁ ବିଦ୍ୟୁତ୍ ଉତ୍ପାଦନ ହୋଇଥାଏ। ଜଳ କଣିକା ଗୁଡ଼ିକ ଚାର୍ଜ ହେଲାପରେ ପ୍ଲସ୍ ମାଇନସ୍ ଚାର୍ଜ ହୋଇଥିବା କଣିକାର ନିକଟତର ହୋଇଥାନ୍ତି। ଯାହାଫଳରେ ସ୍ପରସ୍ପର ମଧ୍ୟରେ ଧକ୍କା ହୋଇ ବିଦ୍ୟୁତ୍ ଉତ୍ପନ କରିଥାନ୍ତି। ଆଲୋକର ଗତିପଥ ଅଧିକ ଥିବାରୁ ବଜ୍ରପାତ ପ୍ରଥମେ ଦେଖାଯାଏ, ଶବ୍ଦର ଗତି ଆଲୋକଠାରୁ କମ୍ ଥିବାରୁ ଆପଣ ପ୍ରଥମେ ବିଜୁଳିକୁ ଦେଖନ୍ତି ଓ ପରେ ବଜ୍ରର ପ୍ରଚଣ୍ଡ ଶବ୍ଦକୁ ଶୁଣିଥାନ୍ତି।
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.