ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର/କଳାହାଣ୍ଡି: ବାଲେଶ୍ୱର ଜିଲ୍ଲାର ଗାନ୍ଧୀ ସ୍ମୃତି ଭବନରେ ବାମସେଫ୍ ଓ ମୂଳନିବାସୀ ସଂଘର ୨୧ତମ ଓଡ଼ିଶା ରାଜ୍ୟ ଅଧିବେଶନରେ ମାନନୀୟ ମଗନ ଶଶାନେ, ରାଷ୍ଟ୍ରୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ ନୂଆଦିଲ୍ଲୀଙ୍କ କରକମଳରେ ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ୧୯୩୧ ମାହାଡ ସମ୍ମିଳନୀ ଭାଷଣର ଓଡ଼ିଆ ଅନୁବାଦ “ମୁକ୍ତିର ପଥେ” ପୁସ୍ତକର ଭବ୍ୟ ଉନ୍ମୋଚନ ହୋଇଯାଇଛି। ଏହି ପୁସ୍ତକଟି କଳାହାଣ୍ଡି ଜିଲ୍ଲାର ଅନୁନ୍ନତ କଲମପୁର ଅଞ୍ଚଳର ଖଣ୍ଡି ଡଙ୍ଗରୀଗୁଡା ଗ୍ରାମରେ ଜନ୍ମଗ୍ରହଣ କରିଥିବା ଧୀମାନ ମାଧବ ସୁନାନୀଙ୍କ ଦ୍ୱାରା ଅନୁବାଦିତ ଏବଂ ଫୁଲେ ଶାହୁ ଆମ୍ବେଦକର ଭୀମଭୋଇ ଟ୍ରଷ୍ଟର ସହାୟତାରେ ଡମ୍ବରୁଧର ମାଝୀଙ୍କ ଦ୍ୱାରା ପ୍ରକାଶିତ। ପୁସ୍ତକଟି ଲେଖକଙ୍କ ପୁତ୍ର ଅଥର୍ବଙ୍କ ନାମରେ ଉତ୍ସର୍ଗୀକୃତ। ଧୀମାନ ମାଧବ ସୁନାନୀ, ଯିଏ ଗରିବ ପରିବାରରୁ ଉଠି ଆସିଛନ୍ତି, ପାରିବାରିକ ସମସ୍ୟା ଓ ଅଭାବ ସତ୍ତ୍ୱେ ସାମାଜିକ ଜାଗରଣ ଓ ନ୍ୟାୟ ପାଇଁ ଅହରହ କାର୍ଯ୍ୟ କରୁଛନ୍ତି। ସେ ଜଣେ ସୁଦକ୍ଷ ସଂଗଠକ, ସମାଜ ସଂସ୍କାରକ, ବହୁଜନ ନେତା, ଗଣମାଧ୍ୟମ ପ୍ରତିନିଧି ତଥା ଲେଖକ ଭାବେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ତାଙ୍କ ଏହି ଅନୁବାଦ କାର୍ଯ୍ୟ ବାବା ସାହେବଙ୍କ ସାମାଜିକ ମୁକ୍ତି ଓ ସମାନତାର ବାର୍ତ୍ତାକୁ ଓଡ଼ିଶାର ଗରିବ, ଶୋଷିତ, ଅବହେଳିତ ଓ ନିଷ୍ପେସିତ ବର୍ଗର ଲୋକଙ୍କ ପାଖରେ ପହଞ୍ଚାଇବାର ଏକ ପ୍ରଶଂସନୀୟ ପ୍ରୟାସ। ମାଧବ ସୁନାନୀ ନିଜର ଜୀବନ ଅନୁଭବ ବର୍ଣ୍ଣନା କରି କହିଛନ୍ତି, “ମୋର ବାଲ୍ୟାବସ୍ଥାରୁ ଗରିବୀକୁ ମୁଁ ଅତି ନିକଟରୁ ଦେଖିଛି। ମୋର ଆଈମା ବାଲିଚର ଜମିରୁ ଗୁବିଡାଲ ତଲିଆଣି ଗାଁ ଗାଁ ବୁଲି ବିକ୍ରି କରି ମୋତେ ପାଠପଢ଼ାଇଛନ୍ତି। ସେତେବେଳର ଘଟଣା ଆଜି ମନେ ପଡ଼ିଲେ ଆଖିରୁ ଲୁହ ବୋହି ଆସେ, କିନ୍ତୁ ସେ କେବେ ହାର ମାନି ନଥିଲେ। ସେ ମୋତେ କହୁଥିଲେ, ‘ତୁ ବଡ଼ ହୋଇ ଲୋକଙ୍କ ପାଖରେ ଠିଆହୋଇ ତାଙ୍କ ଅସୁବିଧାରେ ସାହାଯ୍ୟ କରିବୁ। ଏହି ସମାଜରେ ସମସ୍ତଙ୍କୁ ସମାନ ନ୍ୟାୟ ଓ ଅଧିକାର ମିଳିବା ପାଇଁ ଲଢ଼ିବୁ।’ ଆଜି ମୁଁ ଯେଉଁଠି ଠିଆ ହୋଇଛି, ତାହା ମୋର ଆଈମାଙ୍କ ଶିକ୍ଷା ଓ ଆଦର୍ଶର ଫଳ। ଗରିବୀ ମଣିଷ ପାଇଁ ଅଭିଶାପ ନୁହେଁ, ବରଂ ଏହା ଆତ୍ମସମ୍ମାନ ଓ ସ୍ୱାଭିମାନର ଲଢ଼େଇ ପାଇଁ ମନୋବଳ ଦେଇଥାଏ।” ଏହି ପୁସ୍ତକ ମୂଳନିବାସୀ ବହୁଜନ ସମାଜକୁ ସାମାଜିକ, ରାଜନୈତିକ, ଧାର୍ମିକ ଓ ଆର୍ଥିକ ଶୃଙ୍ଖଳରୁ ମୁକ୍ତି ଦେବାରେ ବାବା ସାହେବଙ୍କ ଦର୍ଶନକୁ ପ୍ରଚାର କରୁଛି। ଲେଖକଙ୍କ ଏହି କାର୍ଯ୍ୟ ଗରିବ ଓ ଶୋଷିତ ସମ୍ପ୍ରଦାୟକୁ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଏକ ଶକ୍ତିଶାଳୀ ପଦକ୍ଷେପ। ତାଙ୍କ ପିତା ଧୀମାନ ନୀଳକଣ୍ଠ ସୁନାନି, ମାତା ସବିତା ସୁନାନୀ, ସ୍ତ୍ରୀ ତନୁ ସୁନାନୀ ଓ ସମଗ୍ର ପରିବାରର ସହଯୋଗ ତାଙ୍କ ଏହି ଯାତ୍ରାରେ ମୂଖ୍ୟ ଭୂମିକା ଗ୍ରହଣ କରିଛି। ଅଧିବେଶନରେ ଉପସ୍ଥିତ ବୁଦ୍ଧିଜୀବୀ ମାନେ ଏହି ପୁସ୍ତକକୁ ବାବା ସାହେବଙ୍କ ଆଦର୍ଶର ଏକ ଜୀବନ୍ତ ଦଲିଲ ଭାବେ ଗ୍ରହଣ କରିଛନ୍ତି। ଏହା ଓଡ଼ିଶାର ଆମ୍ବେଦକରବାଦୀ ଆନ୍ଦୋଳନକୁ ନୂଆଁ ଶକ୍ତି ପ୍ରଦାନ କରିବ ବୋଲି ଆଶା କରାଯାଉଛି।