ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଡିଗ୍ରୀ କଲେଜର ବାର୍ଷିକ କ୍ରୀଡା ନର୍ଲା ହାଇସ୍କୁଲ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି। ଶୁକ୍ରବାର ଦିବା ୧୦ ଘଣ୍ଟା ସମୟରେ ମହାବିଦ୍ୟାଳୟର ଅଧ୍ୟକ୍ଷ ନାରାୟଣ ନାଏକ ଆନୁଷ୍ଠାନିକ ଭାବରେ କ୍ରୀଡା ପତାକା ଉତ୍ତୋଳନ କରି ବାର୍ଷିକ କ୍ରୀଡାକୁ ଶୁଭ ଉଦ୍ଘାଟନ କରିଥିଲେ। କଲେଜର ଅଧ୍ୟାପିକା ସଂଘମିତ୍ରା ପଣ୍ଡା କ୍ରୀଡାର ଧାରା ବିବରଣୀ ପ୍ରଦାନ କରିଥିବା ବେଳେ ଅଧ୍ୟାପକ ସୁଶାନ୍ତ ସାହୁ, ମୃତ୍ୟୁଞ୍ଜୟ ଚାନ୍ଦ, ଅଧ୍ୟାପିକା ବାସନ୍ତି ସାହୁ, କୌଶଲ୍ୟା ଗଡବା, ପାର୍ବତୀ ଦାସ, କଲେଜ ଷ୍ଟାଫ୍ ସନ୍ତୋଷ କୁମାର ନାଏକ, କିଶୋର ଚାନ୍ଦ, ମନୋଜ କୁମାର ନନ୍ଦ, ରମେଶ ଚନ୍ଦ୍ର ଘଡେଇ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କଲେଜର କ୍ରୀଡା ଶିକ୍ଷକ କ୍ଷିତୀଶ ଚନ୍ଦ୍ର ବଗର୍ତ୍ତୀଙ୍କ ନେତୃତ୍ୱରେ ନର୍ଲା ଯୁକ୍ତ ଦୁଇ କଲେଜର ପିଇଟି ସମନ୍ତ ପୁଝାରୀ, ନର୍ଲାରୋଡ ଜୟଦୁର୍ଗା ହାଇସ୍କୁଲର ପିଇଟି ନାରାୟଣ ପଧାନ ସମସ୍ତ ଇଭେଣ୍ଟ ଗୁଡିକ ପରିଚାଳନା କରିଥିଲେ। ଇଭେଣ୍ଟ ଗୁଡିକ ମଧ୍ୟରେ ୧୦୦ ମି, ୨୦୦ ମି ଦୌଡ ଉଭୟ ପୁଅ ଝିଅଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ୮୦୦ ମି ଦୌଡ କେବଳ ଛାତ୍ର ମାନଙ୍କ ମଧ୍ୟରେ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା। ସେହିଭଳି ଲମ୍ବା ଡିଆଁ, ଉଚ୍ଚା ଡିଆଁ, ସଟଫୁଟ ଥ୍ରୋ, ଡିସକସ ଥ୍ରୋ ପ୍ରଭୃତି ପ୍ରତିଯୋଗୀତା ଉଭୟ ପୁଅ ଝିଅ ମାନଙ୍କୁ ନେଇ ସାଧାରଣ ଭାବରେ ଅନୁଷ୍ଠିତ ହୋଇ ଥିବା ବେଳେ ବାଳିକା ମାନଙ୍କ ପାଇଁ ମ୍ୟୁଜିକ ଚେୟାର, ମନ୍ଥର ସାଇକେଲ ଚାଳନା, ପ୍ରଭୃତି ଖେଳ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା। ଡିଗ୍ରୀ କଲେଜର ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଶୁକ୍ରବାର ଏହାର ଉଦ୍ଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ଦ୍ୱିତୀୟ ଦିବସ ଶନିବାର ଦିନ ମଧ୍ୟ ବିଭିନ୍ନ ଇଭେଣ୍ଟ ଗୁଡିକର ପ୍ରତିଯୋଗୀତା ଅନୁଷ୍ଠିତ ହେବ ଓ ଏହାର ଉଦ୍ଯାପନୀ ହେବ ବୋଲି ସୂଚନା ମିଳିଛି। ନର୍ଲା ଡିଗ୍ରୀ କଲେଜର ଏହି ବାର୍ଷିକ କ୍ରୀଡାର କୃତୀ ପ୍ରତିଯୋଗୀ ମାନଙ୍କୁ ସାଧାରଣତନ୍ତ୍ର ଦିବସ ଅବସରରେ ପୃରସ୍କୃତ କରାଯିବ ବୋଲି ଅଧ୍ୟକ୍ଷ ଶ୍ରୀ ନାଏକ ପ୍ରକାଶ କରିଛନ୍ତି।





