ଓଡ଼ିଆ ବାର୍ତ୍ତା/ ଧର୍ମଗଡ଼ (ଲବଣୀ ରାଉତ): ବର୍ତମାନ ସମୟରେ ହୋମିଓପାଥି, ଆୟୁର୍ବେଦିକ, ଯୋଗ, ୟୁନାନି, ପ୍ରାକୃତିକ ଚିକିତ୍ସା ର ଆଦର ବଢୁଛି। ବିଶେଷ କରି ଅଣସଂକ୍ରମକ ରୋଗ ର ଉପଶମ ନିମନ୍ତେ ପ୍ରାଚୀନ ଚିକିତ୍ସା ପଦ୍ଧତି ଉପରେ ଅନେକ ଲୋକ ନିର୍ଭର କରୁଛନ୍ତି। ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଭାବେ କିଛି ଚିକିତ୍ସାଳୟ କାର୍ଯ୍ୟ କରୁଥିବା ବେଳେ ଏସବୁରେ ରୋଗୀ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ଯଦିଓ କଳାହାଣ୍ଡି ଜିଲ୍ଲା ରେ ଆୟୁଷ ଚିକିତ୍ସା କୁ ପହଂଚାଇବା ପାଇଁ ରାଜ୍ୟ ସରକାର ୩୮ ଟି ଆୟୁଷ ଚିକିତ୍ସାଳୟ ସ୍ଥାପନା କରିଛନ୍ତି ସେଠାରେ କିନ୍ତୁ ଭିତ୍ତିଭୂମି ର ଘୋର ଅଭାବ ପାରିଲିକ୍ଷିତ ହୋଇଛି। ସ୍ଥିତି ଏଭଳି ହୋଇଛି ଯେ ଆୟୁଷ ଚିକିତ୍ସାଳୟ ଆୟୁଷ ଖୋଜୁଛି। ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁସାରେ ଜିଲ୍ଲାରେ ଥିବା ୩୮ ଟି ଆୟୁଷ ଚିକିତ୍ସାଳୟ ମଧ୍ୟରୁ ୨୦ ଟି ଆୟୁର୍ବେଦିକ, ୧୮ ଟି ହୋମିଓପାଥି ଚିକିତ୍ସାଳୟ ସ୍ଥାପନା କରାଯାଇଛି। ଆୟୁଷ ଚିକିତ୍ସା ଳୟ ପ୍ରାୟ ୯୦ ପ୍ରତିଶତ ଗ୍ରାମାଞ୍ଚଳ ଓ ପଛୁଆ ଅଞ୍ଚଳ ରେ ରହିଛି। ଏସବୁ ଚିକିତ୍ସାଳୟ ରେ ମୌଳିକ ଭିତ୍ତିଭୂମି ଯଥା ନିଜସ୍ୱ ଜମି, ନିଜସ୍ୱ କୋଠା ଘର, ବିଜୁଳି ସୁବିଧା, ଜଳ ଯୋଗାଣ, ପାନୀୟ ଜଳ ଯୋଗାଣ, କର୍ମଚାରୀ ଓ ରୋଗୀ ମାନଙ୍କ ପାଇଁ ଶୋଚାଳୟ, ନିବାଶ ଆଦି ସୁବିଧା ଅନେକ ଚିକିତ୍ସାଳୟ ରେ ବର୍ତମାନ ସୁଦ୍ଧା ଉପଲବ୍ଧ ହୋଇପାରିନାହିଁ। ଆର. ଟି. ଆଈ ରୁ ମିଳିଥିବା ସୂଚନା ଅନୁସାରେ ୪ ଟି ଡାକ୍ତର ପଦ, ୧୦ ଟି ଆୟୁଷ ସହାୟକ ପଦ, ୭ ଟି ଝାଡୁଦାର ପଦ ଖାଳିପଡିଛି। ଆଉ ୨୫ ଟି ଚିକିତ୍ସାଳୟ ରେ ଡାକ୍ତର ଓ କର୍ମଚାରୀ ଙ୍କ ରହିବା ପାଇଁ ଆବାସ ସୁବିଧା ନାହିଁ। ୨୬ ଟି ଚିକିତ୍ସାଳୟ ରେ ନିଜସ୍ୱ ଜାଗା ନାହିଁ, ୨ ଟି ରେ କୋଠା ନାହିଁ ୯ ଟି କାର୍ଯ୍ୟରତ, ସବୁଠାରୁ ଚିନ୍ତାଜନକ ବିଷୟ ହୋଉଛି ୨୩ ଟି ଚିକିତ୍ସାଳୟ କୁ ଜଳ ଯୋଗାଣ ହୋଇନାହିଁ, ସେହିପରି ୩୧ ଟି ଚିକିତ୍ସାଳୟ ରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଆକୱାଗାର୍ଡ ଇତ୍ୟାଦି ବ୍ୟବସ୍ଥା ନାହିଁ। ୨୮ ଟି ରେ ଶୋଚାଳୟ ଓ ୧୬ ଟି ଚିକିତ୍ସାଳୟ ରେ ଏ ପର୍ଯ୍ୟନ୍ତ ବିଦ୍ୟୁତ ସଂଯୋଗ ହୋଇନାହିଁ। ଏଭଳି ସ୍ଥିତି ରେ ଜିଲ୍ଲା ରେ କେମିତି ଆୟୁଷ ଚିକିତ୍ସା ଚାଲିଥିବ ତାହା ସହଜରେ ଅନୁମେୟ। ଗ୍ରାମାଞ୍ଚଳ ଓ ଆଦିବାସୀ ବହୁଳ ଅଂଚଳ ମାନଙ୍କ ରେ ଅବସ୍ଥିତ ଏହିସବୁ ଆୟୁଷ ସ୍ୱାସ୍ଥ୍ୟ କେନ୍ଦ୍ର ଭିତ୍ତିଭୂମି ବିକାଶ କଲେ ସଂପୃକ୍ତ ଅଂଚଳ ର ଲୋକେ ଉପକୃତ ହେବା ସହ ଆୟୁଷ ଚିକିତ୍ସା ର ପ୍ରଚାର ପ୍ରସାର ଓ ଲୋକପ୍ରିୟତା ବୃଦ୍ଧି ପାଇ ପାରନ୍ତା ବୋଲି ଅଲ ଓଡିଶା କୋଭିଡ-୧୯ ଆୟୁଷ ଡାକ୍ତର ଆସୋସିଏସନ ର ସଭାପତି ଡାକ୍ତର ଦୁଷ୍ମନ୍ତ ଯାଦବ କହିଛନ୍ତି।





