ଓଡ଼ିଶା ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମର ଉତ୍କଳିକା ପକ୍ଷରୁ ବାଲେଶ୍ଵରରେ ଆରମ୍ଭ ହେଲା ହସ୍ତଶିଳ୍ପ ଓ ହସ୍ତତନ୍ତ୍ର ପ୍ରଦର୍ଶନୀ

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ହସ୍ତତନ୍ତ ବସ୍ତ୍ର ଓ ହସ୍ତଶିଳ୍ପ ବିଭାଗ, ଓଡ଼ିଶା ସରକାରଙ୍କ ଅଧୀନସ୍ଥ ଓଡ଼ିଶା ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମର ‘ଉତ୍କଳିକା’ ପକ୍ଷରୁ ବାଲେଶ୍ୱର ସହରରେ ଏକ ହସ୍ତଶିଳ୍ପ ଓ ହସ୍ତତନ୍ତ ପ୍ରଦର୍ଶନୀ ଆୟୋଜିତ କରାଯାଇଛି। ବାଲେଶ୍ୱର ସହର ସ୍ଥିତ ସହଦେବଖୁଣ୍ଟା ବସଷ୍ଟାଣ୍ଡ ନିକଟରେ ଥିବା ସୁରଭି ପ୍ଲାଜା ପ୍ରାଙ୍ଗଣରେ ଗତକାଲି ଏହି ପ୍ରଦର୍ଶନୀ ଉଦଘାଟିତ ହୋଇଥିବା ବେଳେ ଏହା ଆସନ୍ତା ଜାନୁଆରୀ ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଜଣା ପଡ଼ିଛି।ଶୁକ୍ରବାର ଦିନ ଓଡିଶା ସରକାର ଓ ହସ୍ତଶିଳ୍ପ ନିର୍ଦ୍ଦେଶାଳୟଙ୍କ ସହାୟତାରେ ଆୟୋଜିତ ଏହି ପ୍ରଦର୍ଶନୀକୁ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଶ୍ରୀ ସୂର୍ଯ୍ୟବଂଶୀ ମୟୂର ବିକାଶ ଉଦଘାଟନ କରିଥିଲେ। ସମ୍ପ୍ରତି ସ୍ବଦେଶୀ ସାମଗ୍ରୀ ପ୍ରତି ସାଧାରଣରେ ଆଗ୍ରହ ବୃଦ୍ଧି ପାଉଥିବା ବେଳେ ଓଡ଼ିଶାର ଦକ୍ଷ କାରିଗରଙ୍କ ଦ୍ବାରା ପ୍ରସ୍ତୁତ ହସ୍ତତନ୍ତ ଓ ହସ୍ତଶିଳ୍ପ ଶିଳ୍ପ ବାଲେଶ୍ବର ବାସୀଙ୍କ ଚାହିଦା ପୂରଣରେ ସହାୟକ ହେବ ବୋଲି ଜିଲ୍ଲାପାଳ ଆଶା ପ୍ରକାଶ କରିଥିଲେ। ଏହି ଉଦଘାଟନ କାର୍ଯ୍ୟକ୍ରମରେ ‘ଉତ୍କଳିକା’ର ପରିଚାଳନା ନିର୍ଦ୍ଦେଶିକା ଶ୍ରୀମତୀ ମମତା ନାୟକ, ପୂର୍ବତନ ପରିଚାଳିକା ଶ୍ରୀମତୀ କଲ୍ୟାଣୀ ପଟ୍ଟନାୟକ, ‘ଉତ୍କଳିକା’ର ଉପ-ସଭାପତି ପ୍ରଶାନ୍ତ ମହାପାତ୍ର, ସହକାରୀ ନିର୍ଦ୍ଦେଶକ ହସ୍ତଶିଳ୍ପ, ବାଲେଶ୍ବର ଶ୍ରୀ ଧନ ଟୁଡୁ ତଥା ଜିଲା ଶିଳ୍ପୀ ମହାସଂଘ ସଭାପତି ଉଦୟ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଏହି ପ୍ରଦର୍ଶନୀ ଏକମାସ ବ୍ୟାପୀ ଅର୍ଥାତ ଆସନ୍ତା ଜାନୁଆରୀ ୧୮ ତାରିଖ ପର୍ଯ୍ୟନ୍ତ ଚାଲୁରହି ବୋଲି ସୂଚନା ଦିଆ ଦିଆ ଯାଇଛି। ଏଥିରେ ପଥର ଖୋଦେଇ, କାଠ ଖୋଦେଇ, ପିପିଲି ଚାନ୍ଦୁଆ, ପଟ୍ଟଚିତ୍ର, ଟେରାକୋଟା, ଢୋକରା କାଷ୍ଟିଂ, ରୂପା ତାରକସି ସମେତ ବେତ, ବାଉଁଶ ଓ କାଇଁଚ ହସ୍ତଶିଳ୍ପ, ତନ୍ତବୁଣା ବସ୍ତ୍ର ସମେତ ବିଭିନ୍ନ ସାମଗ୍ରୀ ଉପଲବ୍ଧ ହେଉଛି। ଏହି ପ୍ରଦର୍ଶନୀରେ ରାଜ୍ୟର ୧୦ ଜଣ ଦକ୍ଷ କାରିଗରଙ୍କୁ ସେମାନଙ୍କ ପ୍ରସ୍ତୁତ ସାମଗ୍ରୀ ବିକ୍ରି ପାଇଁ ସୁଯୋଗ ଦିଆ ଯାଇଥିବା ଆୟୋଜକଙ୍କ ପକ୍ଷରୁ କୁହାଯାଇଛି। ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ପ୍ରଦର୍ଶନୀକୁ ନେଇ ବିଶେଷ ଉତ୍ସାହ ଦେଖା ଦେଇଛି। ପ୍ରତିଦିନ ବହୁ ସଂଖ୍ୟାରେ ଦର୍ଶକ ଆସି ଶିଳ୍ପସାମଗ୍ରୀ କ୍ରୟ କରୁଥିବା ସହ ଓଡ଼ିଶାର ସମୃଦ୍ଧ ହସ୍ତଶିଳ୍ପ ପରମ୍ପରାକୁ ନିକଟରୁ ଅନୁଭବ କରୁଛନ୍ତି। ‘ଉତ୍କଳିକା’ ପକ୍ଷରୁ ଆୟୋଜିତ ଏହି ପ୍ରଦର୍ଶନୀ ଶିଳ୍ପୀମାନଙ୍କୁ ଉପଯୁକ୍ତ ବଜାର ସୁଯୋଗ ପ୍ରଦାନ କରିବା ସହ ହସ୍ତଶିଳ୍ପ ସଂସ୍କୃତିର ପ୍ରଚାର ଓ ପ୍ରସାରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇବ ବୋଲି ଆଶା ବ୍ୟକ୍ତ କରାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.