ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁତଳା ବ୍ଲକ ଝିଙ୍କିଡୁଙ୍ଗୁରି ପଞ୍ଚାୟତ କେନ୍ଦୁଉଡ଼ାର ଅଖିଳ ଭାରତୀୟ ଆଦିବାସୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ଅନୁଷ୍ଠିତ ହୋଇଯାଇଛି | ଏଥିରେ ରୋହିତ ମହାକୁର ବାଳକ ବିଭାଗ ଓ ସୁନୈନା ବଗର୍ତ୍ତୀ ବାଳିକା ବିଭାଗ ଚମ୍ପିୟାନ ବିବେଚିତ ହୋଇଥିଲେ | ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସ୍ୱାଧୀନ ବୁଡ଼େକଙ୍କ ଅଧ୍ୟକ୍ଷତା ଓ ଶିକ୍ଷକ ସଞ୍ଜୟ ପଧାନଙ୍କ ସଂଯୋଜନାରେ ପୁରସ୍କାର ବିତରଣୀ ସଭାରେ ଝିଙ୍କିଡୁଙ୍ଗୁରି ସରପଞ୍ଚ ପୁଷ୍ପାଞ୍ଜଳି ମାଝୀ ମୁଖ୍ୟ ଅତିଥି, ସମିତି ସଭ୍ୟା ଗୀତାଞ୍ଜଳି ଖଣ୍ଡଗିରି, ଆଲୁମିନୀ କମିଟି ସଭାପତି ହିମାଂଶୁ ମାଝୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ | ଏହି ଅବସରରେ ଗତ ମାଟ୍ରିକ ବୋର୍ଡ ପରୀକ୍ଷାରେ ବିଦ୍ୟାଳୟ ପରୀକ୍ଷାର୍ଥୀଙ୍କ ମଧ୍ୟରେ ସର୍ବୋଚ୍ଚ ମାର୍କ ରଖିଥିବା ଜସ୍ମିନ ରେଖା ଖମାରୀଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା | ଶେଷରେ ଶିକ୍ଷକ ତ୍ରିଲୋଚନ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ | ହରିଶ୍ଚନ୍ଦ୍ର ବଗର୍ତ୍ତୀ, କୁବେର ପ୍ରଧାନୀ, ଗରିବ ବାଗ, ବଳଦେବ ସାହୁ, ଅଚ୍ୟୁତ ବଗର୍ତ୍ତୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ |





