ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅନ୍ତର୍ଗତ ଜଗନ୍ନାଥ ଉଚ୍ଚ ବିଦ୍ୟାପୀଠ ରୁପ୍ରାର ରଜତ ଜୟନ୍ତୀ ମହାସମାରୋହ ରବିବାର ଦିନ ଉଦଘାଟିତ ହୋଇଯାଇଛି। ପୂରାତନ ଛାତ୍ର ସଂସଦ ସଭାପତି ରବୀନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନର୍ଲା ବିଧାୟିକା ମନୋରମା ମହାନ୍ତି ଯୋଗଦେଇ ସମାରୋହର ଶୁଭ ଉଦଘାଟନ କରିଥିଲେ। ବିଶିଷ୍ଟ ଅତିଥି ଭାବେ ନର୍ଲା ବିଡ଼ିଓ ବିପିନ ବିହାରୀ ଦୀପ, ମୁଖ୍ୟ ବକ୍ତା ଭାବେ ନର୍ଲା ଗୋଷ୍ଠୀ ଶିକ୍ଷା ଅଧିକାରୀ ତପିମଣି ଜାନି, ସମ୍ମାନିତ ଅତିଥି ଭାବେ ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ଜିଲ୍ଲା ପରିଷଦ ସଦସ୍ୟା ନମ୍ରତା ସାହୁ, ରୁପ୍ରା ସରପଞ୍ଚ ଡଲି ବେହେରା ପ୍ରମୁଖ ମଞ୍ଚାସୀନ ଥିଲେ। ବିଦ୍ୟାଳୟର ପ୍ରଧାନଶିକ୍ଷକ ମୃତ୍ୟୁଞ୍ଜୟ ବେହେରା ବିବରଣୀ ପଠନ ଓ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଏହି ଅବସରରେ ସ୍ମରଣିକା ‘ରୁପା ଝରନ’ ଉନ୍ମୋଚିତ ହୋଇଥିଲା। ବିଦ୍ୟାଳୟର ଭୂମୀଦାତା, ଅର୍ଥଦାତା, ଶ୍ରମଦାତା, ଗୃହଦାତା ମାନଙ୍କୁ ସମ୍ମାନୀତ କରାଯାଇଥିଲା। ପୁରାତନ ଛାତ୍ରୀ ସୋମ୍ୟଶ୍ରୀ ବେହେରା ମଞ୍ଚ ପରିଚାଳନା କରିଥିବାବେଳେ ସସ୍ମିତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରାରମ୍ଭରେ ସ୍ଥାନୀୟ ଜଗନ୍ନାଥ ମନ୍ଦିର, ଦ୍ବାରସନୀ, ପାଟଖଣ୍ଡା ଓ ଶିବ ମନ୍ଦିରରୁ ମଶାଲ ଶୋଭାଯାତ୍ରା ବାହାରି ମଞ୍ଚରେ ପହଞ୍ଚିଥିଲା। ଦ୍ବିତୀୟ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ମୁଖ୍ୟ ବକ୍ତା ଭାବେ ସତ୍ୟନାରାୟଣ ମୁଣ୍ଡଛିନା, ବିଶିଷ୍ଟ ଅତିଥି ଭାବେ ନର୍ଲା ବିଧାୟିକା ମନୋରମା ମହାନ୍ତି, ସମ୍ମାନିତ ଅତିଥି ଭାବେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ. ନୃପରାଜ୍ ସାହୁ, ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରି, ବୈଦ୍ୟରାଜ ପବିତ୍ର ଶବର, କଳାହାଣ୍ଡିର ବରିଷ୍ଠ ନେତୃତ୍ୱ ଆର୍ତ୍ତତ୍ରାଣ ମହାପାତ୍ର ଓ ଯୁଗଳ ପୋଢ଼, ପ୍ରଧାନ ଶିକ୍ଷକ ମୃତ୍ୟୁଞ୍ଜୟ ବେହେରା ପ୍ରମୁଖ ମଞ୍ଚାସୀନ ଥିଲେ। ଏହି ଅବସରରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଏବଂ କର୍ମଚାରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପୂରାତନ ଛାତ୍ର ତଥା ଆନ୍ତର୍ଜାତୀୟ ପର୍ବତାରୋହୀ ଯୋଗବ୍ୟାସ ଭୋଇ ସ୍ଵାଗତ ଭାଷଣ ପ୍ରଦାନ କରିଥିବାବେଳେ ମଞ୍ଚ ପରିଚାଳନା କରିଥିଲେ ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ପ୍ରାପ୍ତ ଲେଖକ ଡିଲେଶ୍ୱର ରଣା। ପୂରାତନ ଛାତ୍ର ସଂସଦ ସଭାପତି ରବୀନ୍ଦ୍ର ସାହୁ, ସମ୍ପାଦକ ତେଜରାଜ ସାହୁଙ୍କ ସମେତ ସଂସଦର ସମସ୍ତ କାର୍ଯ୍ୟକର୍ତ୍ତା ଓ ସଦସ୍ୟ ସଦସ୍ୟା ସହଯୋଗ କରିଥିଲେ।





