ନର୍ଲାରେ ଚାଲିଛି ସଜନା ଅମଳ: ଲାଭବାନ ହେଉଛନ୍ତି ଚାଷୀ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାରେ ଏବେ ଚାଲିଛି ସଜନା ଅମଳର ସମୟ। ବ୍ୟବସାୟୀ ମାନେ ଘର ଘର ବୁଲି କଷି ସଜନା ସବୁ ସଗ୍ରହ କରି ନେଉଥିବା ଦେଖିବାକୁ ମିଳୁଛି । କିଲୋ ପ୍ରତି ବ୍ୟବସାୟୀ ୧୦୦ ରୁ ୧୧୦ ଟଙ୍କା ପ୍ରଦାନ କରୁଥିବା ଜାଣିବାକୁ ମିଳୁଛି । ସଜନା ଚାଷ ଏକ ଲାଭ ଦାୟକ ବ୍ୟବସାୟ। ସଜନା ଦୁଇ ପ୍ରକାରର ହୋଇଥାଏ। ଦେଶୀ ପ୍ରଜାତିର ଛୁଇଁ କୁ “ମୁନିଙ୍ଗା” ବୋଲି ମଧ୍ୟ ସ୍ଥାନୀୟ ଅଞ୍ଚଳରେ କୁହାଯାଉଥିବା ବେଳେ ହାଇବ୍ରିଡ ଛୁଇଁ କୁ ସଜନା କୁହାଯାଇଥାଏ। ଅବଶ୍ୟ ଆଉ ୧୫ ଦିନ ପରେ ପରିପକ୍ୱ ସଜନା ବଜାରରେ ବିକ୍ରୟ ହେବ। ଏହି ସଜନା ବ୍ୟବସାୟ ଆହୁରି ମାସଟେ ଧରି ଚାଲିବ। ରାୟପୁର ଓ ବିହାର ର ବ୍ୟବସାୟୀ ମାନେ ସଜନା କିଣି ନେବା ପାଇଁ ନର୍ଲାରୋଡ ରେ ଏବେ ସମବେତ ହୋଇଥିବା ଦେଖିବାକୁ ମିଳୁଛି। ନର୍ଲାରୋଡ ହନୁମାନ ମନ୍ଦିର ଛକ ନିକଟରେ ଚାଷୀଙ୍କ ଠୁଁ ସଜନା କିଣି ଷ୍ଟୋରେଜ କରିବା ସହିତ ଟ୍ରେନ ଯୋଗେ ବାହାର ରାଜ୍ୟକୁ ନେଉଥିବା ଜଣାପଡ଼ିଛି। ଏବେ ଅପରିପକ୍ୱ, ଅତି ଛୋଟ, ସରୁ ଓ ପତଳା ଛୁଇଁ କିଣୁଛନ୍ତି ବ୍ୟବସାୟୀ ମାନେ। ଗୋଟିଏ ସଜନା ଗଛରେ ୩୦ ରୁ ୫୦ କି.ଗ୍ରା. ଅମଳ ହେଉଥିବା ଚାଷୀ ପ୍ରକାଶ କରୁଛନ୍ତି।ବ୍ୟବସାୟୀଙ୍କ ମତାମତ ନେବାରୁ ଜଣାପଡିଛି ଯେ ରାୟପୁର ଓ ବିହାର ପଠାଯାଉଛି ଏହି ଅପରିପକ୍ୱ ଛୁଇଁ ସବୁ। ନର୍ଲା ର ବିଭିନ୍ନ ଅଞ୍ଚଳ ଶାନ୍ତପୁର, ଗାଡେବନ୍ଧ, ଘଣ୍ଟମାଳ, ନିଶାଣପୁର, ଉଲିକୁପା, ରାକ୍ସୀ, ସରିଆଁ,ପଲମ, ଟକର୍ଲା, ବିଲାଟ ପ୍ରଭୃତି ଅଞ୍ଚଳରେ ବହୁଳ ପରିମାଣରେ ଚାଷୀ ଏହି ହାଇବ୍ରିଡ ସଜନା ଚାଷ କରୁଥିବା ବେଳେ ଅଳ୍ପ ବହୁତ ରେ ନର୍ଲା ଓ କେସିଙ୍ଗା ବ୍ଲକ ଅଞ୍ଚଳର ସମସ୍ତ ଗାଁ ରେ ଏହି ସଜନା ଚାଷ ଘରେ ଘରେ ବାଡି ବଗିଚାରେ କରୁଥିବା ଦେଖିବାକୁ ମିଳୁଛି। ବ୍ୟବସାୟୀ ମାନେ ଘର ଘରକୁ ଆସି ନିଜେ ସଜନା ଗଛର ଶାଖା ଗୁଡିକୁ କାଟି ସଜନା ସଂଗ୍ରହ କରି କିଲୋ ପ୍ରତି ୮୦ ଟଙ୍କା ଲେଖା ମୂଲ୍ୟରେ କିଣି ନେଉଥିବା ଦେଖିବାକୁ ମିଳୁଛି। ସଜନା ସଂଗ୍ରହ କରି ସଜନା ଗଛର ଶାଖା ଗୁଡିକ କାଟି ଦେବାପରେ ଚାଷୀ ସେହି କଟା ଯାଇଥିବା ସଜନା ର ଶାଖା ଡାଳକୁ ଗାତ ଖୋଳି ଗାତରେ ସାର ପିଡିଆ ଦେଇ ସଜନା ଶାଖାକୁ ଲଗେଇ ସେଥିରେ ପାଣି ଦେଇଥାନ୍ତି। ସପ୍ତାହକ ମଧ୍ୟରେ ସଜନା ଗଛର ପୋତାଯାଇଥିବା ଶାଖାରୁ ଡାଳ କଅଁଳି ଥାଏ । ଡିସେମ୍ବର ଆରମ୍ଭରୁ ସଜନା ଗଛରେ ଫୁଲ ଆସି ଫଳ ଧରିଥାଏ । ଡିସେମ୍ବର ମଧ୍ୟ ଭାଗରୁ ଜାନୁୟାରୀ ଓ ଫେବୃୟାରୀ ସାରା ଅପରିପକ୍ୱ, କଷି ସଜନା ଛୁଇଁ ସଂଗୃହିତ ହୋଇ ଛତିଶଗଡ ରାୟପୁର କୁ ସପ୍ଲାଏ କରିଥାନ୍ତି ଅଞ୍ଚଳର ବ୍ୟବସାୟୀ ମାନେ । ରାୟପୁର ରେ ଏହା ୧୮୦ ରୁ ୨୦୦ ଟଙ୍କାରେ ବିକ୍ରୟ ହେଉଥିବା ଜଣାପଡିଛି। ନର୍ଲା ଅଞ୍ଚଳର ଉପରୋକ୍ତ ଗ୍ରାମ ଗୁଡିକର ଚାଷୀଙ୍କ ବାଡି ବଗିଚା ଏପରିକି ଜମି ହୁଡା ସବୁରେ ଶହ ଶହ ସଜନା ଗଛ ଚାଷ ହୋଇଥାଏ।ଜଣେ ଜଣେ ଚାଷୀ ସଜନା ଛୁଇଁ ବିକ୍ରୟ କରି ୫୦,୦୦୦ ରୁ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପାଉଥିବା ଜଣାପଡିଛି। ଏଥିରେ ଚାଷୀ, ସ୍ଥାନୀୟ ବ୍ୟବସାୟୀ ମାନେ ସଜନା ସିଜନ ରେ ଭଲ ଦୁଇ ପଇସା ରୋଜଗାର କରୁଥିବା ଦେଖିବାକୁ ମିଳୁଛି। ସଜନା ଗଛ ହୋଇଯିବା ପରେ ଏଥିରେ ସାର କିମ୍ବା କୌଣସି ପ୍ରକାରର କୀଟନାଶକ ଔଷଧ ଚାଷୀଙ୍କୁ ଦେବାକୁ ପଡିନଥାଏ। କେବଳ ଗଛ ଛୋଟଥିବା ବେଳେ ଉଈ ଢାଳିବାର ଆଶଙ୍କା ରହିଥାଏ । ଏଣୁ ଉଈ ଔଷଧ ମଧ୍ୟ ଅନେକ ସମୟରେ ପ୍ରୟୋଗ କରିଥାନ୍ତି ଚାଷୀ। ଚାଷୀଙ୍କୁ ସଜନା ଚାଷ ପାଇଁ ଖର୍ଚ୍ଚାନ୍ତ ହେବାକୁ ପଡିନଥାଏ ବୋଲି ଚାଷୀ ମାନେ ମତବ୍ୟକ୍ତ କରିଛନ୍ତି। ଏହା ତ ଗଲା ଅପରିପକ୍ୱ, କଷି ସଜନା ବିକ୍ରୟ ପ୍ରସଙ୍ଗ । ଏହାବାଦ ସଜନା ପରିପକ୍ୱ ହେବାପରେ ଏହା କିଲୋପ୍ରତି ୧୦୦ ରୁ ୧୨୦ ଟଙ୍କାରେ ବିକ୍ରୟ ହୋଇଥାଏ ବଜାରରେ। ସ୍ଥାନୀୟ ଲୋକେ ଏହାକୁ ତରକାରୀ ଓ ଭଜା ଭାବରେ ଗ୍ରହଣ କରିଥାନ୍ତି। ସଜନାର ଔଷଧିୟ ଗୁଣ ମଧ୍ୟ ରହୁଥିବାରୁ ପରିବା ଭାବରେ ଅଞ୍ଚଳ ବାସୀଙ୍କ ନିକଟରେ ବେଶ ଚାହିଦା ରହିଥିବା ଦେଖିବାକୁ ମିଳେ। ଏଣୁ ସଜନା ଚାଷ ଏକ ଲାଭ ଦାୟକ ବ୍ୟବସାୟ ବୋଲି ଚାଷୀମାନେ ମତବ୍ୟକ୍ତ କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.