ରୁପ୍ରାରୋଡ ହାଇସ୍କୁଲରେ ନାହାନ୍ତି ହିନ୍ଦୀ ଶିକ୍ଷକ; ହୋଇନାହିଁ ଶିକ୍ଷାଦାନ – ହିନ୍ଦୀ ପରୀକ୍ଷା ଦେଲେ ଛାତ୍ରଛାତ୍ରୀ: ଅସନ୍ତୋଷ ବ୍ୟକ୍ତ କଲେ ଅଭିଭାବକ 

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ବିନା ହିନ୍ଦୀ ଶିକ୍ଷକ ଓ ବିନା ହିନ୍ଦୀ ଅଧ୍ୟୟନରେ ମାଟ୍ରିକ ବୋର୍ଡରେ ହିନ୍ଦୀ ପରୀକ୍ଷା ଦେଇଛନ୍ତି ରୁପ୍ରାରୋଡ ହାଇସ୍କୁଲର ଛାତ୍ରଛାତ୍ରୀ। ଏହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରି ଅଭିଭାବକ ଅନିଲ କୁମାର ଅଗ୍ରୱାଲଙ୍କ ନେତୃତ୍ୱରେ ଦିଲୀପ କୁମାର ସା, ପ୍ରମୋଦ ପାଢୀ, ସୁରେଶ ପାଢୀ, ଗଣେଶ ମାଝୀଙ୍କ ସମେତ ୨୦ ରୁ ଉର୍ଦ୍ଧ୍ୱ ଅଭିଭାବକ ନର୍ଲା ହାଇସ୍କୁଲ ନୋଡାଲ କେନ୍ଦ୍ର ମୁଖ୍ୟ ଗେଟ ବାହାରେ ସାମ୍ବାଦିକ ସମ୍ମିଳନୀ କରି ଏଥିପାଇଁ ଶିକ୍ଷା ବିଭାଗକୁ ଦାୟୀ କରିଛନ୍ତି। ସାରା ରାଜ୍ୟରେ ଚାଲିଛି ମ୍ୟାଟ୍ରିକ ବୋର୍ଡ ପରୀକ୍ଷା। ଏହି କ୍ରମରେ ନର୍ଲା ପଞ୍ଚାୟତ ସମିତି ସରକାରୀ ହାଇସ୍କୁଲରେ ମ୍ୟାଟ୍ରିକ ପରୀକ୍ଷା ଦେଉଛନ୍ତି ୧୮୨ ଜଣ ଛାତ୍ରଛାତ୍ରୀ। ଏହି କେନ୍ଦ୍ରରେ ରୁପ୍ରାରୋଡ ହାଇସ୍କୁଲ ଛାତ୍ରଛାତ୍ରୀ ମଧ୍ୟ ପରୀକ୍ଷା ଦେଉଛନ୍ତି। ସୋମବାର ହିନ୍ଦୀ ବିଷୟର ପରୀକ୍ଷା ରହିଥିଲା। ରୁପ୍ରାରୋଡ ହାଇସ୍କୁଲର ହିନ୍ଦୀ ଶିକ୍ଷୟତ୍ରୀ ରୀନା ପଣ୍ଡା ଗତ ୩୦ ଅପ୍ରେଲ ୨୦୦୪ ରେ ଅବସର ଗ୍ରହଣ କରିସାରିଥିବା ବେଳେ ତାଙ୍କ ସ୍ଥାନରେ ଶିକ୍ଷା ବିଭାଗ ଅଦ୍ୟାବଧି ଉକ୍ତ ହାଇସ୍କୁଲରେ ହିନ୍ଦୀ ଶିକ୍ଷକ ନିଯୁକ୍ତି ଦେଇ ନାହାନ୍ତି। ଏହାକୁ ନେଇ ଅଭିଭାବକ ମାନେ ହିନ୍ଦୀ ଶିକ୍ଷକ ଅବସର ନେବା ପରଠୁଁ ବ୍ଲକ ଶିକ୍ଷାଧିକାରୀ, ଜିଲ୍ଲା ଶିକ୍ଷାଧିକାରୀଙ୍କୁ ରୁପ୍ରାରୋଡ ହାଇସ୍କୁଲରେ ହିନ୍ଦୀ ଶିକ୍ଷକ ଦେବାପାଇଁ ବାରମ୍ବାର ଲିଖିତ ଗୁହାରୀ କରି ଆସିଥିଲେ ମଧ୍ୟ ସେମାନଙ୍କ ଅନୁରୋଧ ଅରଣ୍ୟ ରୋଦନ ସାଜିଥିଲା। ଆଜି ଶିକ୍ଷକ ଦେବୁ, ଆର ମାସରେ ଦେବୁ କହି କହି ଦୁଇବର୍ଷ ହେବାକୁ ବସିଲାଣି ହେଲେ ବିଭାଗ ହିନ୍ଦୀ ଶିକ୍ଷକ ଦେଲାନି। କିମ୍ବା ଡେପୁଟେସନରେ ମଧ୍ୟ କୌଣସୀ ହିନ୍ଦୀ ଶିକ୍ଷକଙ୍କୁ ରୁପ୍ରାରୋଡ ବିଦ୍ୟାଳୟକୁ ପଠାଇଲା ନାହିଁ। ବିଦ୍ୟାଳୟରେ ହିନ୍ଦୀ ଶିକ୍ଷକ ନଥିବା ଯୋଗୁଁ ବର୍ଷସାରା ପିଲାଙ୍କୁ ହିନ୍ଦୀ ପାଠ ପଢା ହୋଇନି। ହିନ୍ଦୀ ଭାଷା ପ୍ରତି ସ୍ୱତନ୍ତ୍ର ଋଚି ରଖି ହିନ୍ଦୀ ପଢୁଥିବା ରୁପ୍ରାରୋଡର ଛାତ୍ରଛାତ୍ରୀ ମାନେ ନିରାଶ ହୋଇଛନ୍ତି। ଏହି ମ୍ୟାଟ୍ରିକ ବୋର୍ଡ ପରୀକ୍ଷାରେ ଛାତ୍ରଛାତ୍ରୀ ଭଲ ନମ୍ବର ରଖି ନପାରିବା ସ୍ୱାଭାବିକ କଥା ବୋଲି ଅଭିଭାବକ ଅଭିଯୋଗ ଆଣି ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସରକାର ଓ ଶିକ୍ଷା ବିଭାଗକୁ ଉତ୍ତର ଦାଇ କରିବା ସହ ଓଡିଶା ହାଇକୋର୍ଟରେ ଏହାକୁ ନେଇ ଜନସ୍ୱାର୍ଥ ମାମଲା ଦାଏର କରିବେ ବୋଲି ସୂଚନା ଦେଇଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.