ଅବସର ନେଲେ କମର୍ଦ୍ଧା ସ୍କୁଲର ପ୍ରଧାନଶିକ୍ଷୟିତ୍ରୀ: ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ସମ୍ବର୍ଦ୍ଧନା : ଶିକ୍ଷା ବିଭାଗ ପକ୍ଷରୁ ଫାଇନାଲ ପେନସନ କାଗଜାତ ହସ୍ତାନ୍ତର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ କମର୍ଦ୍ଧାସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଅର୍ଚ୍ଚନା ମିଶ୍ର ନିଜ ଚାକିରୀ ଜୀବନରୁ ଅବସର ଗ୍ରହଣ କରିଛନ୍ତି। ଶ୍ରୀମତୀ ମିଶ୍ର ଅବସର ନେବା ଦିନ ହିଁ ଲାଞ୍ଜିଗଡ଼ ବ୍ଲକ ଶିକ୍ଷା ବିଭାଗ ପକ୍ଷରୁ ତାଙ୍କୁ ଅବସରକାଳୀନ ସମସ୍ତ କାଗଜାତ ଓ ଫାଇନାଲ ପେନସନ ସମ୍ପର୍କିତ ଦସ୍ତାବେଜ ହସ୍ତାନ୍ତର କରାଯାଇଥିଲା। ପୂର୍ବାହ୍ନରେ ଲାଞ୍ଜିଗଡ଼ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ବିଶ୍ୱନାଥପୁରଠାରେ ଅନୁଷ୍ଠିତ ନିରାଡମ୍ବର କାର୍ଯ୍ୟକ୍ରମରେ ଗୋଷ୍ଠୀ ଶିକ୍ଷାଧିକାରୀ ଋଷିଆ ମେହେର, ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଭାରତ ଭୂଷଣ ସାହୁ ପ୍ରମୁଖ ଉପସ୍ଥିତ ରହି କାଗଜାତ ହସ୍ତାନ୍ତର କରିଥିଲେ। ଏହାପରେ ଶ୍ରୀମତୀ ମିଶ୍ରଙ୍କ ଉଦ୍ଦେଶ୍ୟରେ ସ୍କୁଲ ପରିସରରେ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ମସ୍କାଗୁଡା କ୍ଳଷ୍ଟର ସଂଯୋଜକ ପ୍ରକାଶ ପ୍ରଧାନଙ୍କ ତତ୍ୱାବଧାନରେ ସ୍କୁଲ ପରିଚାଳନା କମିଟି ଓ ସହକର୍ମୀମାନଙ୍କ ସହିତ ଛାତ୍ରଛାତ୍ରୀ ଓ ଗ୍ରାମବାସୀ ତାଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ। ଏହାପରେ ଲାଞ୍ଜିଗଡ଼ ରୋଡ଼ସ୍ଥିତ ବାସଭବନକୁ ଶୋଭାଯାତ୍ରାରେ ପାଛୋଟି ନେଇଥିଲେ। ଲାଞ୍ଜିଗଡ଼ ରୋଡ଼ଠାରେ ପହଞ୍ଚିବା କ୍ଷଣି ତାଙ୍କୁ ବାଜାବାଣ ରୋଷଣୀ ସହିତ ଏକ ବିଶାଳ ଶୋଭାଯାତ୍ରାରେ ପାଛୋଟି ନିଆଯାଇଥିଲା। ଏହାପରେ ଲାଞ୍ଜିଗଡ଼ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଅତିଥି ଭାବେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘର ରାଜ୍ୟ ସଭାପତି ଧୀରେନ୍ଦ୍ର କୁମାର ପଟ୍ଟନାୟକ, ଜିଲ୍ଲା ସାଧାରଣ ସମ୍ପାଦକ ଅଜିତ କୁମାର ନାଏକ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାରତ ଭୂଷଣ ସାହୁ, ଲାଞ୍ଜିଗଡ଼ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ପ୍ରମୋଦ କୁମାର ମହାନ୍ତି, ସାଧାରଣ ସମ୍ପାଦକ ଏମ. ସୁନ୍ଦର ଶେଖର, ବରିଷ୍ଠ ନାଗରିକ ଟି. ଆପଲା ରାଜୁ, ଦୀପକ କୁମାର ମହାପାତ୍ର, ପୂର୍ବତନ ସରପଞ୍ଚ ଟଙ୍କଧର ମାଝୀ, ଶ୍ରୀମତୀ ମିଶ୍ରଙ୍କ ସ୍ୱାମୀ ମନୋଜ କୁମାର ରାଉତ ପ୍ରମୁଖ ମଞ୍ଚାସୀନ ଥିଲେ। ରାଉତ ପରିବାରର ଅନ୍ୟତମ ସଦସ୍ୟ ପ୍ରବୀଣ କୁମାର ରାଉତ ସ୍ୱାଗତ ଅଭିଭାଷଣ ଦେଇଥିବାବେଳେ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ଉପଦେଷ୍ଟା ତପନ କୁମାର ଭୋଇ ସଭା ପରିଚାଳନା କରିଥିଲେ। ଏହି ଅବସରରେ ସଂଘର ଜିଲ୍ଲାସ୍ତରୀୟ ସମସ୍ତ କର୍ମକର୍ତ୍ତାଙ୍କ ସହିତ ବ୍ଲକସ୍ତରୀୟ ସଂଘର କର୍ମକର୍ତ୍ତା, କ୍ଳଷ୍ଟର ସଂଯୋଜକ, ଶିକ୍ଷକ, ଶିକ୍ଷୟିତ୍ରୀ, ତାଙ୍କ ସହକର୍ମୀ ଏବଂ ପରିବାର ଲୋକେ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.