✒️ଡ.ଅନ୍ନପୂର୍ଣ୍ଣା ଦାସ
ଏମିତି ଗୋଟେ ଦିନ ନାହିଁ, ଯୋଉଦିନ ବାପୁ ନାଁରେ ଘରକୁ ଅଭିଯୋଗ ଆସେନି। ଆଜି କାହାକୁ ମାଡ ତ କାଲି କାହା ସାଇକେଲ ପମ୍ପଚର, ପୁଣି ତା’ ପରଦିନ କାହା ବାଡିରୁ ପିଜୁଳି ଚୋରି। କେବେ କେବେ ସ୍କୁଲ ଖେଳଛୁଟି ବେଳେ ଝିଅମାନଙ୍କ ସାଇକେଲ ହ୍ୟାଣ୍ଡଲରେ ଚୁଇଁଗମ୍ ଲଗେଇ ମଜା ଦେଖିବାକୁ ଭାରି ଭଲପାଏ ସେ। ଗୋଟିଏ ବାକ୍ୟରେ କହିଲେ “ବାପୁଟା ଗୋଟେ ଡାହା ବାଳୁଙ୍ଗା, ଚାଲିଗଲା ଶଗଡ଼ରେ ହାତ ନମାରିଲେ ତା’ଭାତ ହଜମ ହୁଏନି।”
ଲୋକେ କହନ୍ତି: ପରମେଶ୍ବର ବାବୁ ଏତେ ସରଳ ଆଉ ଭଦ୍ର ମଣିଷ, ତାଙ୍କର ଯୋଉ ନାଁ ଟିକକ ଅଛି, ତାକୁ ପୋଡି ଖାଇବାକୁ ଏ ଟୋକାକୁ ବେଶୀ ଦିନ ଲାଗିବ ନାଇଁ।
ପୁଅ ପାଇଁ କେତେ କାହାକୁ କ୍ଷମା ନମାଗନ୍ତି ପରମେଶ୍ବର ବାବୁ! ପୁଅକୁ ବୁଝାନ୍ତି, ବେଳେବେଳେ ହାତ ଉଠେଇ ଦିଅନ୍ତି। ହେଲେ ‘ମତେ ଯେତେ ମାଠିବୁ ମାଠ, ମୁଁ ସେଇ ଦରପୋଡା କାଠ’। ପୁଅ ପାଖରେ କୌଣସି ସୁଧାର ଆସିବାର ଦେଖାଯାଏ ନାହିଁ। ସେ ବ୍ୟସ୍ତ ହେଇପଡ଼ନ୍ତି।-ଭାଗ୍ୟକୁ ନିନ୍ଦନ୍ତି।
ସ୍ତ୍ରୀ ଶୋଭାଦେବୀ କହନ୍ତି: ତୁମେ ଵ୍ୟସ୍ତ ହୁଅନା, ପିଲାବେଳେ ଛୁଆମାନେ କେତେ ଦୁଷ୍ଟ ହୁଅନ୍ତି, ବୁଦ୍ଧି ହେଇଗଲେ ଆପେ ସୁଧୁରି ଯାଆନ୍ତି।ଆମ ବାପୁଟାକୁ କେତେବା ବୟସ, ପିଲାଳିଆମି ସକାଶେ ଏମିତି ହଉଚି। ତମେ ଦେଖିବ ସେ ବଡ଼ ହେଇଗଲେ ବାଟକୁ ଚାଲିଆସିବ।
ସ୍ତ୍ରୀ କଥାରେ ଯେତିକି ଆସ୍ଥା ରଖନ୍ତି ପରମେଶ୍ବର, ସେତିକି ଭୟଭୀତ ହୁଅନ୍ତି ତାର ଭବିଷ୍ୟତ ପାଇଁ।
ସେଦିନ ସଞ୍ଜ ବେଳଟାରେ ନିଧି ସାହୁ ସ୍ତ୍ରୀ ଦାଣ୍ଡ ମଝିଟାରେ ବାପୁକୁ ଗୋଟେ ହାତରେ ଟାଣିଟାଣି ଆର ହାତଟି ଅଣ୍ଟାରେ ଦେଇ ସମ୍ପି-ସମ୍ପି ଆସି ପରମେଶ୍ବର ବାବୁଙ୍କ ଦୁଆର ମୁହଁରେ ରଡି ରଡି କହିଲା: ହଇରେ ପରମା, ମୁଁ ଏଇନା କଣ କରିବି କହ, କି ବିଛୁଆତି ଖଣ୍ଡେ ଜନମ କରିଛୁ ଯେ, କାହାକୁ ଟିକିଏ ଶାନ୍ତିରେ ରଖେଇ ଦଉନି। ତୋ ବାଳୁଙ୍ଗା ପୁଅ ମୋ’ ନାତିଟାକୁ ପଥର ପକେଇ ତା’ ମୁଣ୍ଡଟା ଫଟେଇ ଦେଇଚି, ତା ମୁଣ୍ଡରୁ ଧାରେ ଧାରେ ରକତ ନିଗିଡି ପଡୁଛି।
ପାଦ ରକ୍ତ ମୁଣ୍ଡକୁ ଉଠିଗଲା, ପରମେଶ୍ବର ବାବୁଙ୍କର। ବାପୁ ବାରଣ୍ଡାର ଗୋଟେ କଣରେ ଜାକିଜୁକି ହେଇ ଠିଆ ହେଇଥିଲା, ବାଡରୁ ପାଞ୍ଚ ହାତିଆ ଅମରି ଖଣ୍ଡେ ଭାଙ୍ଗି ପିଟିଦେଇ ଗଲେ। ମରିଗଲି ମରିଗଲି ବୋଲି ପାଟି କରି ତଳେ ଗଡିଯାଉଥିଲା ବାପୁ।
: ଆଜି ତତେ ନିସ୍ତାର ନାହିଁ। ଯା’ ମରିଯା’, ଆଉ ମୋର ଧୈର୍ଯ୍ୟ ନାହିଁ। କେତେ ଶୁଣିବି ଆଉ ତୋ ପାଇଁ, କେତେ ଆଉ ଭୁଲ୍-କାଇଲି ମାଗୁଥିବି?
ସମସ୍ତେ ଦେଖୁଥିଲେ ହେଲେ କେହି ଛଡେଇବାକୁ ଆସିଲେ ନାହିଁ। ସ୍ତ୍ରୀ ଶୋଭାଦେବୀ ଆସି ସ୍ୱାମୀଙ୍କ ଗୋଡ଼ ଧରି ନେହୁରା ହେଲେ ପୁଅକୁ ଛାଡି ଦେବାକୁ। ତାଙ୍କ ଉପରେ ବି ଦି’ଚାରି ପାହାର ବସିଗଲା। ମାଆ ମନ। ସେ କାନ୍ଦି କାନ୍ଦି କହିଲେ: ଛାଡି ଦିଅ, ଆଉ ମାରନା। ପିଲାଟା ମୋର ମରିଯିବ। ତମ ଗୋଡ ଧରୁଛି, ନେହୁରା ହେଉଛି, ଛାଡିଦିଅ। ତମକୁ ଭଗବାନଙ୍କ ରାଣ।
ପରମେଶ୍ବର ବାବୁ ଅମରି ଖଣ୍ଡକ ଫୋପାଡ଼ି ଦେଇ ଗାଁ ମୁଣ୍ଡ ଆଡେ ଚାଲିଗଲେ। ଶୋଭାଦେବୀ ବାପୁକୁ ଘରକୁ ନେଇଗଲେ। ଦେହ ସାରା ମାଡ ବାଜି ନୋଳା ଫାଟି ଯାଇଛି। ଆହା କେତେ କାଟୁଥିବ!
: ମୁଁ ମରି ଯାଆନ୍ତି କି ,ଏସବୁ ଦେଖିବା ଆଗରୁ। କାଇଁ ଏମିତି ହଉଛୁରେ? କେବେ ଆଉ ବୁଝିବୁ!
ଟିକିଏ ଉଷୁମ କ୍ଷୀର ପିଆଇ ମଲମ ଲଗେଇ ପୁଅକୁ ଶୁଆଇ ଦେଲେ।ବାପୁ ବି ସେଯାଏ ହେଙ୍କା ଉଠଉ ଥାଏ।
କିଛି ସମୟ ପରେ ବାପୁର ବାପା ଘରକୁ ଆସିଲେ। ଆଖି ଦି’ଟା ଲାଲ ହେଇ ଫୁଲି ଯାଇଛି। ପିଲାକୁ ମାଆ ମାରେ, ପୁଣି ସାଙ୍ଗେ ସାଙ୍ଗେ କୋଳେଇ ନିଏ, ଢେର କାନ୍ଦେ।ହେଲେ ବାପାଟିଏ ଶାସନ ପାଇଁ ଯେତେବେଳେ ପିଲାକୁ ମାରେ, ତାକୁ ବି କଷ୍ଟ ହୁଏ। ହେଲେ ତା’ କଷ୍ଟକୁ ସେ ନିଜ ଭିତରେ ଚାପି ରଖେ।ବାପାର କଠୋରତା ଖୋଳପାରେ ନିଜକୁ ଘୋଡେଇ ରଖେ। ହେଲେ ସମସ୍ତଙ୍କ ଅଜାଣତରେ ଆଖିର ଲୁହ ପୋଛେ।
ରୋଷେଇ ସାରି ଶୋଭାଦେବୀ କହିଲେ: ଖାଇବ ଆସ।
: ସେ ଖାଇଚି?
: ନା’ ଖାଲି ଟିକିଏ କ୍ଷୀର ପିଇ ଶୋଇଛି।
: ତାକୁ ଡାକ।
ବାପୁ ଆସି ଧୀରେ ବାପାଙ୍କ ପାଖରେ ବସିଲା। ସବୁଦିନ ରାତିରେ ସେ ବାପାଙ୍କ ସହ ଖାଏ। ଆଜି କିନ୍ତୁ ବହୁତ ଡରିକି ବସିଛି, ମୁହଁଟା ଶୁଖି ଯାଇଛି।
ଆଖିରେ ଏବେ ବି ଲୁହ ଗୁଡା ଢଳଢଳ ହଉଛି। ତା’ ବାପା ଆଖିରୁ ଲୁହ ପୋଛି ଦେବାକୁ ହାତ ବଢେଇଲେ, ବାପୁ ରାଗ ଅଭିମାନରେ ଘୁଞ୍ଚିଗଲା।
: ତୁ କେଡ଼େ ଭାଗ୍ୟବାନରେ ବାପୁ ।ତୋର ବାପାଟିଏ ଅଛି। ତୁ ଭୁଲ୍ କଲେ, ସେ ତୋ ପାଇଁ କ୍ଷମା ମାଗି ନଉଛି। ତୁ ଝୁଣ୍ଟି ପଡ଼ିଲେ, ସେ ତୋ ହାତ ଧରି ନଉଛି। ତୁ ଜିଦି କଲେ ସେ ତୋ ପାଇଁ ଆକାଶରୁ ଚାନ୍ଦ ତୋଳୁଛି।ତୋର ବାପ ଅଛି ବୋଲି ତତେ ଶାସନ କରି ଭଲ ବାଟ ଦେଖେଇ ଦଉଛି।
ହେଲେ ଏ ଭାଗ୍ୟ ତୋ ହତଭାଗ୍ୟ ବାପାର ନଥିଲା ରେ। ବାପା କେମିତି ଜାଣିବା ଆଗରୁ ମୁଁ ବାପଛେଉଣ୍ଡ ହେଇଥିଲି। ମୋର ହେତୁ ହେବା ଦିନରୁ ମୋ’ ମାଆ କାନେ କାନେ ବୁଝାଏ: ବାପରେ ତୋ ଘୋଡ଼ା ଚଢା ବାପ ନାହିଁ, ମୁଁ ଧାନ କୁଟୁଣୀ ମାଆ, ତୋ ମୁହଁକୁ ଚାହିଁ ଏ ଜୀବନ କାଟିବି ସିନା, ତୁ ବୋଲଣା ହବୁନି, ନହେଲେ ସମସ୍ତେ କହିବେ, ବେମୁରୁବାଟା। ବାପ ଥିଲା ପୁଅ ସଭାରେ ହାରେନି, ଧନରେ ଭୁଲକାଇଲି କରି ସଭାରେ ନ୍ୟାୟ ବସିଲେ ତତେ ମୁକୁଳେଇ ଆଣିବାକୁ କେହି ନାହିଁ। ହାତେ ମାପି ଚାଖେଣ୍ଡରେ ଚାଲିବୁରେ ବାପ।
ଖାଲି ମୋର ବାପା ନଥିଲେ ବୋଲି ମୁଁ ସବୁ ଇଚ୍ଛାକୁ ମାରି ଦେଇଥିଲି। ମୁଁ ଦୁଷ୍ଟାମୀ କଣ ଜାଣିନି, ଖେଳଣା କଣ ଦେଖିନି। ଭଲ କାମ କଲେ ମୋ ପାଇଁ ଛାତି ଫୁଲେଇ ଗର୍ବିତ ହେବା ବାପକୁ ମୁଁ ପାଇନି।
ଏତିକି କହି ସାରିବା ବେଳକୁ ପରମେଶ୍ବର ବାବୁଙ୍କ କଣ୍ଠ ରୁଦ୍ଧ ହେଇ ଯାଉଥିଲା। କୋହଭରା କଣ୍ଠରେ କହିଲେ: ତୋ ପାଖରେ ସବୁ ଥାଇ ତୁ ଆଜି……
ବାପୁ ଗୁମ୍ ହେଇ ସବୁ ଶୁଣୁଥିଲା। ବୋଧହୁଏ ତା’ବାପା ତାକୁ କଣ କହିବାକୁ ଚାହୁଁଛନ୍ତି ସେ ଠିକ୍ ବୁଝି ପାରିଥିଲା। ଦୁଇ ହାତରେ କାନ ଧରି ତା’ବାପାଙ୍କୁ ଧୀରେ ଚାହିଁଲା। ଆଖିରୁ ଖସି ପଡୁଥିଲା ମୁକ୍ତା ପରି ଲୁହ ସବୁ।
ବରିଷ୍ଠ ଅଧ୍ୟାପିକା
ଏସ୍.ଏ.ବି. ଡିଗ୍ରୀ କଲେଜ
କୋଟଗଡ଼, କନ୍ଧମାଳ