୪ବର୍ଷ ହେଲା ନିର୍ମାଣଧୀନ କାର୍ଯ୍ୟ ଶେଷ ହେବାର ନାଁ ଧରୁନି
କୁଟିଙ୍ଗଗୁଡା ନାଳ ସେତୁ ନିର୍ମାଣ କାର୍ଯ୍ୟ ତୁରନ୍ତ ଶେଷ କରିବାକୁ ସରକାର ଧ୍ୟାନ ଦିଅନ୍ତୁ –ବିଧାୟକ ମକରନ୍ଦ ମୁଦୁଲି
ରାୟଗଡ,୨୧/୭: କେବେ ସରିବ କୁଟିଙ୍ଗଗୁଡା ସେତୁ ନିର୍ମାଣ କାର୍ଯ୍ୟ? ଅଧାରେ ଅଟିକିଛି ରାୟଗଡ ଜିଲ୍ଳା ସଦର ମହକୁମାରୁ କାଶିପୁର ବ୍ଳକକୁ ଯାଉଥିବା ମୁଖ୍ୟ ରାସ୍ତାର ତୟାପୁଟ ଗ୍ରାମ ନିକଟରେ ଥିବା କୁଟିଙ୍ଗଗୁଡା ନାଳ ଉପରେ ନିର୍ମାଣ ହେଉଥିବା ସେତୁ । ଏହି ସେତୁ କାର୍ଯ୍ୟ ଗତ ୨୦୧୬ବର୍ଷ ଠାରୁ ଆରମ୍ଭ ହୋଇଥିିଲେ ସୁଦ୍ଧା ଦୀର୍ଘ ୪ବର୍ଷ ହେବ ଅସଂପୂର୍ଣ୍ଣ ଅବସ୍ଥାରେ ପଡି ରହିଛି ଏବଂ ଏଯାବତ୍ ଶେଷ ହେବାର ନାଁ ଧରୁନି । ଅପରପକ୍ଷେ ପୂର୍ତ ବିଭାଗ କିମ୍ବା ଜିଲ୍ଳା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି । ଫଳରେ ଏ ରାସ୍ତା ଉପରେ ନିର୍ଭର କରୁଥିବା ସାଧାରଣ ଜନତା ନାହିଁ ନ ଥିବା ଅସୁବିଧାର ସମ୍ମୁଖନୀ ହେଉଥିବା ଅଭିଯୋଗ କରୁଛନ୍ତି । ପଡୋଶୀ କୋରାପୁଟ ଓ କଳାହାଣ୍ଡି ସମେତ କାଶିପୁର ବ୍ଳକକୁ ରାୟଗଡ ଜିଲ୍ଳା ସଦର ମହକୁମା ସହ ଯୋଡୁଛି ଏହି କୁଟିଙ୍ଗଗୁଡା ନାଳ ସେତୁ । ଯାହାକୁ କାଶିପୁରର ଲାଇଫଲାଇନ ମଧ୍ୟ କୁହାଯାଉଛି । ରାୟଗଡ ଜିଲ୍ଳା ପୂର୍ତ ବିଭାଗ ତରଫରୁ କୁଟିଙ୍ଗଗୁଡା ନାଳ ଉପରେ ଥିବା ପୁରୁଣା ପୋଲ ଅତି ସଂକୀର୍ଣ୍ଣ ତଥା ବିପଦପୂର୍ଣ୍ଣ ଅବସ୍ଥାରେ ରହିଥିବାରୁ ଏହି ନାଳ ଉପରେ ୫୧ମିଟର ଲମ୍ବ’ର ଏକ ଉଚ୍ଚସ୍ତରୀୟ ସେତୁ ନିର୍ମାଣ କରିବା ପାଇଁ ବିଭାଗ ତରଫରୁ ୨୦୧୬ ବର୍ଷରେ ୩କୋଟି ୬୯ଲକ୍ଷ ୬୭ହଜାର ଟଙ୍କା ବ୍ୟୟ ଅଟକଳରେ ଟେଣ୍ଡର ଆହ୍ୱାନ କରାଯାଇଥିଲା । କାଶିପୁର ବ୍ଳକ କୁଚେଇପଦର ଗ୍ରାମର ଠିକାଦାର ଗଜେନ୍ଦ୍ର ନାୟକ ଏହି ସେତୁ ନିର୍ମାଣ କାର୍ଯ୍ୟ ନିମନ୍ତେ ଟେଣ୍ଡର ପାଇଥିଲେ । ୨୦୧୬ବର୍ଷର ସେପ୍ଟେମ୍ବର ୧ତାରିଖରୁ କାର୍ଯ୍ୟାରମ୍ଭ ଓ ୨୦୧୭ ନଭେମ୍ବର ୩୦ତାରିଖରେ ଏହି ସେତୁର ନିର୍ମାଣ କାର୍ଯ୍ୟ ଶେଷ କରାଯିବାର ସମୟ ସୀମା ରହିଥିଲା । ଟେଣ୍ଡର ପାଇବା ପରେ ଠିକାଦାର ଜଣକ ସେତୁ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ । ସେତୁ ନିର୍ମାଣ କାର୍ଯ୍ୟର ସମୟସୀମା ଏକ ବର୍ଷ ବିତିଯାଇଥିଲେ ମଧ୍ୟ ସେତୁଟି ସଂପୂର୍ଣ୍ଣ ହୋଇ ପାରି ନ ଥିବା ବେଳେ ନାଳର ଉଭୟ ପାଶ୍ୱର୍ରେ ଦୁଇଟି ଆବୁଟମେଂଟ ସହ ଗୋଟିଏ ସ୍ଳାବ ପଡିବା ପର୍ଯ୍ୟନ୍ତ କାର୍ଯ୍ୟ ଶେଷ କରାଯାଇ ଏହି ବାବଦକୁ ୨କୋଟି ୪୭ଲକ୍ଷ ୭୦ହଜାର ଟଙ୍କାର ବିଲ କରାଯାଇ ସାରିଛି । ତେବେ ଆଉ ଗୋଟିଏ ସ୍ଳାବ ନ ପଡିବା ହେତୁ ସେତୁଟି ଅସଂପୂର୍ଣ୍ଣ ଅବସ୍ଥାରେ ଦୀର୍ଘ ବର୍ଷ ହେବ ପଡି ରହିଛି । ଫଳରେ ଲୋକେ ବାଧ୍ୟ ହୋଇ ବିପଦସଙ୍କୁଳ ଅବସ୍ଥାରେ ଥିବା ପୁରୁଣା ପୋଲ ଉପରେ ପୁଣି ଥରେ ନିର୍ଭର କରି ଆସୁଛନ୍ତି ।
ଅପରପକ୍ଷେ ମିଳିଥିବା ସୂଚନା ପ୍ରକାରେ ଭୁବନେଶ୍ୱର ସମେତ ରାଜ୍ୟର ଅନ୍ୟ କିଛି ସ୍ଥାନରେ ସେତୁଗୁଡିକ ଭୂଶିଡିବା ପରେ ରାଜ୍ୟ ପୂର୍ତ ବିଭାଗ ତରଫରୁ ରାଜ୍ୟରେ ଚାଲିଥିବା ସେତୁ ନିର୍ମାଣ କାର୍ଯ୍ୟଗୁଡିକର ସଠିକ୍ ତଦାରଖ ଏବଂ ଆବଶ୍ୟକ ପଡିଲେ ଏହାର ଡିଜାଇନ ବଦଳି କରି ସେତୁ ନିର୍ମାଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଏହି ମର୍ମରେ ପୂର୍ତ ବିଭାଗର ବଡ ବଡ ଇଂଜିନିୟର ଓ ଅଧିକାରୀମାନେ ରାୟଗଡ ଜିଲ୍ଳାରେ ନିର୍ମାଣଧୀନ ଅନେକ ସେତୁର ଅନୁଧ୍ୟାନ କରି ଡିଜାଇନ ବଦଳି କରିବା ସହ ଏଥି ନିମନ୍ତେ ଆବଶ୍ୟକ ପଡୁଥିବା ବଜେଟ୍ ରିପୋର୍ଟ ପଠାଇବାକୁ ନିର୍ଦ୍ଦେଶ ଦେଇ ଚାଲିଯାଇଥିଲେ । ରାୟଗଡ ଜିଲ୍ଳା ପୂର୍ତ ବିଭାଗ ତରଫରୁ ଡିଜାଇନ ଓ ଅଟକଳ ରିପୋର୍ଟ ପଠାଯାଇଥିଲେ ସୁଦ୍ଧା ସେଠାରୁ କୈାଣସି ମଂଜୁରୀ ଆସି ନ ଥିବାରୁ କାର୍ଯ୍ୟ ଅଗ୍ରଗତି ହେଉ ପାରୁ ନ ଥିବା ବିଭାଗୀୟ ଯନ୍ତ୍ରୀ ପ୍ରକାଶ କରିଛନ୍ତି ଏବଂ ମଂଜୁରୀ ଆସିଲେ ଆସନ୍ତା ୫/୬ମାସ ମଧ୍ୟରେ ସେତୁ ନିର୍ମାଣ କାର୍ଯ୍ୟ ଶେଷ ହୋଇଯିବ ବୋଲି ମଧ୍ୟ କହିଛନ୍ତି । ତେବେ ପୂର୍ତ ବିଭାଗର ବଡ ବଡ ଅଧିକାରୀମାନେ କେବେ ମଂଜୁରୀ ପ୍ରଦାନ କରିବେ ଏବଂ ଅଧପନ୍ତରିଆ ସେତୁ କାର୍ଯ୍ୟ କେବେ ଶେଷ ହେବ ତାହା ସମୟ ହିଁ କହିବ ।
ରାୟଗଡ ଜିଲ୍ଳାର ଏକ ବୃହତ ଶିଳ୍ପାନୁଷ୍ଠାନ ଉତ୍କଳ ଆଲୁମିନା କମ୍ପାନୀ କାଶିପୁର ବ୍ଳକ ଦୋରାଗୁଡା ଠାରେ ରହିଛି । ଶହ ଶହ ଭାରୀଯାନଗୁଡିକ ଏହି କମ୍ପାନୀର ମାଲ ପରିବହନ କ୍ଷେତ୍ରରେ ପ୍ରତ୍ୟେକ ଦିନ ଚଳାଚଳ କରୁଛନ୍ତି । ଫଳରେ କୁଟିଙ୍ଗଗୁଡା ନାଳ ଉପରେ ବିପଦପୂର୍ଣ୍ଣ ଅବସ୍ଥାରେ ଥିବା ପୁରୁଣା ସେତୁରେ କେବେ ଯେ ଅଘଟଣ ଘଟିଯିବ ସେତେବେଳେ କମ୍ପାନୀ ନା ପ୍ରଶାସନ ଦାୟୀ ରହିବେ ବୋଲି ବୁଦ୍ଧିଜୀବିମାନେ ଚର୍ଚ୍ଚା କରୁଛନ୍ତି । ଅପରପକ୍ଷେ କାଶିପୁରର ଲାଇଫଲାଇନ କୁହାଯାଉଥିବା ଏହି ସେତୁ’ର ନିର୍ମାଣ କାର୍ଯ୍ୟ ଯଥାଶୀଘ୍ର ସଂପୂର୍ଣ୍ଣ କରିବା ପାଇଁ ସରକାର ଧ୍ୟାନ ଦିଅନ୍ତୁ ବୋଲି ସ୍ଥାନୀୟ ବିଧାୟକ ମକରନ୍ଦ ମୁଦୁଲି ଦାବି କରିଛନ୍ତି ।
ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in