ବେଳାଭୂମି ଛାତିରେ
କେମିତି ଗଢାଯାଏ ଦୁଇ ହାତ, ଦୁଇଗୋଡ଼
କଲିଜା, ଆଉ ସଜ ପାନ ପତ୍ରର ଚିତ୍ର
ଜାଣି ପାରିଲିନି,
ଜାଣି ପାରିଲିନି
ଦୁଇଟି ନିଶ୍ୱାସର ମଧ୍ୟବର୍ତୀ ସମୟ ସବୁକୁ
କେମିତି ତୋ ନାଁରେ ଉଇଲନାମା କରିବି ??
କରି ପାରିବି !!
କହି ପାରିବି!!!
ସକାଳୁ ସକାଳୁ ଅଜଣା ପକ୍ଷୀର ଡ଼ାକରେ
ନିଦ ଭାଙ୍ଗେ, ସ୍ୱପ୍ନ ସବୁ ଭୁଲି ହେଇଯାଏ
ଭୁଲି ହେଇଯାଏ
ତୋର ଶେଷ ଚୁମା, ଓଠ ସନ୍ଧିର ତାତି
ମିଛ କହୁନି, ଦେଖିବୁ ଆ’
କାଲି ରାତି ବାରଟାରେ, ମୋ ପଶ୍ଚିମ କାନ୍ଥରେ
ଆତ୍ମହତ୍ୟା କରିସାରିଛି ପ୍ରଜାପତି
କବିତା ଲେଖିଛି ବୋଲି ନିଜେ ନିଜେ ଖାଲି ଖୁସି ହେଉଛି ସିନା
କୋଉ ଲେଖିପାରିଲି ଯେ, ପ୍ରେମପତ୍ର ଭଳି ଦୁଇଧାଡ଼ି କିଛି
ପ୍ରଥମ ଛୁଆଁର ଭାବ, ଛାତି ଭିତରର ନିଆଁ
ପାରିଲିନି ବୋଲି, ଆଜି ମୋର ଏଇ ଶେଷ କବିତା
ତୋ ପାଇଁ ଲେଖିଛି ଲୋ ପ୍ରେମିକ।। !! ଆ’ ଥରେ ପଢି ଦେଇ ଯା’…