ଲାଞ୍ଜିଗଡ: ବର୍ଷ ବର୍ଷ ଧରି ଜଳ ସଂକଟ ଲାଗିରହିଥିଲେ ମଧ୍ୟ ପ୍ରଶାସନର ଚେତା ପସୁନାହିଁ। ବସୁଧା ଯୋଜନା ଏଠି ଅପହଞ୍ଚ। ଦୂଷିତ ପାଣି ବ୍ୟବହାର କରି ଆସୁଛନ୍ତି ବିଜେପୁର ପଞ୍ଚାୟତର ସିନ୍ଧଭଟା ଗ୍ରାମବାସୀ। ଜନ ଆକ୍ରୋଷ ଏପରି ସ୍ଥିତିରେ ପହଁଞ୍ଚିଥିଲା ଯେଉଁଠି ସରପଞ୍ଚଙ୍କ ସମେତ ପଞ୍ଚାୟତ ଓ ବ୍ଲକ ଯନ୍ତ୍ରୀଙ୍କୁ ୬ ଘଣ୍ଟା କାଳ ଅଟକ ରହିବାକୁ ପଡ଼ିଥିଲା। ବସୁଧା ଯୋଜନାରେ ସାମିଲ କରିବା ଦାବିନେଇ ସରପଞ୍ଚ ଓ ଯନ୍ତ୍ରୀମାନଙ୍କୁ ଅଟକାଇ ରଖିଥିଲେ ସିନ୍ଧଭଟା ଗ୍ରାମବାସୀ। ପରେ ଲାଞ୍ଜିଗଡ ବିଡିଓ ଜିତେନ୍ଦ୍ର କୁମାର ମିଶ୍ର ଘଟଣା ସ୍ଥଳରେ ପହଞ୍ଚି ଜଳ ଯୋଗାଣ ପାଇଁ ପ୍ରତିଶ୍ରୁତି ଦେବା ପରେ ସମସ୍ତଙ୍କୁ ଛାଡିଥିଲେ।
ପ୍ରାପ୍ତ ସୂଚନା ଆଧାରରେ ଲାଞ୍ଜିଗଡ ବ୍ଲକ ବିଜେପୁର ପଞ୍ଚାୟତର ସିନ୍ଧଭଟା ଗାଁରେ ୬୫ଟି ପରିବାର ବାସ କରନ୍ତି। ଜନସଂଖ୍ୟା ୩ ଶହରୁ ଅଧିକ। ଗାଁର ମୁଖ୍ୟ ସମସ୍ୟା ହେଉଛି ପାନୀୟ ଜଳ। ପଞ୍ଚାୟତ ମୁଖ୍ୟାଳୟ ଠାରୁ ମାତ୍ର ୨ କିମି ଦୂରରେ ଥିବା ବେଳେ ବର୍ଷ ବର୍ଷ ଧରି ଏହି ଗାଁରେ ପାନୀୟଜଳର ସମସ୍ୟା ଲାଗିରହିଛି। ଗ୍ରାମରେ ୩ ଗୋଟି ନଳକୂପ ଅଛି କିନ୍ତୁ ମାର୍ଚ୍ଚ ମାସ ଆରମ୍ଭରୁ ନଳକୂପ ମାନଙ୍କରେ କମ ପରିମାଣରେ ପାଣି ବାହାରୁଛି।ଗୋଟିଏ ହାଣ୍ଡି ପାଣି ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡୁଥିବା ଗାଁ ଲୋକେ ପ୍ରକାଶ କରିଛନ୍ତି। ତେଣୁ ଗାଁ ନିକଟରେ ଥିବା କଲ୍ୟାଣି ନଦୀ କଡରେ ଏକ କୂଅରୁ ଦୂଷିତ ପାଣିକୁ ପାନୀୟ ଜଳ ରୂପେ ବ୍ୟବହାର କରୁଛନ୍ତି ଗାଁ ଲୋକେ। କୂଅର ପାଣି ଗୋଳିଆ ହୋଇଥିବାବେଳେ ନାନାଦି କୀଟ ପତଙ୍ଗ, ବନ୍ୟ ଜନ୍ତୁ, ଗୃହ ପାଳିତ ପ୍ରାଣୀ ଚଳପ୍ରଚଳ କରୁଛନ୍ତି।ସେହି ଦୂଷିତ ପାଣିକୁ ପାନୀୟ ଜଳ ଭାବେ ବ୍ୟବହାର କରୁଥିବାରୁ ଏମାନଙ୍କ ଶରୀରରେ ରୋଗ ଘରକରି ରହିଛି। ପ୍ରଶାସନ ନିକଟରେ ବାରମ୍ବାର ଗୁହାରି ପରେ ଗାଁରେ ନୂତନ ନଳକୂପ ଖୋଳା ଗଲା କିନ୍ତୁ ସେଠାରେ ମଧ୍ୟ ଠିକ୍ ଭାବେ ପାଣି ବାହାରୁ ନାହିଁ। ଏନେଇ ଗ୍ରାମବାସୀ ଗତ ୧୬ ତାରିଖ ଦିନ ଲାଞ୍ଜିଗଡ ବ୍ଲକ କାର୍ଯ୍ୟାଳୟକୁ ଯାଇ ବିଡିଓ ଜିତେନ୍ଦ୍ର ମିଶ୍ରଙ୍କୁ ପାଣିର ଅସୁବିଧାକୁ ନେଇ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ୧୭ ତାରିଖ ଦିନ ଗ୍ରାମରେ ଟେଙ୍କର ଦ୍ବାରା ଜଳ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇ ଥିବା ବେଳେ ଜଳ ଯୋଗାଣ ହୋଇନଥିଲା।
ତେଣୁ ଶନିବାର ଦିନ ଗାଁ ଲୋକେ ଦିନ ୩ ଘଣ୍ଟା ସମୟରେ ପ୍ରଥମେ ସ୍ଥାନୀୟ ସରପଞ୍ଚ ପୂର୍ଣ୍ଣଚନ୍ଦ୍ର ମାଝୀଙ୍କୁ ଗାଁକୁ ଡାକି ଅଟକ ରଖିଥିବା ବେଳେ ୪ ଘଣ୍ଟା ସମୟରେ ବିଜେପୁର ପଞ୍ଚାୟତ ନିର୍ବାହୀ ଅଧିକାରୀ ତାପସ ସାହୁ, ଯନ୍ତ୍ରୀ ପିତାମ୍ବର ହେମରମ ଓ ଯୋଗାଣ ସହାୟକ ଅରବିନ୍ଦ ମହାନ୍ତିଙ୍କୁ ଅଟକ ରଖିଥିଲେ। ପୁଣି ସନ୍ଧ୍ୟା ୫ ଟାରେ ବ୍ଲକ ଜଳଯୋଗାଣ ଦାଇତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ଦଶମନ୍ତ ମାଝୀଙ୍କୁ ଅଟକ ରଖିଥିଲେ।ପରେ ରାତ୍ର ୮ ଘଣ୍ଟା ସମୟରେ ଲାଞ୍ଜିଗଡ ବିଡିଓ ଶ୍ରୀ ମିଶ୍ର ଓ ବିଜୁଛାତ୍ର ଜିଲ୍ଲା ସାଧାରଣ ସମ୍ପାଦକ ପରୀକ୍ଷିତ ନାଏକ ଘଟଣା ସ୍ଥଳକୁ ଯାଇ ସୋମବାର ଦିନରୁ ଗ୍ରାମବାସୀଙ୍କୁ ପାନୀୟଜଳ ଯୋଗାଇ ଦେବାର ନିର୍ଭର ପ୍ରତିଶ୍ରୁତି ଦେବାପରେ ପ୍ରାୟ ୬ ଘଣ୍ଟା ପରେ ସରପଞ୍ଚ, ପଞ୍ଚାୟତ ତଥା ବ୍ଲକ ଯନ୍ତ୍ରୀଙ୍କୁ ଛାଡିଥିବା ବିଜେପୁର ସରପଞ୍ଚ ଶ୍ରୀ ମାଝୀ ପ୍ରକାଶ କରିଛନ୍ତି। ଗ୍ରାମରେ ବର୍ଷ ବର୍ଷ ଧରି ଜଳ ସଙ୍କଟ ଯୋଗୁଁ ଗ୍ରାମବାସୀ ବସୁଧା ଜଳ ଯୋଗାଣ ପାଇଁ ଦାବୀ କରିଛନ୍ତି। ତେଣୁ ଏହି ଗାଁର ସମସ୍ୟା ପ୍ରତି ପ୍ରଶାସନ ଓ ଜନ ପ୍ରତିନିଧି ମାନେ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି।
ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ସହ ଧର୍ମେନ୍ଦ୍ର ପଣ୍ଡାଙ୍କ ରିପୋର୍ଟ OdiaBarta.in