ରାୟଗଡ, (ଶିବ ନାରାୟଣ ଗୈାଡ): ଆଗାମୀ ଶିକ୍ଷା ବର୍ଷମାନଙ୍କରେ ଉଚ୍ଚଶିକ୍ଷା କେବଳ ଯୋଗ୍ୟତା ନ ହୋଇ ଏହା ସମାଜର କଲ୍ୟାଣ ଓ ଦେଶର ବିକାଶର ସର୍ବସ୍ୱ ହୋଇଯିବ । ତେଣୁ ସମସ୍ତ ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟସ୍ତରରେ ଗତାନୁଗତିକ ଶିକ୍ଷାକୁ ବାଦ ଦେଇ ନୂତନ ଶିକ୍ଷା ପଦ୍ଧତି ଦ୍ୱାରା ସମୟର ସଂଚୟ, କର୍ମ ନିୟୋଜକ, ବ୍ୟବହାର ଉପଯୋଗୀ ଏବଂ ଉପଭୋଗ୍ୟ ହୋଇପାରିବ ସେଥି ନିମନ୍ତେ ଏନସିସି ଭଳି ସମୟ ଉପଯୋଗୀ ପାଠ୍ୟକ୍ରମକୁ ଏକ ଇଚ୍ଛାଧୀନ ପାଠ୍ୟକ୍ରମ ଭାବେ ସାମିଲ କରିବା ପାଇଁ ସମସ୍ତେ ଆଗେଇ ଆସିଛନ୍ତି । ଆସନ୍ତା ୨୦୨୧-୨୨ଶିକ୍ଷା ବର୍ଷ ଠାରୁ ଏନସିସିକୁ ଇଚ୍ଛାଧୀନ ପାଠ୍ୟକ୍ରମରେ ସାମିଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଫଳରେ ବହୁ ଏନସିସି କ୍ୟାଡେଟମାନେ ଉପକୃତ ହୋଇପାରିବେ । ପୂର୍ବପରି ସେମାନଙ୍କୁ ଏଥି ନିମନ୍ତେ ଆଉ ଅଧିକ ପରିଶ୍ରମ କରିବାକୁ ପଡିବ ନାହିଁ ଏବଂ କଲେଜର କାର୍ଯ୍ୟ ନିର୍ଘଂଟ ସମୟରେ ହିଁ ଏନସିସି ପ୍ରଶିକ୍ଷଣ ନେଇପାରିବେ । ଏନସିସି ଏକ ଇଚ୍ଛାଧୀନ ପାଠ୍ୟକ୍ରମ ଭାବେ ଘୋଷଣା ହେବା ପରେ ମହାବିଦ୍ୟାଳୟସ୍ତରରେ କାର୍ଯ୍ୟରତ ଏନସିସି ଅଧିକାରୀମାନେ ବହୁତ ଉତ୍ସାହିତ ହୋଇଥିବା ଜଣାପଡିଛି । ଏତଦ୍ୱାରା ତାଲିମ ପାଇଁ ଅଧିକ ଅର୍ଥ ବ୍ୟବସ୍ଥା କରାଯାଇପାରିବ । ବର୍ତମାନ କେବଳ ଏନସିସି କ୍ୟାଡେଟମାନେ ପାଠ୍ୟକ୍ରମର ଏକ ଇଚ୍ଛାଧୀନ ବିଷୟ ଭାବେ ନେଇପାରିବେ, କିନ୍ତୁ ଆଗାମୀ ଦିନରେ ଅଣକାଟେଡମାନେ ମଧ୍ୟ ଏହି ବିଷୟକୁ ନେଇପାରିବେ ବୋଲି ଜଣାପଡିଛି । ୟୁଜିସି ଓ ବିଶ୍ୱବିଦ୍ୟାଳୟମାନଙ୍କ ଏପରି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଏନସିସି ଛାତ୍ରଛାତ୍ରୀଙ୍କୁ ଆହୁରି ଅଧିକ ଆର୍କଷିତ କରିପାରିବ ଏବଂ ଏନସିସି ପ୍ରଶିକ୍ଷଣ ଆହୁରି ସୁଦୃୃୃଢ ହୋଇପାରିବା ସହ ଏନସିସି ପାଠ୍ୟକ୍ରମକୁ ଗ୍ରହଣ କରି କ୍ୟାଡେଟମାନେ ଏକ ସୁସ୍ଥ,ଶିକ୍ଷିତ ଶୃଙ୍ଖଳିତ ସମାଜ ଗଠନ କରିପାରିବେ ବୋଲି ରାୟଗଡ ସ୍ୱଂୟ ଶାସିତ ମହାବିଦ୍ୟାଳୟର ଅଧ୍ୟାପକ ଉଦୟ ନାଏକ ମତପୋଷଣ କରିଛନ୍ତି ।





