କଳାହାଣ୍ଡି ଯୁବ ଓ ଛାତ୍ର ପରିଷଦ ପକ୍ଷରୁ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳନ

ଭବାନୀପାଟଣା: ବିଶ୍ୱ ତମାଖୁ ବର୍ଜନ ଦିବସ ଅବସରରେ କଳାହାଣ୍ଡି ଯୁବ ଓ ଛାତ୍ର ପରିଷଦ ତରଫରୁ ଭର୍ଚୁଆଲ ମାଧ୍ୟମରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। କଳାହାଣ୍ଡି ଯୁବ ଓ ଛାତ୍ର ପରିଷଦ ସଭାପତି ଅବିନାଶ ଠାକୁର ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହ ଆଲୋଚନାର ଆଲୋଚ୍ୟ ବିଷୟ ‘ତମାଖୁ ଛାଡ଼ିବା ପାଇଁ ପ୍ରତିଜ୍ଞା- ସମସ୍ତଙ୍କର ଲକ୍ଷ’ ଉପରେ ଆଭିମୁଖ୍ୟ ରଖିଥିଲେ। ଏହି ଓ୍ବେବିନାରରେ ଗାନ୍ଧିବାଦୀ ତଥା ଜାତୀୟ ଯୁବ ପ୍ରକଳ୍ପ ଓଡିଶାର ସଭାପତି ମଧୁସୂଦନ ଦାସ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ନିଶାମୁକ୍ତ ସମାଜ ଗଠନରେ ଯୁବ ପିଢ଼ି ଗୁରୁତ୍ୱପୂର୍ଣ୍ଣ ଓ ନିର୍ଣ୍ଣାୟକ ଭୂମିକା ନେଇ ପାରିବେ ବୋଲି କହିଥିଲେ। ତାଙ୍କ ମତରେ ତମାଖୁ ସେବନ ଶରୀର ପ୍ରତି କ୍ଷତିକାରକ ଥିଲେ ମଧ୍ୟ କିଛି ଲୋକେ ଜାଣି ଶୁଣି ଏହାକୁ ସେବନ କରୁଛନ୍ତି, ଆଉ କିଛି ଲୋକ ସଚେତନତାର ଅଭାବ ଯୋଗୁଁ ତମାଖୁର ଖରାପ ପ୍ରଭାବ ବିଷୟରେ ଜାଣି ନପାରି ସେବନ କରୁଛନ୍ତି। ଫଳରେ ବିଶ୍ବରେ କର୍କଟ ରୋଗୀଙ୍କ ସଂଖ୍ୟା ବଢିବାର ଲାଗିଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଅନୁସାରେ ପ୍ରତିବର୍ଷ ଭାରତରେ ପ୍ରାୟ ୧୦ ଲକ୍ଷ ଲୋକ ତମାଖୁ ସେବନ ଯୋଗୁଁ ପ୍ରାଣ ହରାଉଛନ୍ତି। ଯାହାକି ଯକ୍ଷ୍ମା, ଏଡସ ଓ ମ୍ୟାଲେରିଆ ରୋଗ ଜନିତ ମୃତ୍ୟୁ ଠାରୁ ଯଥେଷ୍ଟ ଅଧିକ। ଗ୍ଲୋବାଲ ଆଡଲ୍ଟ ତମାଖୁ ସର୍ଭେ ଇଣ୍ଡିଆ ୨୦୧୬-୧୭ ଅନୁଯାୟୀ ବିଶ୍ବରେ ତମାଖୁ ଉତ୍ପାଦନ ଏବଂ ବ୍ୟବହାରରେ ଭାରତ ଦ୍ବିତୀୟ ସ୍ଥାନରେ ରହିଛି। ଏଣୁ ବ୍ୟାପକ ଜନସଚେତନତା ସହ ବ୍ୟକ୍ତିଗତ ସଂଯମତା ଓ ଦୃଢ଼ ମନୋବଳର ଆବଶ୍ୟକତା ରହିଛି। ଭବାନୀପାଟଣା ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡଃ ଅଜୟ କୁମାର ମିଶ୍ର ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ତମାଖୁ ଖାଉଥିବା ବ୍ୟକ୍ତି କରୋନା ସଂକ୍ରମିତ ହୋଇ ମୃତ୍ୟୁବରଣର ଆଶଙ୍କା ଅଧିକ ରହିଥିବା କହିଥିଲେ। ତାଙ୍କ ମତରେ ସିଗାରେଟ୍ ଏବଂ ବିଡି ଧୂଆଁ କେବଳ ବ୍ୟକ୍ତି ଉପରେ ନୁହେଁ ବରଂ ଏହାର ଆଖପାଖରେ ରହୁଥିବା ଶିଶୁ, ମହିଳା ଏବଂ ବୃଦ୍ଧ ବ୍ୟକ୍ତିଙ୍କ ଉପରେ ମଧ୍ୟ ପ୍ରତିକୂଳ ପ୍ରଭାବ ପକାଇଥାଏ| ଫଳରେ ପିଲାମାନଙ୍କର ସ୍ମୃତି ଶକ୍ତି ହ୍ରାସ, ଶ୍ବାସ ରୋଗ, ଆଦି ରୋଗ ଦେଖାଦେଇଥାଏ। ଏପରିକି ଧୂମପାନକାରୀମାନେ କୋଭିଡ୍ ଭୂତାଣୁରେ ଅଧିକ ଆକ୍ରାନ୍ତ ହେବାର ସମ୍ଭାବନା ରହିଛି। ସିଗାରେଟରେ ବିଷାକ୍ତ ରାସାୟନିକ ପଦାର୍ଥ ମିଶ୍ରଣ ଥିବାରୁ ଶରୀରର ଅମ୍ଳଜାନ ବ୍ୟବହାର କରିବା କ୍ଷମତାକୁ ହ୍ରାସ କରିଥାଏ ଏବଂ ଏହା ରୋଗୀଙ୍କୁ ନିମୋନିଆ ହେବାର ମଧ୍ୟ ଆଶଙ୍କାକୁ ବୃଦ୍ଧି କରିଥାଏ। ସେହିପରି ଭବାନୀପାଟଣା ଅତିରିକ୍ତ ଜିଲ୍ଲା ଜନ ସ୍ବାସ୍ଥ୍ୟ ଅଧିକାରୀ ଡଃ ନିହାରେନ୍ଦ୍ର ପଣ୍ଡା ତମାଖୁ ସେବନରୁ କିପରି ମୁକ୍ତି ପାଇପାରିବା ସମ୍ପର୍କରେ ଆଲୋକପାତ କରିଥିଲେ। ସଠିକ୍ ଚିକିତ୍ସା ଏବଂ ଇଚ୍ଛାଶକ୍ତି ଶକ୍ତି ଦ୍ବାରା ଜଣେ ତମାଖୁ ସେବନରୁ ମୁକ୍ତି ପାଇପାରିବେ। ସେଥିପାଇଁ ବ୍ୟସ୍ତ ରହିବା ଅତ୍ୟନ୍ତ ଜରୁରୀ। ତେଣୁ ଏକାଗ୍ରତା ପାଇଁ ସକାଳେ ବ୍ୟାୟାମ ଓ ଧ୍ୟାନ କରିବା ଦରକାର। ଯାହାଫଳରେ ଧୂମ୍ରପାନ କରିବାର ଇଚ୍ଛାକୁ ଏଡାଯାଇପାରିବ। ଯଦି ଆପଣ ମଧ୍ୟ ଧୂମ୍ରପାନ କରିବାର ଅଭ୍ୟାସ ଛାଡିବାକୁ ଚାହାଁନ୍ତି, ତେବେ ଆପଣ ମହୁ ମଧ୍ୟ ବ୍ୟବହାର କରିପାରିବେ। କମଳା, ଲେମ୍ବୁ, ଆମଲା ଏବଂ ଆପଲ୍ ଖାଇ ତମାଖୁ ଅଭ୍ୟାସରୁ ମୁକ୍ତି ପାଇପାରିବେ। ଭିଟାମିନ୍ ସି ମଧ୍ୟ ନିକୋଟିନ୍ ସହିତ ଶରୀରକୁ ଡିଟକ୍ସାଇଜ୍ କରିଥାଏ ଏବଂ ଏହାର ଉଦ୍ଧୃତିକୁ ହ୍ରାସ କରିଥାଏ ବୋଲି ସେ କହିଛନ୍ତି। ସେହିପରି ଅନ୍ୟତମ ବକ୍ତା ତମାଖୁ ଯୋଦ୍ଧା ମହମ୍ମଦ ଇମ୍ରାନ ଅଲ୍ଲୀ ଛାତ୍ର ଓ ଯୁବକଙ୍କୁ ଅଧିକ ସଚେତନ କରାଯିବା ପାଇଁ ଗୁରୁତ୍ବାରୋପ କରିଥିଲେ। କୋଭିଡ୍ ପରେ କଳାହାଣ୍ଡି ଜିଲ୍ଲାର ସ୍କୁଲ ଓ କଲେଜ ସ୍ତରରେ ବକୃତା, ପ୍ରବନ୍ଧ ପ୍ରତିଯୋଗିତା ସହ ତମାଖୁ ମୁକ୍ତ ଘୋଷଣା କରିବା ପାଇଁ ଆହ୍ବାନ ଦେଇଥିଲେ। ଅନ୍ୟାନ୍ୟ ଅତିଥି ମାନଙ୍କ ମଧ୍ୟରେ କଳାହାଣ୍ଡି ବିଶ୍ବବିଦ୍ୟାଳୟର ଇଂରାଜୀ ଅଧ୍ୟାପକ କ୍ୟାପଟେନ ଜୟଦେବ ସାହୁ, ଟିଟିଲାଗଡ଼ ଡିଏଭି କଲେଜ ପୂର୍ବତନ ଅଧ୍ୟକ୍ଷ ଡଃ ଶିବରାମ ବେହେରା, ଅଧ୍ୟାପକ ସଞ୍ଜୟ ପୁରୋହିତ, ପଞ୍ଚାନନ ଦୁରିଆ, ସାମ୍ବାଦିକ ହୃଷିକେଶ ମିଶ୍ର, ମଣ୍ଟୁ ନାଏକ, ପ୍ରଣବ ଭୋକ୍ତା ନିଶା ନିବାରଣ ବିଷୟରେ ମତବ୍ୟକ୍ତ କରିଥିଲେ। ଶେଷରେ ଛାତ୍ର ନେତା ଅଜିତ କୁମାର ସାହୁ ସମସ୍ତ ଅତିଥି ଏବଂ ଜିଲ୍ଲା ତଥା ଜିଲ୍ଲା ବାହାରୁ ଯୋଗଦେଇ ଥିବା ଯୁବ ଛାତ୍ର ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.