କଳାହାଣ୍ଡି, (ନବୀନ କିଶୋର ସାହୁ) : ରିଷିଡା ପଞ୍ଚାୟତର ରାଜୀବ ଗାନ୍ଧି ସେବାକେନ୍ଦ୍ର ଠାରେ କର୍ଲାମୁଣ୍ଡା ବ୍ଲକ ବିଭିନ୍ନ ପଞ୍ଚାୟତର ରଥଯାତ୍ରା କମିଟିର ଦୁଇ ଜଣ ଲେଖାଏଁ କର୍ମକର୍ତ୍ତାଙ୍କ ଉପସ୍ଥିତରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜଗନ୍ନାଥ କଳାସଂସ୍କୃତି ସଙ୍କୀର୍ତ୍ତନ ସେବା ବିକାଶ ପରିଷଦ କଲାହାଣ୍ଡି ଜିଲ୍ଲା ସଭାପତି ଶୁଶାନ୍ତ ମଲ୍ଲିକଙ୍କ ଆହ୍ବାନ କ୍ରମେ ଆୟୋଜିତ ଉକ୍ତ ବୈଠକରେ ମୁଖ୍ଯ ଅତିଥି ଭାବେ କର୍ଲାମୁଣ୍ଡା ତସିଲଦାର ବାସନ୍ତୀ ସେଠୀ ଉପସ୍ଥିତ ରହି ରଥଯାତ୍ରାକୁ ନେଇ ରାଜ୍ଯ ସରକାରଙ୍କ ନିଷ୍ପତ୍ତି ଉପରେ ଆଲୋକପାତ କରିଥିଲେ। କରୋନା ଯୋଗୁଁ ଏବର୍ଷ କେବଳ ପୁରୀରେ ବିନା ଭକ୍ତରେ ରଥଟଣା ହେବ। ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ କୋଭିଡ୍ ନିୟମ ପାଳନ ପୂର୍ବକ କେବଳ ଜଗନ୍ନାଥଙ୍କ ନିତିକାନ୍ତି ହେବ, କିନ୍ତୁ ରଥଟଣା ବନ୍ଦ ରହିବ ବୋଲି ସେ ଉପସ୍ଥିତ ଲୋକଙ୍କୁ ବୁଝାଇଥିଲେ। ରିଷିଡା ସରପଞ୍ଚ ସରସ୍ୱତୀ ମାଝୀ ସୁପ୍ରିମକୋର୍ଟ ଜାରିକରିଥିବା କଟକଣାକୁ ସମସ୍ତେ ପାଳନ କରିବାପାଇଁ ଅନୁରୋଧ କରିଥିଲେ। ପରିଶେଷରେ ଗ୍ରାମ୍ୟ ଉନ୍ନୟନ ସଭାପତି ତଥା ସମାଜ ସେବୀ ପ୍ରେମାନନ୍ଦ ପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।