● ନିର୍ମାଣର ବର୍ଷକ ମଧ୍ୟରେ ରାସ୍ତାରୁ ଉଠିଛି ପିଚୁ, କାମକୁ ନେଇ ଉଠିଲା ପ୍ରଶ୍ନବାଚୀ
କୋକସରା: ଧର୍ମଗଡ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ଥିବା କୋକସରା ବ୍ଲକ ଜାତୀୟ ରାଜପଥ ନଂ୨୬ ଢ଼ାବା ଛକରୁ ବୋବାରିଆ ଗାଁ କୁ ସଂଯୋଗ କରୁଥିବା ଆର୍ଡି ରାସ୍ତା ଏବେ ଖାଲଖମାରେ ଭର୍ତ୍ତି ହୋଇ ଶୋଚନୀୟ ହୋଇ ପଡିଛି। ସୂଚନା ଅନୁସାରେ, ଧର୍ମଗଡ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ୨୦୨୦ ରେ ଏହି ରାସ୍ତା କାର୍ଯ୍ୟ ହୋଇଥିଲା। ହେଲେ ନିମ୍ନମାନର କାର୍ଯ୍ୟ ଯୋଗୁଁ ବର୍ଷକ ମଧ୍ୟରେ ରାସ୍ତାର ପିଚୁ ଉଠି ବଡ ବଡ ଖାଲଖମା ସୃଷ୍ଟି ହୋଇଛି ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଅଳ୍ପ ବର୍ଷା ହେଲେ ରାସ୍ତାର ଖାଳରେ ଆଣ୍ଠୁଏ ପାଣି ଜମା ହୋଇ ରହୁଛି। ଫଳରେ ଏହି ରାସ୍ତା ଦେଇ ଯାତାୟତ କରୁଥିବା ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ବ୍ଲକ ସଦର ମହକୁମାରୁ ମାତ୍ର ୩କିମି. ଦୂରରେ ଥିବା ଏହି ରାସ୍ତା ଟେମରା, ମହିମା, ଡୁଡୁକାଠେଙ୍ଗା ପଞ୍ଚାୟତ ସହ ବିଜୁ ଏକ୍ସପ୍ରେସ ୱେ ଏବଂ କଳାହାଣ୍ଡିର ଅନ୍ୟତମ ପର୍ଯ୍ୟଟନ ସ୍ଥଳି ଗୁଡାହାଣ୍ଡି ଡୋକରି ଚଞ୍ଚରାକୁ ସଂଯୋଗ କରୁଛି। ପ୍ରତିଦିନ ଏହି ରାସ୍ତା ଦେଇ ଶହ ଶହ ସଂଖ୍ୟା ରେ ଲୋକେ ଯାତାୟତ କରୁଥିବାବେଳେ ରାସ୍ତାର ଦୟନୀୟ ଅବସ୍ଥା ଯୋଗୁଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଲୋକେ ପ୍ରକାଶ କରିଛନ୍ତି। ରାସ୍ତା ସମସ୍ୟାକୁ ନେଇ ଗ୍ରାମବାସୀ ନେତା ମନ୍ତ୍ରୀ ଙ୍କ ସମେତ ବିଭାଗୀୟ ଅଧିକାରୀ ମାନଙ୍କୁ ଜଣାଇ ଆସୁଥିଲେ ବି ଏ ରାସ୍ତା ପ୍ରତି କାହାରି ନଜର ପଡୁ ନଥିବା ଅଭିଯୋଗ ହୋଇଛି। ଯଦି ଏହି ରାସ୍ତା ମରାମତି ଦିଗରେ ବିଭାଗୀୟ ଅଧିକାରୀ କିମ୍ବା ପ୍ରଶାସନ ଅଣଦେଖା କରନ୍ତି ତାହେଲ ଆନ୍ଦୋଳନ କରିବାକୁ ବାଧ୍ୟ ହେବୁ ବୋଳି ରୋହିତ ମାଝୀ, ଟେମରା ସମିତି ସଭ୍ୟ ରାଜେନ୍ଦ୍ର ନାଏକ, ରସିକ ରାଜ ପୁଝାରି, ଦିବ୍ୟଶଙ୍କର ରାଉତ, ଗୋପାଳ ମାଝୀ, ହିମାଦ୍ରୀ ଦଳପତି, ଋଷିମଣି ଲଦୁଆ ସମେତ ବୋବାରିଆ ଗ୍ରାମବାସୀ ଚେତାବନି ଦେଇଛନ୍ତି। ଏ ନେଇ ଧର୍ମଗଡ ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ ଆଶିଷ ସେଠିଙ୍କ ମତାମତ ନେବାରୁ ଅଳ୍ପ ଦିନ ମଧ୍ୟରେ ରାସ୍ତା ମରାମତି ହେବ ବୋଲି କହିଛନ୍ତି।
କୋକସରା ପ୍ରତିନିଧି ହିରଣ୍ୟ ବେହେରାଙ୍କ ରିପୋର୍ଟ OdiaBarta.in