● ରାଜ୍ୟ ସରକାରଙ୍କ ଉପରୁ ଆସ୍ଥା ହରେଇବାକୁ ବସିଲେଣି ଚାଷୀକୂଳ
● ଚାଷୀଙ୍କ କଟାକ୍ଷ – ଭାଙ୍ଗୁନି ନର୍ଲାର ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କ ନିଦ
କଳାହାଣ୍ଡି: (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲାର ନର୍ଲା ଏକ ଅଣ ଜଳସେଚିତ ଅଞ୍ଚଳ ହୋଇଥିବା ବେଳେ ଏଠିକାର ଚାଷୀ ଇନ୍ଦ୍ର ଦେବତାଙ୍କୁ ଭରଷା କରି ଚାଷ କରିଥାନ୍ତି । କାଁ ଭାଁ କେତେକ ଅଞ୍ଚଳ ରହିଛି ଯେଉଁଠି ଅଳ୍ପ ଟିକେ ଜଳସେଚିତ ହୋଇଥାଏ । ସେଥି ମଧ୍ୟରୁ ତୁଳାପଡା ଓ ଅସୁରଗଡ ଅନ୍ୟତମ । ତୁଳାପଡାରେ ରହିଛି ବଣାମୁଡା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ । ଏହି ପ୍ରକଳ୍ପ ଯୋଗୁଁ ତୁଳାପଡା, ସାଡିଙ୍ଗତରା ଓ ରତନପୁର ଭଳି ଅଳ୍ପ କେତେକ ଅଞ୍ଚଳର ୧୦୦ ଏକର ଜମି ଜଳସେଚିତ ହୋଇଥାଏ । ହେଲେ ଦୀର୍ଘ ଦିନରୁ ଦାବୀ ହୋଇ ଆସୁଥିବା ତୁଳାପଡା ବଣାମୁଡା ଜଳସେଚନ ପ୍ରକଳ୍ପରୁ ପଙ୍କ ଉଦ୍ଧାର ଓ ଆଉ ଟିକେ ଖନନ ତଥା ମରାମତି କଲେ ୧୫୦୦ ଏକରରୁ ଉର୍ଦ୍ଧ୍ବ ଚାଷ ଜମିକୁ ପାଣି ଲାଗିବା ସହିତ ଅଞ୍ଚଳ ଶସ୍ୟ ଶ୍ୟାମଳା ହୋଇ ପାରନ୍ତା ବୋଲି ଚାଷୀ ମାନେ ଅନେକ ଥର ରାଜ୍ୟ ସରକାରଙ୍କର ଜଳ ସମ୍ପଦ ବିଭାଗକୁ ଲେଖି ଜଣାଇଥିଲେ ।
ଗତ ୨୯ ଜାନୁୟାରୀ ୨୦୨୧ ବୁଧବାର ଦିନ ଓଡିଶା ସରକାରଙ୍କର ଜଳ ସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ କଳାହାଣ୍ଡି ଗସ୍ତରେ ଆସି ମ.ରାମପୁରର କେତେକ ଜଳସେଚନ ପ୍ରକଳ୍ପ ପରିଦର୍ଶନ କରିଥିଲେ । ନର୍ଲା ବ୍ଲକର ପ୍ରବେଶ ଦ୍ୱାରରେ ରହିଥିବା ତୁଳାପଡାର ରାଜ୍ୟ ରାଜପଥ ପାଶ୍ୱର୍ରେ ରହିଥିବା ଏହି ବଣାମୁଡା ସାଗର ଜଳସେଚନ ପ୍ରକଳ୍ପକୁ ମଧ୍ୟ ପରିଦର୍ଶନ କରିଥିଲେ ଜଳ ସମ୍ପଦ ମନ୍ତ୍ରୀ ଶ୍ରୀ ଦାସ । ନର୍ଲା ବିଧାୟକ ଭୁପିନ୍ଦର ସିଂ ନର୍ଲା ନିର୍ବାଚନ ମଣ୍ଡଳୀର ମ.ରାମପୁର, ନର୍ଲାର ତୁଳାପଡା ଓ ରେତ୍ ଜଳସେଚନ ପ୍ରକଳ୍ପକୁ ଜଳସମ୍ପଦ ମନ୍ତ୍ରୀଙ୍କୁ ନେଇ ଏହି ସବୁ ପ୍ରକଳ୍ପରେ ରହିଥିବା ବିଭିନ୍ନ ସମସ୍ୟା ଗୁଡିକ ଦେଖାଇବା ସହ ତୁଳାପଡା ବଣାମୁଡା କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ଉନ୍ନତିକରଣ କରାଗଲେ ତଳି ଅଞ୍ଚଳରେ ରହିଥିବା ତୁଳାପଡା, ସାଡିଙ୍ଗତରା, ରତନପୁର ପ୍ରଭୃତି ଗ୍ରାମର ଚାଷୀଙ୍କ ୧୫୦୦ ଏକର ଚାଷ ଜମିରେ ପାଣି ଲାଗି ପାରିବ ବୋଲି କହିବା ପରେ ଓଡିଶା ସରକାରଙ୍କ ଜଳ ସମ୍ପଦ ମନ୍ତ୍ରୀ ତୁଳାପଡା ବଣାମୁଡା ଜଳସେଚନ ପ୍ରକଳ୍ପ ଦେଖି ଏହାର ଉନ୍ନତି କରଣ ଓ ସୌନ୍ଦର୍ଯ୍ୟ କରଣ କରାଯିବ ବୋଲି କହିବା ସହିତ ଏହି ଉନ୍ନତି କରଣ ନିମନ୍ତେ ଯୋଜନା ପ୍ରସ୍ତୁତ କରିବା ପାଇଁ ଉପସ୍ଥିତ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ କଳାହାଣ୍ଡିଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ମନ୍ତ୍ରୀଙ୍କ ନର୍ଲା ଗସ୍ତ କାର୍ଯ୍ୟକ୍ରମ ସମୟରେ କ୍ଷୁଦ୍ର ଜଳସେଚନ ବିଭାଗ ନିର୍ବାହୀ ଅଧିକାରୀ, ଏସି ରମେଶ କୁମାର ସାବତ, ଏସଡିଓ ଦିଲୀପ କୁମାର ପଟ୍ଟନାୟକ, ନର୍ଲା କନିଷ୍ଠ ଯନ୍ତ୍ରୀ ସୌମ୍ୟରଞ୍ଜନ ମାଝୀ ପ୍ରମୁଖ ଉପସ୍ଥିତ ରହି ଜଳ ସମ୍ପଦ ମନ୍ତ୍ରୀଙ୍କୁ ବଣାମୁଡା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ବିଷୟରେ ସମସ୍ତ ତଥ୍ୟ ଅବଗତ କରାଇଥିଲେ । ହେଲେ ବର୍ଷା ଋତୁ ଆସି ଉପନୀତ, ଚାଷ ଋତୁ ଆରମ୍ଭ ହୋଇ ସାରିଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ମାନଙ୍କ ଉଦାସୀନତା ଓ ବେପରୁଆ ନୀତି ଯୋଗୁଁ ତୁଳାପଡା ବଣାମୁଡା କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ଉନ୍ନତିକରଣ ହୋଇପାରିନଥିବାରୁ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଏହି କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ଉନ୍ନତିକରଣ ପାଇଁ ବିଭାଗୀୟ ମନ୍ତ୍ରୀଙ୍କ ନିର୍ଭର ପ୍ରତିଶ୍ରୁତି ପରେ ମଧ୍ୟ କାମ ଉଧେଇ ନଥିବାରୁ ରାଜ୍ୟ ସରକାରଙ୍କ ପ୍ରତି ଚାଷୀଙ୍କ ବିଶ୍ୱାସ ତୁଟିବାରେ ଲାଗିଛି । ଆଗକୁ ପଞ୍ଚାୟତିରାଜ ନିର୍ବାଚନ ପାଇଁ ଏହା ପ୍ରହସନ ନୁହେଁତ ବୋଲି ଚାଷୀ ପ୍ରଶ୍ନ କରୁଛନ୍ତି ।
ରାଜ୍ୟ ସରକାରଙ୍କୁ ଚାଷୀଙ୍କ ସରକାର ବୋଲି କୁହା ଯାଉଥିବା ବେଳେ କଳାହାଣ୍ଡି ଜିଲ୍ଲା କ୍ଷୁଦ୍ର ଜଳସେଚନ ବିଭାଗର ଅଧିକାରୀମାନେ ଚାଷୀଙ୍କ ସେବା କରିବେ କ’ଣ ଓଲଟା ଚାଷୀ ମାରଣ ନୀତି ଆପଣାଉଥିବା ନର୍ଲା କୃଷକ ମହଲରେ ଚର୍ଚ୍ଚା ଓ ଆଲୋଚନା ହେଉଛି । କେବଳ ସେତିକି ନୁହଁ ନର୍ଲା ଏକ ଅଣ ଜଳସେଚିତ ଅଞ୍ଚଳ ହୋଇଥିବା ବେଳେ ନର୍ଲାରେ ରହିଥିବା ଗାଡିଆଯୋର କ୍ଷୁଦ୍ର ଜଳ ସେଚନ ଯୋଜନାର ନର୍ଲା ଆସିଥିବା କେନାଲ ସମ୍ପୂର୍ଣ୍ଣ ପୋତି ହୋଇ ସାରିଥିବା ବେଳେ ଚାଷ ସିଜନ ଆସି ଉପନୀତ, ହେଲେ ନର୍ଲାର ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କ ନିଦ ଏଯାଏଁ ଭାଙ୍ଗିନି ବୋଲି ନର୍ଲା ଅଞ୍ଚଳର ଚାଷୀ କଟାକ୍ଷ କରୁଥିବା ଦେଖିବାକୁ ମିଳୁଛି ।