କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): ଦେଶ ସ୍ଵାଧୀନ ହେବାର ୭୪ ବର୍ଷ ପରେ ବି ଲୋକେ ଏହାର ସ୍ୱାଦ ପାଇପାରି ନାହାନ୍ତି। ଏବେ ବି ଏଭଳି ରାସ୍ତା ସବୁ ରହିଛି, ଯେଉଁଠି ମଣିଷ କଣ, ପଶୁ ବି ଚାଲିକି ଯିବା ସମ୍ଭବ ନୁହେଁ। ଏଭଳି ଏକ ରାସ୍ତା ହେଉଛି କଳାହାଣ୍ଡି ଜିଲ୍ଲାର ନର୍ଲା ବ୍ଲକ୍ ଅନ୍ତର୍ଗତ ସରିଆଁ ଏବିସି ଛକ ଠାରୁ ଭାୟା ଚିଆଁପଦର କର୍ଲାଖୁଣ୍ଟା ଯାଏଁ ରାସ୍ତା। କେସିଙ୍ଗା ସହର କଳାହାଣ୍ଡି ଜିଲ୍ଲାର ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳ ଏବଂ ରେଳ ଷ୍ଟେସନ ହୋଇଥିବା ବେଳେ ଏହି ରାସ୍ତା ଦେଇ ପ୍ରତିଦିନ ଶହ ଶହ ଲୋକ ଯିବା ଆସିବା କରିଥାନ୍ତି। ତେବେ ଏହି ରାସ୍ତା ଖାଲଖମା ଭର୍ତ୍ତି ହୋଇ ଗମନାଗମନ ପାଇଁ ସମ୍ପୂର୍ଣ୍ଣ ଅନୁପଯୁକ୍ତ ହୋଇପଡ଼ିଛି। ବର୍ଷାଦିନେ ପାଣି ଜମି ରାସ୍ତାର ଅବସ୍ଥା ଆହୁରି ଶୋଚନୀୟ ହୋଇପଡ଼ୁଛି। ଏହି ରାସ୍ତାରେ ଯମ ବି ଯିବାକୁ ଡରିବ ବୋଲି ଲୋକେ ଆଲୋଚନା କରୁଛନ୍ତି। ତେଣୁ ସରିଆଁ-କର୍ଲାଖୁଣ୍ଟା ରାସ୍ତାର ତୁରନ୍ତ ମରାମତି ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।





