ଲାଞ୍ଜିଗଡ଼, ୨୧|୮: ଲାଞ୍ଜିଗଡ଼ ବ୍ଳକ କାନକୁଟରୁ ପଞ୍ଚାୟତ ତାଲସୁର ଗାଁର ୧୪ ଗୋଟି ବଳଦ ବଜ୍ରାଘାତରେ ମୃତ୍ୟୁ ମୁଖରେ ପଡିଛନ୍ତି। ଏହାସହ ଗାଈଚରାଳିଙ୍କ ସମେତ ୬ ଜଣ ଆହତ ହୋଇଛନ୍ତି, ସେମାନଙ୍କୁ ବିଶ୍ୱନାଥପୁର ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ପ୍ରାପ୍ତ ସୂଚନା ଅନୁସାରେ ଆଜି ସକାଳୁ ଗାଈ ଚରାଳି ବୁଡୁ ମାଝୀ ତାଲସୁର ଗାଁର ଲୋକଙ୍କ ବଳଦକୁ ନିକଟସ୍ଥ ଜଙ୍ଗଲକୁ ଚରାଇବା ପାଇଁ ନେଇଥିବା ବେଳେ ତାଙ୍କ ସହିତ ନାବାଳକ ଓ ନାବାଳିକା ମାନେ ମଧ୍ୟ ନିଜ ନିଜ ବଳଦ ଚରାଇ ଯାଇଥିଲେ। ଅପରାହ୍ନ ୩ ଘଣ୍ଟା ସମୟରେ ବର୍ଷା ଯୋଗୁଁ ସମସ୍ତ ବଳଦକୁ ଗୋଟିଏ ଗଛ ମୂଳରେ ଗୋଠ କରିଥିଲା। ଏହି ସମୟରେ ପ୍ରବଳ ବର୍ଷା ଓ ଘଡଘଡି ଶହ ବଜ୍ରାଘାତ ହେବା ଫଳରେ ୧୪ ଗୋଟି ବଳଦର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଗାଈ ଚରାଳିଙ୍କ ସମେତ ୬ ଜଣ ଆହତ ହୋଇଛନ୍ତି। ଆହତ ମାନେ ପରମେଶ୍ବର ମାଝୀ(୧୪), ଦାମୋଦର ମାଝୀ(୧୦), ସଞ୍ଜୁ ମାଝୀ(୯), ଗୌତମ ମାଝୀ(୭), ନିରନ୍ତି ମାଝୀ(୧୨) ଓ ଗାଈ ଚରାଳି ବୁଡୁ ମାଝୀ ଆତହ ହୋଇଥିବା ବେଳେ ଆହତ ମାନଙ୍କୁ ଆମ୍ବୁଲାନ୍ସ ଯୋଗେ ବିଶ୍ୱନାଥପୁର ମେଡ଼ିକାଲରେ ଭର୍ତ୍ତି କରାଯାଇଛି।
ଏମାନଙ୍କ ମଧ୍ୟରୁ ୩ ଜଣ ନାବାଳକ ରହିଥିବା ବେଳେ ୨ ଜଣ ନାବାଳିକା ଅଛନ୍ତି। ଏମାନେ ଗାଈ ଚରାଳିଙ୍କ ସମେତ ନିଜ ନିଜ ବଳଦ ଚରାଇ ନେଇଥିଲେ। ମୃତ ୧୪ ଗୋଟି ବଳଦ ମଧ୍ୟରୁ ଗୁଣନିଧି ବିଭାରଙ୍କ ୧ଟି, ଲାଖନା ମାଝୀଙ୍କ ୨ଟି, ଗଣପତି ହରିଜନଙ୍କ ୧ଟି, ଦୟାନିଧି ବିଭାରଙ୍କ ୧ଟି, ଦମେରାଜ ମାଝୀଙ୍କ ୨ଟି, ରତ୍ନ ମାଝୀଙ୍କ ୧ଟି, ରମେଶ ମାଝୀଙ୍କ ୧ଟି, ଲାଖନୁ ମାଝୀଙ୍କ ୧ଟି, ଡ୍ରାକି ମାଝୀଙ୍କ ୧ ଟି, ବିର ମାଝୀଙ୍କ ୨ଟି ଓ ରାମଜି ବିଭାରଙ୍କ ୨ ଗୋଟି ବୋଲି ଜଣା ପଡ଼ିଛି। ଦୁଃଖର ବିଷୟ ପ୍ରାଣୀ ସମ୍ପଦ ବିଭାଗର କର୍ମଚାରୀ ବା କୌଣସି ପ୍ରଶାସନିକ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ନଥିବା ଲୋକେ ପ୍ରକାଶ କରିଛନ୍ତି। କାନକୁଟ୍ରୁ ପଞ୍ଚାୟତ ଏକ ଦୁର୍ଗମ ଅଞ୍ଚଳ ହୋଇଥିବାବେଳେ ମୋବାଇଲ ସେବାରୁ ଲୋକେ ବଞ୍ଚିତ ଥିବା ବେଳେ ବର୍ତ୍ତମାନ ଯୋଗାଯୋଗରେ ଅସୁବିଧା ଦେଖାଦେଇଛି। ମୃତ ବଳଦ ଗୁଡ଼ିକ ଗଛ ତଳେ ପଡିରହିଥିବା ବେଳେ ଗାଁ ଲୋକଙ୍କ ମଧ୍ୟରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ବର୍ତ୍ତମାନ ପରିସ୍ଥିତିରେ ଅନେକ ଚାଷୀ ଚାଷ କାର୍ଯ୍ୟରେ ଲିପ୍ତ ରହିଥିବା ବେଳେ ବର୍ତ୍ତମାନ ବଳଦକୁ ନେଇ ଯେଉଁ ଚାଷ କାର୍ଯ୍ୟ ଆରମ୍ଭ କରିଥିଲେ ଏବେ ବଳଦଙ୍କ ବଜ୍ରା ଘାତରେ ମୃତ୍ୟୁ ଯୋଗୁଁ ଚାଷ କାର୍ଯ୍ୟ କେମିତି କରିବେ ସେନେଇ ଚାଷୀଙ୍କ ମଧ୍ୟରେ ଚିନ୍ତା ବଢ଼ିଯାଇଛି। ଏମାନେ ଅତ୍ୟନ୍ତ ଗରିବ ଓ ଚାଷ ଉପରେ ନିର୍ଭର କରୁଥିବା ବେଳେ ବଳଦମାନଙ୍କ ଅକାଳ ମୃତ୍ୟୁ ପାଇଁ ଭାଙ୍ଗି ପଡିଛନ୍ତି। ତେଣୁ ସରକାର ସେମାନଙ୍କୁ କ୍ଷତି ପୂରଣ ଯୋଗାଇ ଦେବା ପାଇଁ ଦାବି କରିଛନ୍ତି। ଅନ୍ୟ ପଟେ ମେଡ଼ିକାଲରେ ଭର୍ତ୍ତି ହୋଇଥିବା ୬ ଜଣଙ୍କ ମଧ୍ୟରୁ ୫ ଜଣ ପ୍ରାଥମିକ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରି ଯାଇଥିବା ବେଳେ ପରମେଶ୍ବର ମାଝୀ ବର୍ତ୍ତମାନ ଚିକିତ୍ସିତ ହେଉଥିବା ଜଣା ପଡ଼ିଛି।
କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ସହ ଧର୍ମେନ୍ଦ୍ର ପଣ୍ଡାଙ୍କ ରିପୋର୍ଟ OdiaBarta.in