କଳାହାଣ୍ଡି, ୨୭|୮ (ଲିଙ୍ଗରାଜ ମିଶ୍ର ): ନର୍ଲା ବ୍ଲକ୍ ଅଧିନସ୍ଥ କୁର୍ମେଲ ଗ୍ରାମ ପଞ୍ଚାୟତକୁ ନର୍ଲାର ଉପାନ୍ତ ଅଞ୍ଚଳ ଭାବରେ ବିବେଚନା କରାଯାଉଥିବା ବେଳେ, ଭଲ ରାସ୍ତାଟିଏ ନଥିଲା ଏହି ଗ୍ରାମ ପଞ୍ଚାୟତର ଗୋରକେଲ, ବୁଦେଲଗୁମା, କୁର୍ମେଲ ପ୍ରଭୃତି ସ୍ଥାନକୁ ଯିବାପାଇଁ । ଜନସାଧାରଣଙ୍କ ଦାବୀ ଫଳରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ୨୦୧୪ ମସିହାରେ ଭବାନୀପାଟଣାର ଜନୈକ ଠିକାଦାର ରାସ୍ତାକାମ ଆରମ୍ଭ କଲେ । ପ୍ରଥମେ ଅତି ନିମ୍ନ ମାନର କାମକୁ ଜନସାଧାରଣ ବିରୋଧ କରିବା ପରେ ଯାହିତାହି ଭାବରେ କାମଚଳା ରାସ୍ତା ନିର୍ମାଣ କରିଦେଲେ । ହେଲେ ରାସ୍ତା କାମ ହୋଇ ବର୍ଷଟେ ପୁରିବା ଆଗରୁ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଥିଲା । ରାସ୍ତା ନିର୍ମାଣ କରିଥିବା ଭବାନୀପାଟଣାର ଜନୈକ ଠିକାଦାର ନକ୍ସଲ ଗୁଳିରେ ମୃତୁ୍ୟବରଣ କଲେ । ଏହାପରେ ବାକି ରହିଗଲା ରାସ୍ତା କାମ । ଆଉ ସବୁଠୁ ବଡ ସମସ୍ୟା ହେଲା ୭.୫ କି.ମି. ରାସ୍ତା ନିର୍ମାଣ ପାଇଁ ସାଢେ ସାତ କୋଟି ଟଙ୍କା ଖର୍ଚ୍ଚ ଅଟକଳ ରହିଥିଲା । ହେଲେ ଜୁର୍କଭଟା ଶେଷ ମୁଣ୍ଡରୁ ଗୋରକେଲ ଗ୍ରାମ ଆରମ୍ଭ ଯାଏଁ ରାସ୍ତା ପରେ କରିବା କହି ସ୍ଥାନୀୟ ଲୋକଙ୍କୁ ବାଁରେଇ ଦେଇ ସମସ୍ତ ବିଲ୍ ଉଠାଇ ଛୁ ଚମ୍ପଟ ମାରି ସାରିଛନ୍ତି । ଆଉ ଆରଡି ବିଭାଗର ଅଧିକାରୀ ମଧ୍ୟ ସେହି ରାସ୍ତାଟିକୁ ଦେଖିବା ପାଇଁ ଆସୁ ନାହାନ୍ତି କିମ୍ବା ସେହି ଅଧା କାମ ନହୋଇ ପଡିରହିଥିବା ଅଧ କି.ମି. ୫୦ ଲକ୍ଷ ଟଙ୍କା ବ୍ୟୟ ଅଟକଳର ରାସ୍ତା ନିର୍ମାଣ ର ନାଁ ମଧ୍ୟ ଧରୁ ନାହିଁନ୍ତି ବୋଲି ଜନସାଧାରଣ ଅଭିଯୋଗ କରୁଛନ୍ତି । ନର୍ଲା ଗ୍ରାମ ପଞ୍ଚାୟତ ଅଧିନସ୍ଥ ଜୁର୍କାଭଟା ଓ କୁରମେଲ ଗ୍ରାମ ପଞ୍ଚାୟତ ଅଧିନସ୍ଥ ଗୋରକେଲ ଗ୍ରାମ ମଧ୍ୟସ୍ଥ ଗାଡିଆଯୋର ନଦୀ ଉପରେ ରହିଥିବା ବ୍ରିଜ୍ ଦୁଇପାଶ୍ୱର୍ସ୍ଥ ରାସ୍ତା ବର୍ତ୍ତମାନ ସ୍ଥାନୀୟ ଜନସାଧାରଣଙ୍କର ମୁଣ୍ଡବ୍ୟଥାର କାରଣ ସାଜିଛି ।

୨୦୧୭/୧୮ ମସିହା ବନ୍ୟାବେଳେ ନଈ ବଢିପାଣି ବ୍ରିଜର ଦୁଇପାଖର ରାସ୍ତାକୁ ସଂପୂର୍ଣ୍ଣ ଭାବରେ ଖାଇ ବଡ ବଡ ଘାଇ ସୃଷ୍ଟି ହୋଇ ଯାଇଥିଲା । ଦୁଇ ମୁଣ୍ଡରେ ମାଟି ଭର୍ତ୍ତିକରି ଅସ୍ଥାୟୀ ଭାବରେ ରାସ୍ତା ନିର୍ମାଣ କରାଯାଇଥିଲେ ମଧ୍ୟ ବର୍ତ୍ତମାନ ରାସ୍ତା ନାହିଁ କହିଲେ ଚଳେ । ଏହି ବିପଦ ସଂକୁଳ ରାସ୍ତାଟି ଯୋଗୁଁ ଅନେକ ଥର ଦୁର୍ଘଟଣା ମଧ୍ୟ ଘଟି ସାରିଛି । ହେଲେ ଏଥିପ୍ରତି ଆର୍ଡି ବିଭାଗର ମଧ୍ୟ ନିଘା ନାହିଁ । ପ୍ରଶାସନ ମଧ୍ୟ ସ୍ଥାଣୁ ପାଲଟି ଯାଇଛି । ଭବାନୀପାଟଣାର ଉକ୍ତ ଠିକାଦାର ଜଣକ ତ ଇହଲିଳା ସମ୍ବରଣ କରିସାରିଛନ୍ତି । ହେଲେ ରାସ୍ତାଟି କିପରି ସମ୍ପୂର୍ଣ୍ଣ ହେବ ସେଥିପ୍ରତି ତିଳେହେଲେ ଆରଡି ବିଭାଗ ଗୁରୁତ୍ୱ ହେଉନଥିବାରୁ ସାଧାରଣରେ ଉତ୍ତେଜନା ପ୍ରକାଶ ପାଇବାରେ ଲାଗିଛି । ବାସ୍ତବିକ ଯୁର୍କଭଟା ଗ୍ରାମର ଶେଷ ମୁଣ୍ଡରେ ମରଣ ଯନ୍ତା ପାଲଟିଛି ନର୍ଲା – କୁର୍ମେଲ ରାସ୍ତା ।

ନର୍ଲା ସମିତି ସଦସ୍ୟା ଶ୍ରୀମତୀ ସପୁର ଭୋଇ ମଧ୍ୟ କ୍ଷୋଭ ପ୍ରକାଶ କରି କହିଛନ୍ତି । ଗତ ବର୍ଷ ଦୁଇ ବର୍ଷରୁ ଉଦ୍ଧ୍ୱର୍ ହୋଇ ଗଲାଣି କେସିଙ୍ଗା ସବ୍ଡିଭିଜନ ଆରଡି ବିବାଗ ଅଧିକାରୀ ଏଇଙ୍କୁ ଜନସାଧାରଣଙ୍କ ସହ ଯାଇ ଭେଟିଥିଲୁ । ସେ କହିଲେ ସେ ଠିକାଦାର ଯାହା କରିଛି ଛାଡନ୍ତୁ ମୁଁ ୩ ଲକ୍ଷ ଟଙ୍କା ଦେଉଛି ତୁମେ ରାସ୍ତାକାମ କରିଦିଅ ବୋଲି । ହେଲେ ଯେଉଁ କାମ ୫୦ ଲକ୍ଷ ଟଙ୍କାରେ ହେବାର କଥା ତାହା ୩ ଲକ୍ଷ ଟଙ୍କାରେ କିଭଳି ହୋଇ ପାରିବ ବୁଝି ହେଉନାହିଁ ବୋଲି ସମିତି ସଦସ୍ୟା ଶ୍ରୀମତୀ ଭୋଇ ମତବ୍ୟକ୍ତ କରିଛନ୍ତି । ଏହି ରାସ୍ତାଟି ନିର୍ମାଣ ସମ୍ପୂର୍ଣ୍ଣ କରିବା ପାଇଁ ରାସ୍ତାରୋକୋ ଓ ଗଣ ଧାରଣା ଆନ୍ଦୋଳନ ପାଇଁ ଜୁର୍କାଭଟା ଓ ଗୋରକେଲ ନିବାସୀ ସଜବାଜ ହେଉଥିବା ଜଣାପଡିଛି । ବିଭାଗ ଏବଂ ପ୍ରଶାସନ କାହାକୁ କାହିଁକି ଦାଇତ୍ୱ ଦେଉନାହିଁ ସେହି ଅଧ କି.ମି. ରାସ୍ତାକାମ କରିଦେବା ପାଇଁ ବୋଲି ଅଞ୍ଚଳର ବୁଦ୍ଧିଜିବୀ ମାନେ ପ୍ରଶ୍ନ କରିବା ସହ ତୁରନ୍ତ ପ୍ରଶାସନ ଏହି ରାସ୍ତା ନିର୍ମାଣ ପ୍ରତି ଦୃଷ୍ଟିଦେଉ । ନହେଲେ ଅନର୍ଥ ହେବ ବୋଲି ଅଞ୍ଚଳବାସୀ ଜନସାଧାରଣ ଚେତାବନୀ ଦେଇଛନ୍ତି ।





