● ଚଳିତ ବର୍ଷ ମଧ୍ୟ କରୋନା କଟକଣା ମଧ୍ୟରେ ପାଳିତ ହେବ ଦୁର୍ଗାପୂଜା
କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): କରୋନା କଟକଣା ମଧ୍ୟରେ ଗତବର୍ଷ ନୂଆଖାଇ, ରଜପର୍ବ ଭଳି ଗଣପର୍ବ ଗୁଡିକ ଖାଁ ଖାଁ ରେ ଗଲା । ଗଣେଶପୂଜା, ବିଶ୍ୱକର୍ମା ପୂଜା ମଧ୍ୟ ନିରାଶ ମଧ୍ୟରେ ସରିଲା । ନା ଡିଜେ ବାଜା, ନା ନାଚଗୀତ । ସବୁ ମଜା କରୋନା ଯୋଗୁଁ ଫିକା ପଡିଲା । ଚଲିତ ବର୍ଷ ମଧ୍ୟ ଏସବୁ ପାଇଁ ଲାଗିଛି କଟକଣା । ଏବେ ଆଗକୁ ଆସୁଛି ଦୁର୍ଗାପୂଜା । ଚଳିତ ବର୍ଷ ମଧ୍ୟ ପୂଜା ପାଇଁ ସରକାର ଗାଇଡ ଲାଇନ ଜାରି କରିଛନ୍ତି । କରୋନା କଟକଣା ମଧ୍ୟରେ ମାଙ୍କ ପୂଜା ପାଳନ କରାଯିବ । ଚାରିଫୁଟ ଉଚ୍ଚତା ବିଶିଷ୍ଟ କିମ୍ବା ଚାରିଫୁଟ ଉଚ୍ଚତାରୁ କମ ଉଚ୍ଚତା ସମ୍ପନ୍ନ ଦୂର୍ଗା ମୂର୍ତ୍ତି ଓ ପାର୍ଶ୍ୱ ଦେବତା ମୂର୍ତ୍ତି ଗୁଡିକ ନିର୍ମାଣ ହେବ । ପୂଜକ ସମେତ ମାତ୍ର ୭ ଜଣ ପୂଜା ମଣ୍ଡପରେ ରହିବେ । ଡାକବାଜୀ ଯନ୍ତ୍ର ବାଜି ପାରିବ ନାହିଁ । ଗହଳି ସମ୍ପୂର୍ଣ୍ଣ ବନ୍ଦ । ଏଭଳି କଟକଣା ମଧ୍ୟରେ ଦୂର୍ଗାପୂଜା ପାଳନକୁ ନେଇ ଫିକା ପଡିଯାଇଛନ୍ତି ପୂଜା ପାଳନ କମିଟି ଗୁଡିକ । କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅଧିନସ୍ଥ ନର୍ଲା, ନର୍ଲାରୋଡ, ରୁପ୍ରାରୋଡ, ଶାନ୍ତପୁର, ସେରଗଡ, ରୁପ୍ରା ଏଭଳି ୭ ଗୋଟି ସ୍ଥାନରେ ଦୂର୍ଗାପୂଜା ଅନୁଷ୍ଠିତ ହୋଇଥାଏ । ଏଥି ମଧ୍ୟରୁ ନର୍ଲାରୋଡ ଓ ରୁପ୍ରାରୋଡରେ ନବରାତ୍ରୀ ଦୁର୍ଗାପୂଜା ପାଳନ କରାଯାଇଥାଏ । ହେଲେ ଦୁର୍ଗାପୂଜା କମିଟି ମାନଙ୍କ ନିଷ୍ପତି ପୂଜା ତ ବନ୍ଦ କରିହେବ ନାହିଁ । କୋର୍ଟଙ୍କ ଆଦେଶକୁ ସମ୍ମାନ ଜଣାଇ ବିଧି ଅନୁଯାୟୀ ଓ ରୀତି ନୀତିରେ ପୂଜା ଅନୁଷ୍ଠିତ ହେବ ।
ନର୍ଲାରୋଡ, ବାଲିପଡା ଓ ରୁପ୍ରାରୋଡରେ ମୂର୍ତ୍ତିଗଡା ଦୃତ ଗତିରେ ଚାଲିଛି । ମୂର୍ତ୍ତିଗଢା ଏବେ ଶେଷ ପର୍ଯ୍ୟାୟରେ ଆସି ପହଞ୍ଚି ଯାଇଛି । କେବଳ ରଙ୍ଗଲଗା ବାକି ରହିଛି । ପ୍ରତି ବର୍ଷ ଏହି ସ୍ଥାନ ମାନଙ୍କୁ କଲିକତା ରୁ ମୂର୍ତ୍ତି କାରିଗର ମାନେ ଆସି ମୂର୍ତ୍ତି ତିଆରି କରୁଥିଲେ । ହେଲେ ଗତ ବର୍ଷ ଟ୍ରେନ ଓ ବସ ଚଳାଚଳ ବନ୍ଦ ହୋଇ ପଡିଥିବା ଯୋଗୁଁ ପଶ୍ଚିମ ବଙ୍ଗର ମୂର୍ତ୍ତି କାରିଗର ମାନେ ଆସି ପାରିନଥିଲେ । ସ୍ଥାନୀୟ କାରିଗର ମାନେ ମୂର୍ତ୍ତି ଗଢିଥିଲେ । ହେଲେ ଚଳିତ ବର୍ଷ ପଶ୍ଚିମ ବଙ୍ଗର ମୂର୍ତ୍ତି କାରିଗର ମାନେ ଆସି ମୂର୍ତ୍ତି ଗଢୁଥିବା ଦେଖିବାକୁ ମିଳିଛି ।
ବହୁ ପ୍ରସିଦ୍ଧ ନର୍ଲାରୋଡ ନବରାତ୍ରୀ ଶାରଦୀୟ ଦୂର୍ଗାପୂଜା କମିଟିର ସଭାପତି ହମେଶ କୁମାର ଜୈନ ତାଙ୍କ ମତାମତରେ କହିଛନ୍ତି ଆମେ ସରକାରଙ୍କ ଆଦେଶ, କରୋନା ଗାଇଡଲାଇନକୁ ସମ୍ମାନ ଜଣାଇ ପୂଜା କରିବୁ । ଏଥିରେ ବ୍ୟତିକ୍ରମ କରାଯିବ ନାହିଁ । ସେହିଭଳି ପୂଜା କମିଟିର ଉପସଭାପତି ବିମଲ କୁମାର କେଡିଆ କହିଛନ୍ତି ମାଙ୍କ ପୂଜା ସମ୍ପୂର୍ଣ୍ଣ ବିଧି ଓ ରିତୀ ନୀତି ଅନୁଯାୟୀ ଅନୁଷ୍ଠିତ ହେବ । ମଣ୍ଡପ ମଧ୍ୟରେ ପୁଜକଙ୍କୁ ମିଶାଇ ୭ ଜଣ ହିଁ ରହିବେ । ସମ୍ପୂର୍ଣ୍ଣ ବ୍ୟାରିକେଟ କରାଯିବ । ଭକ୍ତମାନେ ଦୁରରୁ ମାଙ୍କୁ ଦର୍ଶନ କରିପାରିବେ । ସରକାରଙ୍କ କରୋନା କଟକଣାକୁ ଆମେ ନିଶ୍ଚିତ ମାନିବୁ ଓ ସମ୍ମାନ ଦେବୁ ।