ପୋଡାମରା ଗ୍ରାମବାସୀଙ୍କ ପାଇଁ ସ୍ୱପ୍ନ ପାଲଟିଛି ଖଣ୍ଡିଏ ପକ୍କାରାସ୍ତା

● ଗାଁ ଲୋକଙ୍କ ଦାବି ଶୁଣୁ ନାହାନ୍ତି ରାୟଗଡା ବ୍ଳକ ଓ ଜିଲ୍ଳା ପ୍ରଶାସନ

ରାୟଗଡା, (ଶିବ ନାରାୟଣ ଗୈାଡ): ଗମନାଗମନର ସୁବିଧା ପାଇଁ ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ଦୀର୍ଘ ୭୫ବର୍ଷ ପରେ ମଧ୍ୟ ୩୨୬ ନମ୍ବର ଜାତୀୟ ରାଜପଥ କଡ ଠାରୁ ମାତ୍ର ୨କିଲୋମିଟର ଦୂରରେ ଅବସ୍ଥିତ ଗ୍ରାମକୁ ପକ୍କା ରାସ୍ତାଟିଏ ନ ଥିବାରୁ ଗ୍ରାମବାସୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ରାୟଗଡା ଜିଲ୍ଳା ସଦର ବ୍ଳକ କୁମ୍ଭିକୋଟା ଗ୍ରାମ ପଂଚାୟତର ପୋଡାମରା ଗ୍ରାମବାସୀ । ଗାଁକୁ ପକ୍କାରାସ୍ତାଟିଏ କରିଦେବା ପାଇଁ ବର୍ଷ ବର୍ଷ ଧରି ପ୍ରଶାସନ ପାଖେ ଗୁହାରୀ କରି ଆସୁଛନ୍ତି ଏହି ଗ୍ରାମବାସୀ । ତେବେ ଗାଁକୁ ବର୍ତର୍ମାନ ବ୍ୟବହାର ହେଉଥିବା ରାସ୍ତାଟି ବେସରକାରୀ ହୋଇଥିବାରୁ ଉକ୍ତ ଜମିରେ ରାସ୍ତା ନିର୍ମାଣ କରିପାରୁନାହିଁ ପ୍ରଶାସନ । ତଥାପି ରାଜସ୍ୱ ନିରୀକ୍ଷକଙ୍କ ଦ୍ୱାରା ଗାଁ ପାଖେ ଥିବା ସରକାରୀ ଜାଗାକୁ ଚିହ୍ନଟ କରାଯାଇଥିଲେ ସୁଦ୍ଧା ରାସ୍ତା ନିର୍ମାଣ ପାଇଁ କୈାଣସି ଅଟକଳ ମଂଜୁରୀ ହୋଇ ନ ଥିବାରୁ ଯେଣତେଣ ପ୍ରକାରେ ଗାଁକୁ ପକ୍କାରାସ୍ତାଟିଏ ଦାବି କରିଛନ୍ତି ଗ୍ରାମବାସୀ । ଏପରିକି କୁମ୍ଭିକୋଟା ଓ ପୋଡମାରା ଗ୍ରାମକୁ ଯିବା ବେସରକାରୀ ରାସ୍ତାରେ ଝଂଜାବତୀ ନଦୀ ପ୍ରବାହିତ ହେଉଥିବା ବେଳେ କୈାଣସି ପକ୍କା ସେତୁଟିଏ ନ ଥିବାରୁ ବର୍ଷା ଦିନେ ତଥା ସାମାନ୍ୟ ବର୍ଷାରେ ନଦୀରେ ପାଣି ଆସିଲେ ରାସ୍ତାଟି ନଦୀ ପାଣିରେ ବୁଡି ରହିଥାଏ । ଫଳରେ ଏକ ବିଚ୍ଛିନ୍ନାଂଚଳ ଭାବେ ଗ୍ରାମବାସୀମାନେ ଦିନ କାଟିଥାନ୍ତି । ଯଦ୍ୱାରା ଅନ୍ୟ ରାସ୍ତା ନ ଥିବାରୁ ଛାତ୍ରଛାତ୍ରୀମାନେ ସ୍କୁଲ ଯିବାରୁ ବଂଚିତ ହେଉଥିବା ବେଳେ ଦିନ ମଜୁରିଆ ମାନେ ରୋଜଗାରରୁ ଏବଂ ରୋଗୀମାନେ ସ୍ୱାସ୍ଥ୍ୟ ସେବାରୁ ବଂଚିତ ହୋଇଥାନ୍ତି ।

ପୋଡମରା – କୁମ୍ଭିକୋଟା ଗ୍ରାମକୁ ସଂଯୋଗ କରୁଥିବା ଏକ ମାତ୍ର ମୁଖ୍ୟ ରାସ୍ତାର ମଝିରେ ପ୍ରବାହିତ ହେଉଥିବା ଝଂଜାବତୀ ନଦୀର ଉପର ମୁ୍‌ଣ୍ଡରେ ଲଗାଣ ବର୍ଷା ଯୋଗୁଁ ନଦୀ ଜଳସ୍ତର ବୃଦ୍ଧି ହେବା ସହ ପ୍ରଖର ସ୍ରୋତରେ ଥିବା ଅସ୍ଥାୟୀ ପୋଲଟି ଭାସି ଯାଇଥିଲା ।ଯାହାକୁ ନେଇ ଗ୍ରାମବାସୀମାନେ ଗତ ଅଗଷ୍ଟ ୨୩ ତାରିଖରେ ଜିଲ୍ଳାପାଳଙ୍କୁ ଉଦ୍ଦେଶ୍ୟରେ ପକ୍କାରାସ୍ତା ସହ ସ୍ଥାୟୀ ପୋଲଟିଏ ନିର୍ମାଣ କରିବାକୁ ଦାବିପତ୍ର ପ୍ରଦାନ କରିଥିଲେ । ହେଲେ ପ୍ରଦାନ କରିଥିବା ଦାବିପତ୍ରକୁ ନିଜ ପାଖରେ ରଖି ଗ୍ରାମବାସୀଙ୍କ ଦାବିକୁ ଭୁଲିଯାଇଛି ପ୍ରଶାସନ । ଅପରପକ୍ଷେ ଗ୍ରାମବାସୀମାନେ ଭୋଗୁଥିବା ସମସ୍ୟାର ସମାଧାନ ସ୍ୱରୂପ ଯଥାଶୀଘ୍ର ଗ୍ରାମକୁ ଏକ ପକ୍କାରାସ୍ତା ଏବଂ ଝଂଜାବତୀ ନଦୀ ଉପରେ ପୋଲ ନିର୍ମାଣ ପାଇଁ ଗ୍ରାମର ଆଶିଷ ବିଭର, ବନ ମେଲେକା, ଅରୁଣ ବିଭର, ପୁରେନ୍ଦ୍ର ବିଭର, ଦେବେନ୍ଦ୍ର କୁଲଦୀପ, ମେଘା କନ୍ଧପାଣି, ଇନ୍ଦ୍ର ବିଭରଙ୍କ ସମେତ ଅନ୍ୟମାନେ ଦାବି କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.