ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ନିମନ୍ତେ ରାୟଗଡା ପ୍ରସ୍ତୁତ

ରାୟଗଡା, (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଳାର ସଦର ବ୍ଳକ ରାୟଗଡାରେ ଚତୁର୍ଥ ପର୍ଯ୍ୟାୟ ଫେବୃଆରୀ ୨୨ତାରିଖରେ ପଂଚାୟତ ନିର୍ବାଚନ ଅନୁଷ୍ଠିତ ହେବ । ଏଥିରେ ୨୮ଗୋଟି ଗ୍ରାମ ପଂଚାୟତର ୨୮ଗୋଟି ସରପଂଚ, ୨୮ଗୋଟି ସମିତି ସଭ୍ୟ,୩୨୭ଗୋଟି ୱାର୍ଡସଭ୍ୟ ଓ ୩ଗୋଟି ଜିଲ୍ଳା ପରିଷଦ ସଭ୍ୟ ନିମନ୍ତେ ମତଦାନ ଅନୁଷ୍ଠିତ ହେବ । ସେହିପରି ରାୟଗଡା ବ୍ଳକର ମୋଟ ୮୮,୧୮୪ଜଣ ଭୋଟର ସେମାନଙ୍କ ମତଦାନ ସାବସ୍ତ୍ୟ କରିବେ ବୋଲି ଗ୍ରାମ ପଂଚାୟତ ସଂପ୍ରସାରଣ ଅଧିକାରୀ ଗୋପାଳ ପଣ୍ଡା ପ୍ରକାଶ କରିଛନ୍ତି । ବ୍ଳକର ସମସ୍ତ ସରପଂଚ ପଦବୀ ଅନୁସୂଚିତ ଜନଜାତି ବର୍ଗ ନିମନ୍ତେ ସଂରକ୍ଷଣ ହୋଇଥିବା ବେଳେ କୋତାପେଟା, କାମ୍ପ ମାଲିଗାଁ, କୁଟୁଳି, କୁଲି, କେରଡା, ଗୁମ୍ମା, ଜେମାଦେଇପେଣ୍ଠ, ତାଡମା, ନାକଟି, ପିପଲଗୁହା, ବଡ ଆଲୁବାଡି, ବାଇସିଂ, ମାଟିକଣା ଓ ହାଟ ଶେଷଖାଲ ଏଭଳି ୧୪ଗୋଟି ପଂଚାୟତର ସରପଂଚ ପଦବୀ ନିମନ୍ତେ ମହିଳା ପ୍ରାର୍ଥୀନୀ ପ୍ରତିଦ୍ୱନ୍ଦିତା କରିବେ । ଅବଶିଷ୍ଠ କରୁବାଇ, କାର୍ଲାକଣା, କୁମୁଟପେଣ୍ଠ, କୁମ୍ଭିକୋଟା, ଗାଜିଗାଁ, ଚାନ୍ଦିିଲି, ଡାଙ୍ଗଲୋଡି, ଦୁର୍ଗାପାଡୁ, ପିତାମହଲ, ପେଂଟା, ବଡଇରକୁବାଡି, ବୈରାଗୀ ହାଲଉଆ, ମୀରବାଲି ଓ ହାଲୁଆ ଗ୍ରାମ ପଂଚାୟତ ନିମନ୍ତେ ଉଭୟ ପୁରୁଷ ଓ ମହିଳା ପ୍ରତିଦ୍ୱନ୍ଦିତା କରିପାରିବେ । ରାୟଗଡା ବ୍ଳକର ୩ଗୋଟି ଜିଲ୍ଳା ପରିଷଦ ଜୋନ ମଧ୍ୟରୁ “କ”ଜୋନଟି ଅନୁସୂଚିତ ଜନଜାତି ଏବଂ “ଖ” ଓ “ଗ”ଉଭୟ ଜେନା ଅନୁସୂଚିତ ଜନଜାତି (ମହିଳା) ନିମନ୍ତେ ସଂରକ୍ଷିତ ପାଇଁ ବିଞପ୍ତି ପ୍ରକାଶ ପାଇଅଛି । ଜିଲ୍ଳା ପରିଷଦ ଜୋନ୍‌”କ”ରେ କୁଟୁଳି, ଗୁମ୍ମା, ତାଡମା, ନାକଟି, ମାଟିକଣା, କମ୍ଭିକୋଟା, ଗାଜିଗାଁ, ପିତାମହଲ, ବଡ ଇରକୁବାଡି ଓ ହାଲଆ ଏଭଳି ୧୦ଟି ଗ୍ରାମ ପଂଚାୟତର ମୋଟ ୨୮,୫୮୯ଜଣ ଭୋଟର ରହିଛନ୍ତି । ସେହିପରି “ଖ”ଜୋନରେ କାମ୍ପମାଲିଗାଁ, କୁଲି, କେରଡା, ଜେମାଦେଇପେଣ୍ଠ, ପିପଲଗୁଡା, ବଡ ଆଲୁବାଡି, ବାଇସିଂ, ହାଟଶେଷଖାଲ, କାରୁବାଇ, ଡାଙ୍ଗଲୋଡି, ଦୁର୍ଗାପାଡୁ, ବୈରାଗୀ ହାଲୁଆ ଓ ମୀରାବାଲି ଏଭଳି ୧୩ଗୋଟି ଗ୍ରାମ ପଂଚାୟତର ମୋଟ ୨୯,୪୩୯ ଜଣ ଓ “ଗ”ଜୋନରେ ପେଂଟା, କୁମୁଟିପେଣ୍ଠ, କୋତାପେଟା, କାର୍ଲାକଣା ଓ ଚାନ୍ଦିଲି ଏଭଳି ୫ଗୋଟି ପଂଚାୟତର ୩୦, ୧୫୬ଜଣ ଭୋଟର ନିଜର ମତଦାନ ସାବସ୍ତ୍ୟ କରିବେ । ଗତ ଜାନୁଆରୀ ୧୧ତାରିଖ ଦିନ ମତଦାନ ତାରିଖ ଘୋଷଣା ପରେ ଆଦର୍ଶ ଆଚରଣ ବିଦ୍ଧି ଲାଗୁ ହୋଇଥିବାରୁ ସମସ୍ତ ଦଳ ଓ ଆଶୟୀ ପ୍ରାର୍ଥୀଙ୍କ ମଧ୍ୟରେ ତତ୍ପରତା ପ୍ରକାଶ ପାଇଛି । ରାୟଗଡା ବ୍ଳକ ନିର୍ବାଚନ ଅଧିକାରୀ ଲକ୍ଷ୍ମୀନାରାୟଣ ସାବତ ସମସ୍ତ ରାଜନୈତିକ ପ୍ରଚାର ଓ ଯୋଜନା ସଂପର୍କିତ ପୋଷ୍ଟର ଓ ବ୍ୟାନର ବାହାର କରିଦେବା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି । ଜାନୁଆରୀ ୧୩ତାରିଖ ଦିନ ସମସ୍ତ ଗ୍ରାମ ପଂଚାୟତ ଓ ପଂଚାୟତ ସମିତି କାର୍ଯ୍ୟାଳୟ ଠାରେ ନାମାଙ୍କନ ପତ୍ର ଦାଖଲ ନିମନ୍ତେ ବିଧିବଦ୍ଧ ଭାବେ ବିଞାପନ ପ୍ରକାଶ ପାଇଛି । ଜାନୁଆରୀ ୧୭ତାରିଖ ଠାରୁ ୨୧ତାରିଖ ମଧ୍ୟରେ ସରପଂଚ ଓ ୱାର୍ଡସଭ୍ୟ ନିମନ୍ତେ ଗ୍ରାମ ପଂଚାୟତ କାର୍ଯ୍ୟାଳୟ, ସମିତି ସଭ୍ୟ ନିମନ୍ତେ ପଂଚାୟତ ସମିତି କାର୍ଯ୍ୟାଳୟ ଓ ଜିଲ୍ଳା ପରିଷଦ ପଦବୀ ନିମନ୍ତେ ଉପଜିଲ୍ଳାପାଳଙ୍କ ଅଫିସରେ ନାମାଙ୍କନ ପତ୍ର ଦାଖଲ କରାଯିବ । ଜାନୁଆରୀ ୨୨ତାରିଖ ଦିନ ନାମାଙ୍କନ ପତ୍ର ଯାଂଚ ଓ ୨୫ତାରିଖ ଦିନ ପ୍ରତ୍ୟାହାର ପରେ ଚୁଡାନ୍ତ ତାଲିକା ଚିହ୍ନ ସହ ପ୍ରକାଶ କରାଯିବ । କୋଭିଡର ତୃତୀୟ ଲହରକୁ ଦୃଷ୍ଟିରେ ରଖି ଗତ ୧୫ତାରିଖ ଦିନ ଅଧିକାରୀଙ୍କୁ ତାଲିମ ପ୍ରଦାନ ସମୟରେ କୋଭିଡ୍ ମାର୍ଗଦର୍ଶିକାର କଡାକଡି ପାଳନ କରିବା ନିମନ୍ତେ ଉପଜିଲ୍ଳାପାଳ ତଥା ନିର୍ବାଚନ ଅଧିକାରୀ ପ୍ରତାପଚନ୍ଦ୍ର ପ୍ରଧାନ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି । ସେହିପରି ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ପ୍ରକାରେ ସମସ୍ତ ପ୍ରସ୍ତୁତି ଜାରି ରହିଥିବା ରାୟଗଡା ବିଡିଓ ତଥା ନିର୍ବାଚନ ଅଧିକାରୀ ଶ୍ରୀ ସାବତ ପ୍ରକାଶ କରିଥିବା ବେଳେ ଭୋଟରମାନଙ୍କୁ ଅବାଧ ଓ ନିରପେକ୍ଷ ସୁରକ୍ଷିତ ନିର୍ବାଚନ ଅନୁଷ୍ଠିତ କରିବା ନିମନ୍ତେ ଜିଲ୍ଳା ନିର୍ବାଚନ ଅଧିକାରୀ ତଥା ଜିଲ୍ଳାପାଳ ସରୋଜ କୁମାର ମିଶ୍ର ସହଯୋଗ କାମନା କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.