ଓଡ଼ିଆ ବାର୍ତ୍ତା/କଳାହାଣ୍ଡି, (ନିରଞ୍ଜନ ଗଉଡ଼): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ନେଇ କଳାହାଣ୍ଡିର ରାଜନୈତିକ ପାଣିପାଗ ସରଗରମ ରହିଛି । ଏହାରି ଭିତରେ ଜିଲ୍ଲା ପରିଷଦ ଲଢେଇକୁ ନେଇ ଏବେଠାରୁ କାଉଣ୍ଟ ଡାଉନ ଆରମ୍ଭ ହୋଇଯାଇଛି । ନର୍ଲା ବ୍ଲକର ତିନୋଟି ଆସନ ମଧ୍ୟରୁ ଜୋନ-୩ରେ ବିଜେପିର ପଲ୍ଲା ଭାରି ଥିବା ଜଣାପଡିଛି । ଏଥର ନର୍ଲା ଜୋନ୍-୩ରେ ପ୍ରଣତି ମହାନନ୍ଦଙ୍କୁ ପ୍ରାର୍ଥୀ ଭାବେ ଛିଡାକରି ନିର୍ବାଚନୀ ମଇଦାନକୁ ଓହ୍ଲାଇଛି ବିଜେପି । ଶ୍ରୀମତୀ ମହାନନ୍ଦ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ତଥା ଭେଟେରାନ୍ ବିଜେପି ନେତା ସ୍ବର୍ଗତ ତ୍ରିନାଥ ନାଏକଙ୍କ ପୁତ୍ରବଧୂ । ଏକ ରାଜନୈତିକ ପରିବାରରୁ ଆସିଥିବା ପ୍ରଣତି ବର୍ତ୍ତମାନ ଲୋକପ୍ରୟତାର ଶିର୍ଷରେ ଥିବା ରାଜନୈତିକ ସମୀକ୍ଷକମାନେ ଆକଳନ କରିଛନ୍ତି । ଏପଟେ ବିଜେଡି ବାଗପୁର ସରପଞ୍ଚ ଲିଲି ଦୀପଙ୍କୁ ଏବଂ କଂଗ୍ରେସ ସୁନୀତା ନାଏକଙ୍କୁ ପ୍ରାର୍ଥୀ କରିଛି । ଇତି ମଧ୍ୟରେ ନର୍ଲା ଜୋନ୍-୩ ଜିଲ୍ଲା ପରିଷଦ ବିଜେପି ପ୍ରାର୍ଥୀନୀ ପ୍ରଣତି ମହାନନ୍ଦ ମାରାଥନ୍ ପ୍ରଚାରରେ ବାହାରିଛନ୍ତି । ସେ ଏହି ଜୋନ୍ ର ସର୍ଗିଗୁଡା, ମାଣ୍ଡେଲ, ନର୍ଲା, ବାଗପୁର, କୁରମେଲ, ବାଲସିଙ୍ଗା, ଭାନପୁର, ତୁଲାପଡା ଓ ଶେରଗଡ଼ ଗ୍ରାମ ପଞ୍ଚାୟତର ଗାଁ କୁ ଗାଁ ଯାଇ ଭୋଟ ଭିକ୍ଷା କରୁଛନ୍ତି । ପ୍ରଚାର ସମୟରେ ସେ ଲୋକଙ୍କ ନିକଟତର ହେଉଥିବା ଦେଖାଯାଇଛି । ନର୍ଲା ଜୋନ ୩ ଜିଲ୍ଲା ପରିଷଦ ସଦସ୍ୟ ପ୍ରଦୀପ ନାଏକ ଏହି ପ୍ରଚାରର ମଙ୍ଗ ଧରିଥିବା ବେଳେ କଳାହାଣ୍ଡି ବିଜେପି ଜିଲ୍ଲା ସଭାପତି ଦେବେନ୍ଦ୍ର ମହାନ୍ତି, ଉପସଭାପତି ପ୍ରଶାନ୍ତ ସାହୁ ଓ ସାଧାରଣ ସମ୍ପାଦକ ଜୟ ଶଙ୍କର ନାଏକ ପ୍ରମୁଖ ସାମିଲ ଅଛନ୍ତି । ଏଥରର ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀନୀ ଶ୍ରୀମତୀ ମହାନନ୍ଦଙ୍କ ପଟକୁ ଜନମତ ଢଳୁଥିବା ପରିଲକ୍ଷିତ ହେଉଛି । ଗତ ନିର୍ବାଚନରେ ଏହି ଆସନକୁ ବିଜେପି ଦଖଲ କରିଥିଲା । ଏଥର ଏଠାରେ ତ୍ରିମୁଖି ଲଢେଇ ହେବ ବୋଲି ଜଣାପଡିଛି । ତେବେ ଚଳିତ ନିର୍ବାଚନରେ ମଧ୍ୟ ବିଜେପି ଖାତାକୁ ନର୍ଲା ଜୋନ୍-୩ ଆସନ ଆସିପାରେ ବୋଲି ରାଜନୈତିକ ସମୀକ୍ଷକମାନେ ମତ ପ୍ରକାଶ କରିଛନ୍ତି ।