ଶତ୍ରୁତା ଛାଡ଼ି ଆଲୋଚନା କରନ୍ତୁ ରୁଷ-ୟୁକ୍ରେନ: ପ୍ରଧାନମନ୍ତ୍ରୀ ମୋଦୀ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ସମଗ୍ର ବିଶ୍ୱର ଜନତା ଚାହୁଁଛନ୍ତି ଯୁଦ୍ଧ ବନ୍ଦ ହେଉ । ରୁଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଏହି ଭୀଷଣ ଯୁଦ୍ଧ ଯୋଗୁଁ ଉଭୟ ରାଷ୍ଟ୍ରର ପ୍ରବଳ କ୍ଷୟକ୍ଷତି ହୋଇସାରିଛି । ୟୁକ୍ରେନ୍ ଅଧିକ କ୍ଷତି ସହିଛି । ବିଶ୍ବର ଅଧିକାଂଶ ରାଷ୍ଟ୍ର ରୁଷିଆ ବିରୋଧରେ ମୁହଁ ଖୋଲିଛନ୍ତି । ଅନେକ ରାଷ୍ଟ୍ର ରୁଷିଆ ଉପରେ କଟକଣା ମଧ୍ୟ ଲଗାଇଛନ୍ତି । ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ନେଦରଲାଣ୍ଡ ପ୍ରଧାନମନ୍ତ୍ରୀ ମାର୍କ ରୁଟ୍ଟଙ୍କ ସହିତ ଫୋନ୍‌ରେ କଥା ହୋଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଶତ୍ରୁତା ଶେଷ କରି ପୁଣି ଥରେ ଆଲୋଚନା ପାଇଁ ରାସ୍ତାକୁ ଓହ୍ଲାଇବାକୁ ପଡ଼ିବ । ତାଙ୍କ କହିବା ଅନୁସାରେ ରୁଷିଆ ଓ ୟୁକ୍ରେନ୍‌କୁ ଆଲୋଚନା ପାଇଁ ଟେବୁଲକୁ ଆସିବା ସ୍ୱାଗତଯୋଗ୍ୟ ପଦକ୍ଷେପ ହେବ । ଏହା ଦ୍ୱାରା ଶୀଘ୍ର ସମାଧାନର ବାଟ ବାହରିବ । ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ମୋଦୀ ୟୁକ୍ରେନ୍‌ରେ ଫସିଥିବା ଭାରତୀୟ ଓ ସେମାନଙ୍କର ଉଦ୍ଧାରକୁ ନେଇ ନେଦରଲ୍ୟାଣ୍ଡର ନେତାଙ୍କ ସହିତ କଥା ହୋଇଛନ୍ତି । ସେ କହିଛନ୍ତି ଭାରତ ତରଫରୁ ୟୁକ୍ରେନରେ ବ୍ୟାପକ ଭାବେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ପୀଡିତଙ୍କୁ ସହଯୋଗ ଦିଆଯାଉଛି । ସେମାନଙ୍କୁ ଆବଶ୍ୟକ ସାମଗ୍ରୀ ଉପଲବ୍ଧ କରାଯାଉଛି । ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ନେଦରଲ୍ୟାଣ୍ଡ ପ୍ରଧାନମନ୍ତ୍ରୀଙ୍କ ସହିତ ନିଜର ପୁରୁଣା ଦିନକୁ ମଧ୍ୟ ମନେ ପକାଇଛନ୍ତି । ସେ କହିଛନ୍ତି ଯେ, ଗତବର୍ଷ ଏପ୍ରିଲରେ ହୋଇଥିବା ଭର୍ଚ୍ୟୁଆଲ ଭେଟ ମନେପଡୁଛି । ମୁଁ ଆପଣଙ୍କୁ ଖୁବ ଶୀଘ୍ର ଭାରତରେ ଭେଟିବାକୁ ଚାହୁଁଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.