ଜେଲ ଗଲେ ବିଶ୍ୱନାଥପୁର ଡିଗ୍ରୀ କଲେଜର ପୂର୍ବତନ ଅଧ୍ୟକ୍ଷ ରମେଶ ସାହୁ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଆୟ ବର୍ହିଭୂତ ସଂପତ୍ତି ଠୁଳ ମାମଲାରେ ବିଶ୍ୱନାଥପୁରସ୍ଥିତ ମାଁ ହୀରାନୀଳା ଡିଗ୍ରୀ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁଙ୍କୁ ଜେଲ୍ ଯିବାକୁ ପଡିଛି । ଗତକାଲି ଦିନ ତମାମ ତାଙ୍କ ବିଶ୍ୱନାଥପୁର ଓ ଭୁବନେଶ୍ୱରସ୍ଥିତ ଘର ତଥା ପୋଖରୀବନ୍ଧ ଓ ଖୋର୍ଦ୍ଧାଠାରେ କ୍ରସର ୟୁନିଟ୍ ଉପରେ ଚଢଉ କରିବା ପରେ ସେ ଓ ତାଙ୍କ ପତ୍ନୀଙ୍କ ନାମରେ ପାଞ୍ଚ କୋଟି ୩୬ ଲକ୍ଷ ଟଙ୍କାର ସ୍ଥାବର ଓ ଅସ୍ଥାବର ସଂପତ୍ତି ଠାବ କରାଯାଇଥିଲା । ଜଣେ ସାଧାରଣ କଲେଜ ଅଧ୍ୟକ୍ଷଙ୍କ ଘରୁ ବିପୁଳ ପରିମାଣର ସଂପତ୍ତି ଜବତ ହେବା ଦେଖି ଭିଜିଲାନ୍ସ ଟିମ୍‌ର ଆଖି ଖୋସି ହୋଇଯାଇଥିଲା । ଏହାସହିତ ତାଙ୍କୁ ଅଧିକ ପଚରାଉଚୁରା ପାଇଁ ଭିଜିଲାନ୍ସ ପକ୍ଷରୁ ଅଟକ ରଖାଯାଇଥିଲା । ଆଜି ତାଙ୍କୁ ଭବାନୀପାଟଣାସ୍ଥିତ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିବାବେଳେ ତାଙ୍କଠାରୁ ଜବତ କୋଟି କୋଟି ଟଙ୍କାର ସଂପତ୍ତି ସଂପର୍କରେ ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ । ଫଳରେ ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତି ଏହି ମାମଲାର ଶୁଣାଣି କରି ଶ୍ରୀ ସାହୁଙ୍କୁ ଜେଲ୍ ପଠାଇଦେଇଥିବା ଜଣାପଡିଛି । ଅପରପକ୍ଷରେ ଲାଞ୍ଜିଗଡ ବ୍ଲକ ଅଞ୍ଚଳରେ ଦୀର୍ଘ ଅଠର ଘଣ୍ଟା ଧରି ଭିଜିଲାନ୍ସ ଚଢଉ ପ୍ରଥମ ହୋଇଥିବାବେଳେ ଏଥିରେ ଛଅଜଣ ଡିଏସ୍‌ପି ପାହ୍ୟାର ଅଧିକାରୀ ଓ ଚାରିଜଣ ଇନ୍ସପେକ୍ଟରଙ୍କ ସମେତ ୪୦ରୁ ବିଭାଗୀୟ କର୍ମଚାରୀ ସାମିଲ ହୋଇଥିଲେ । ତେବେ ଶ୍ରୀ ସାହୁ ଜେଲ୍ ଯିବା ପରେ ତାଙ୍କ କଳା କାରନାମାରେ ସାମିଲ ଥିବା ବ୍ୟକ୍ତିବିଶେଷମାନଙ୍କ ରାତିର ନିଦ ହଜିଯାଇଛି । ସେମାନଙ୍କ ଉପରେ ମଧ୍ୟ ଭିଜିଲାନ୍ସ ଚଢଉ ହେବାର ଆଶଙ୍କା ଏବେ ବଢିବାରେ ଲାଗିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.