ଓଡ଼ିଆ ବାର୍ତ୍ତା/ ନର୍ଲା: କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ସରିଆଁ ଗ୍ରାମ ପଞ୍ଚାୟତ ଠାରେ ଆଜି ନାଏବ ସରପଞ୍ଚ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ନୂତନ ଭାବେ ନିର୍ବାଚିତ ହୋଇଥିବା ସରପଞ୍ଚ ଏବଂ ଓ୍ବାଡ ସଭ୍ୟ ସଭ୍ୟା ମାନଙ୍କୁ ନେଇ ପ୍ରଥମ ବୈଠକ ଅନୁଷ୍ଠିତ ହୋଇ ଥିଲା । ଉକ୍ତ ବୈଠକରେ ପୂର୍ବତନ ସରିଆଁ ସରପଞ୍ଚ ଜନନୀ ଭୋଇ, ନବ ନିର୍ବାଚିତ ସରପଞ୍ଚ ଓମପ୍ରକାଶ ଛତ୍ରିଆ, ପୂର୍ବତନ ନାଏବ ସରପଞ୍ଚ, ସମସ୍ତ ନିର୍ବାଚିତ ଓ୍ବାର୍ଡ ସଭ୍ୟ/ସଭ୍ୟା, ସରକାରୀ ଅଧିକାରୀ ଓ ଗଣ୍ୟମାନ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ । ସରକାରଙ୍କ ନିୟମ ଅନୁସାରେ ଆଜି (ମାର୍ଚ୍ଚ ୧୧) ପ୍ରଥମ ବୈଠକରେ ନାଏବ ସରପଞ୍ଚ ନିର୍ବାଚନ ପ୍ରାବଧାନ ଥିବାରୁ ନିର୍ବାଚନ ଅଧିକାରୀ ଉକ୍ତ ପ୍ରସ୍ତାବକୁ ଆଗତ କରିଥିଲେ । କୈଣସି ପ୍ରତିଦ୍ବନ୍ଦୀ ନଥିବାରୁ ଶ୍ରୀମତୀ ଲୁଚନା ଘର୍ଡା ସରିଆଁ ଗ୍ରାମ ପଞ୍ଚାୟତର ନାଏବ ସରପଞ୍ଚ ଭାବେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିଲେ । ଏହାପରେ ସରପଞ୍ଚ ଓମପ୍ରକାଶ ଛତ୍ରିଆ ନୂତନ ଭାବେ ନିର୍ବାଚିତ ହୋଇଥିବା ନାଏବ ସରପଞ୍ଚଙ୍କୁ ସମ୍ବର୍ଦ୍ଧିତ କରି ତାଙ୍କର ଆସନ ଅଳଙ୍କୃତ କରିବା ପାଇଁ ଅନୁରୋଧ କରିଥିଲେ । ସରିଆଁ ପଞ୍ଚାୟତର ନାଏବ ସରପଞ୍ଚ ନିର୍ବାଚନ ଶାନ୍ତି ଶୃଙ୍ଖଳାର ସହ ସମାପନ ହୋଇଥିବା ଜଣାପଡିଛି ।