ଓଡ଼ିଆ ବାର୍ତ୍ତା/ ସିନାପାଲି (ରମେଶ ମେହେର): ସ୍ଥାନୀୟ ସ୍ୱର ସଙ୍ଗମ କଳା ପରିଷଦ ପରିସରରେ ୮୬ତମ ଉତ୍କଳ ଦିବସ ଶୁକ୍ରବାର ପାଳିତ ହୋଇଯାଇଛି । ପରିଷଦର ଉପସଭାପତି ଅଧ୍ଯାପକ ନବୀନ ଚନ୍ଦ୍ର ମେହେରଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ସଭାକାର୍ଯ୍ଯକୁ ଅନୁଷ୍ଠାନର ସଂପାଦକ ବୈଷ୍ଣବ ମେହେର ପରିଚାଳନା କରିଥିଲେ । ପ୍ରାରମ୍ଭରେ କବି ପ୍ରଦ୍ଯୁମ୍ନ କୁମାର ସିଂ ଚିନ୍ଦା ଅତିଥି ପରିଚୟ ପ୍ରଦାନ କରିବା ସହ ସମସ୍ତଙ୍କୁ ସ୍ୱାଗତ କରିଥିଲେ । କାର୍ଯ୍ଯକ୍ରମରେ ଅତିଥି ଭାବରେ ସର୍ବମଙ୍ଗଳା ମହାବିଦ୍ଯାଳୟ ଗୋଲାମୁଣ୍ତାର ଅଧ୍ଯାପକ ସଞ୍ଜୟ କୁମାର ପାଇଟାଲ୍ ଏବଂ ଶିକ୍ଷୟିତ୍ରୀ ମନୋଜା ମଞ୍ଜରୀ ଲେଙ୍କା ଯୋଗଦାନ କରିଥିଲେ । ଉତ୍କଳ ଦିବସ କେବଳ ଉତ୍ସବ ପାଳନ ଭିତରେ ସୀମିତ ନରହି ପ୍ରତ୍ଯେକ ଓଡ଼ିଆଙ୍କ ପାଇଁ ଆତ୍ମସମୀକ୍ଷାର ଦିବସ ହେଉ ବୋଲି ମଂଚାସିନ ଅତିଥି ମାନେ ମତବ୍ଯକ୍ତ କରିଥିଲେ ।ଏ ଅବସରରେ ସାମୁହିକ ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତ ଗାନ କରାଯାଇଥିଲା । କାର୍ଯ୍ଯକ୍ରମ ପରିଚାଳନାରେ ମନୋଜ ମହାନନ୍ଦ, ନମୀତା ମେହେର, ପୂଜା ମେହେର, ପ୍ରଭାତ କୁମାର ମେହେର, ଦୀପାଞ୍ଜଳି ମେହେର, ଲିପସା ମେହେର ପ୍ରମୁଖ ସହଯୋଗ କରିଥିଲେ ।