ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାରୋଡ ଠାରେ ସେବାକାରୀ କିନ୍ନର ସଂଘ ପକ୍ଷରୁ ଚାଲିଥିବା ବହୁଚରା ପୂଜାର ପୂର୍ଣ୍ଣାହୂତି ପଡିଛିି । ଗତ ମାର୍ଚ୍ଚ ୩୦ରୁ ଅପ୍ରେଲ ୧ ପର୍ଯ୍ୟନ୍ତ କିନ୍ନର ମାନଙ୍କ ଅଧିଷ୍ଠାତ୍ରୀ ଦେବୀ ବହୁଚରା ବା ମୁର୍ଗିମାତାଙ୍କ ପୂଜା ମହା ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଥିବା ବେଳେ ଅପ୍ରେଲ ୨ ଶନିବାର ଦିନ ଦେବୀଙ୍କ ମୃଣ୍ମୟୀ ପ୍ରତିମା ର ବିସର୍ଜନ ହୋଇଛି । ଚାରି ଦିନ ବ୍ୟାପି ଚାଲିଥିବା ଏହି ପୂଜାର ଶୁକ୍ରବାର ସନ୍ଧ୍ୟା ସମୟରେ ପୂର୍ଣ୍ଣାହୂତି ପଡ଼ିଥିଲା । କଳାହାଣ୍ଡି କିନ୍ନର ସଂଘ ସଭାପତି କାମିନୀ କିନ୍ନରଙ୍କ ନେତୃତ୍ୱରେ କିନ୍ନରଙ୍କ ଅଧିଷ୍ଠାତ୍ରୀ ଦେବୀ ବହୁଚରାଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରି ପୂଜାର୍ଚ୍ଚନା ଚାଲିଥିଲା । ବ୍ରହ୍ମପୁର, ରାୟଗଡା, ବରଗଡ, ସମ୍ବଲପୁର, କଣ୍ଟାବାଞ୍ଜି, ଛତିଶଗଡ ଓ ଟିଟିଲାଗଡରୁ ଶତାଧିକ କିନ୍ନର ଆସି ନର୍ଲାରୋଡ ବହୁଚରା ପୂଜା କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ । କିନ୍ନର ସଂଘ କୋଷାଧ୍ୟକ୍ଷ ରାଜୁ ଜୁଏଡ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ପାୟଲ, ମୁସ୍କାନ, ବୁଲବୁଲ, ରୀତା, ବିନୁ, ଆରତୀ, କାଜଲ କିନ୍ନର ପ୍ରମୁଖ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
(କ୍ଲିକ୍ କରି ଦେଖନ୍ତୁ ଭିଡିଓ 🖕)
ବୁଧବାର ସଂଧ୍ୟା ୫ ଘଣ୍ଟା ସମୟରେ ତୁଳାଗାଁ ପୋଖରୀରୁ ଜଳନେଇ ଭବ୍ୟ କଳସ ଯାତ୍ରା କରି ବିକ୍ରମ ଲଡ୍ଜ ସମ୍ମୁଖସ୍ଥ ପୂଜା ମଣ୍ଡପରେ ସ୍ଥାପନା କରାଯାଇଥିଲା । ସେହି ଦିନ ସନ୍ଧ୍ୟା ୮ ଘଣ୍ଟାରୁ ବହୁଚରା ମାତାଙ୍କ ପୂଜା ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟାରେ କିନ୍ନର ମାନଙ୍କ ଦ୍ବାରା ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉତ୍କଳ ଦିବସ ଦିନ ଦିବା ୧୦ ଘଣ୍ଟା ସମୟରେ ପୂଜା ମଣ୍ଡପରେ ସେବାକାରୀ କିନ୍ନର ସଂଘର ସଭାପତି କାମିନୀ କିନ୍ନରଙ୍କ ଅଧ୍ୟକ୍ଷତାରେ ଏକ ମଞ୍ଚ କାର୍ଯ୍ୟକ୍ରମରେ ବିଭିନ୍ନ ସଙ୍ଗଠନ ଓ ସମାଜସେବି ବ୍ୟକ୍ତି ବିଶେଷଙ୍କୁ ସମ୍ବଦ୍ଧିତ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବରେ ପଶ୍ଚିମ ଓଡିଶା ଯାଦବ ବିକାଶ ପରିଷଦ ସଭାପତି ବଳରାମ ସିଂ ଯାଦବ ଯୋଗଦାନ କରି କିନ୍ନର ମାନଙ୍କ ସମସ୍ୟା ବିଷୟରେ କହିବା ସହ ସେବୁର ସମାଧାନର ପନ୍ଥା ଆମ ସମସ୍ତଙ୍କୁ କରିବାକୁ ପଡିବ ବୋଲି କହିଥିଲେ । ସମ୍ମାନୀତ ଅତିଥି ଭାବରେ ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି, ନର୍ଲା ତହସିଲଦାର ମାନସ ରଞ୍ଜନ ତ୍ରିପାଠୀ, ନର୍ଲା ଡିଏସପି ରେଣୁକା ସୁନା, କଳାହାଣ୍ଡି ଡିଏସ୍ଏସ୍ଓ ମଞ୍ଜିତ ହୋତା, ସର୍ଗିଗୁଡା ସରପଞ୍ଚ ଦୀପାଞ୍ଜଳୀ ବୁଦ୍ଧିଆ, ସମିତି ସଦସ୍ୟ ଚିରଞ୍ଜିବୀ ଗୌଡିଆ, କଳାହାଣ୍ଡି ବିବେକସେନା ସଭାପତି ଶିବରାମ ନାଏକ, ଯୁବ ସମାଜସେବୀ ତଥା ଅଭିଷେକ ଇଣ୍ଡେନ ଗେସର କାର୍ଯ୍ୟନିର୍ବାହୀ ଅଧିକାରୀ ସମୀର ଚାନ୍ଦ, ଯୁବ ନେତୃତ୍ୱ ଦୀପକ କୁମାର ସାହୁ, ମୁଖ୍ୟ ବକ୍ତା ଭାବରେ ସ୍ୱପ୍ନା କୁମାର ବେହେରା ଯୋଗଦାନ କରି ବକ୍ତବ୍ୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମର ସଭାପତି କାମିନୀ କିନ୍ନର ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ନର୍ଲାରୋଡ ସେବାକାରୀ କିନ୍ନର ସଂଘ ତରଫରୁ ଅତିଥି ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା । କାର୍ଯ୍ୟକ୍ରମ ଶେଷରେ ବ୍ରହ୍ମପୁରରୁ ଆସିଥିବା କିନ୍ନର ମାନଙ୍କ ଗୁରୁ ମାତା ଶାନ୍ତି କିନ୍ନର ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ପ୍ରତ୍ୟହ ସଂଧ୍ୟାରେ ମନୋରଞ୍ଜନ କାର୍ଯ୍ୟକ୍ରମ ଗୁଡିକ ଅନୁଷ୍ଠିତ ହେଉଥିଲା । କିନ୍ନରମାନେ ପ୍ରତ୍ୟହ ସାଂନ୍ଧ୍ୟ କାର୍ଯ୍ୟକ୍ରମରେ ନାଚ ଗୀତରେ ମସଗୁଲ ରହୁଥିଲେ । ଜିଲ୍ଲା ତଥା ଜିଲ୍ଲା ବାହାରୁ ଶତାଧିକ ସଂଖ୍ୟାରେ କିନ୍ନରମାନେ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ । ଶନିବାର ସକାଳେ ବହୂଚରା ମାତାଙ୍କୁ ନେଇ ନର୍ଲାରୋଡ ନଗର ପରିକ୍ରମା କରିବା ପରେ ଭସାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ନର୍ଲା ଓ ନର୍ଲାରୋଡ ଅଞ୍ଚଳବାସୀଙ୍କ ଆକୁଣ୍ଠ ସାହାଯ୍ୟ ସହଯୋଗରେ ବହୁଚରା ମାତାଙ୍କ ପୂଜା ସଫଳତା ପୂର୍ବକ ସମ୍ପନ୍ନ ହୋଇଥିବାରୁ କିନ୍ନର ସଂଘର ସଭାପତି କାମିନୀ କିନ୍ନର ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।