ଏକଦା ଅଭାବ, ଅନାଟନ, ମରୁଡି ତଥା ଛୁଆ ବିକ୍ରି ପରି ଅନେକ ଛାତିଥରା ଘଟଣାକୁ ନେଇ କଳାହାଣ୍ଡି ଅନେକ ଅପବାଦ ମୁଣ୍ଡାଇ ଥିଲା। ଏବେ ଇନ୍ଦ୍ରାବତୀର ଆଶୀର୍ବାଦରୁ ସେ ଅପବାଦରୁ କିଛିଟା ଧୋଇ ହୋଇଯାଇଛି। ଶୁଖିଲା କଳାହାଣ୍ଡି ଶସ୍ୟଶ୍ୟାମଳ ରୂପ ଧାରଣ କରିଛି, ଅଭାବ ନେଇଛି ଅନ୍ନ ଭଣ୍ଡାରର ରୂପ। ଏହା ସତ୍ତ୍ବେ ଏବେ ବି ଅନେକ କିଛି ସମ୍ଭାବନା ଓ ବିକାଶ ଅପେକ୍ଷାରେ ଥିବା ଏ ଜିଲ୍ଲା ପଛୁଆ ହୋଇ ରହିଛି। ତେବେ ଏ ପଛୁଆ ଭିତରେ ମଧ୍ୟ ସାରା ରାଜ୍ୟ ଓ ଦେଶକୁ ଚମକାଇ ଦେଲା ଭଳି କିଛି ଆଗୁଆ ଚିତ୍ର, ଚରିତ୍ର କଳାହାଣ୍ଡି ପାଇଁ ସୁନାମ ଆଣି ଦେଇଛି। ସେଥିମଧ୍ୟରେ ସାରା ବିଶ୍ବକୁ ଆଲୋଡ଼ିତ କରିଥିବା ଚିତ୍ର ହେଲା ଜିଲ୍ଲାର କମନୀୟ କଳା ଓ ନିଆରା ସଂସ୍କୃତି। ଆଜି ଆମେ କଥା ହେବା ଏକଦା ଅଜଣା ଅଶୁଣା ହୋଇ ରହି ଯାଇଥିବା ଖଇରପଦର ଗାଁ ସମ୍ପର୍କରେ। ଯାହାର ନାମ ଆଜି ରାଜ୍ୟ ଓ ଦେଶରେ ସମ୍ମାନର ସହ ଉଚ୍ଚାରିତ ହେଉଛି।
ଧର୍ମଗଡ଼ ଉପଖଣ୍ଡ ମହକୁମାଠାରୁ ମାତ୍ର ୭ କିମି ଦୂରରେ ରହିଛି ଖଇରପଦର ଗାଁ। ପ୍ରାୟ ଅଶୀ ଦଶକରେ ଗୃହସଜ୍ଜା ପାଇଁ କାଠରେ ତିଆରି ହରିଣ ମୁଣ୍ଡ ଗାଁର ବହୁ ଲୋକଙ୍କୁ ଅନ୍ନ ସଂସ୍ଥାନ ଦେଇଥିଲେ ମଧ୍ୟ ଏତେ ସୁନ୍ଦର କଳାକୃତିର କାରିଗର ବଣମଲ୍ଲୀ ପରି ବଣରେ ଝରି ପଡୁଥିଲେ। ତାଙ୍କ କାଠ କାମ ଶାଗମାଛ ଦରରେ ବିକ୍ରି ହେଉଥିଲା। ଏବେ କିନ୍ତୁ ସମୟ ବଦଳିଛି। ଖଇରପଦର କାଠ କଳାକୃତିର ଆଦର ବଢ଼ିଛି, ତା’ ସଙ୍ଗକୁ ଚାହିଦା ମଧ୍ୟ। ରାଜ୍ୟ ତଥା ରାଜ୍ୟ ବାହାରୁ ଏବେ ଆସୁଛି ବହୁ ବରାଦ । ଗ୍ରାହକ ବରାଦ ଅନୁସାରେ ସାମଗ୍ରୀ ଯୋଗାଇବା ସମ୍ଭବ ହେଉ ନଥିବା କହନ୍ତି ଆର୍ତ୍ତତ୍ରାଣ ମହାରଣା ଓ ମୁରଲୀଧର ମହାରଣା। ସ୍ବର୍ଗୀୟ ଉଦ୍ଧବ ମହାରଣାଙ୍କ କୁଶଳୀ ହାତରେ ସେ ସମୟରେ ସ୍ବଳ୍ପ ମୂଲ୍ୟର କାଠରେ ତିଆରି ହେଉଥିଲା ହରିଣ ମୁଣ୍ଡ, ବାଘ ମୁଣ୍ଡ, ଲକ୍ଷ୍ମୀ ପ୍ରତିମା ଇତ୍ୟାଦି। କିନ୍ତୁ ବର୍ଷା ଆଉ ପୋକ ଯୋଗୁଁ ମୂର୍ତ୍ତିଗୁଡିକ କ୍ଷଣସ୍ଥାୟୀ ହେଉଥିଲା। ଉଦ୍ଧବଙ୍କ ପୁଅ ଆର୍ତ୍ତ ଓ ନାତି ମୁରଲୀ ସ୍କୁଲ ସମୟ ପରେ ନିରେଖି ଦେଖୁଥିଲେ ବିନ୍ଧାଣିଙ୍କ ନିଖୁଣ କଳା କୌଶଳକୁ। ଆଗକୁ ଅଧିକ ପାଠ ପଢିବା ପାଇଁ ଇଚ୍ଛା ଥିଲେ ମଧ୍ୟ ଅର୍ଥାଭାବ ତାଙ୍କୁ ନିହାଣ ଧରିବାକୁ ବାଧ୍ୟ କରିଦେଇଥିଲା। କ୍ରମଶଃ ସେ କଳା ପ୍ରତି ଆକର୍ଷିତ ହୋଇଯାଇଥିଲେ। ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପଢିଥିବା ଆର୍ତ୍ତତ୍ରାଣ ଓ ମାଟ୍ରିକ ପଢୁଥିବା ମୁରଲୀ ଏବେ ଜଣେ ନିପୁଣ କାରିଗର। ଜିଲ୍ଲାର ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ଦେଶର ପ୍ରଧାନମନ୍ତ୍ରୀଙ୍କ ଯାଏ ସମସ୍ତେ ସେମାନଙ୍କ କଳାକୃତିରେ ଚକିତ ହୋଇଛନ୍ତି।
ଖଇରପଦର କାଠ ଶିଳ୍ପୀ ସଂସ୍ଥା ନାମରେ ସେମାନେ ଏକ ସଂସ୍ଥା ମଧ୍ୟ ଗଠନ କରିଛନ୍ତି। ୧୯୮୧ ମସିହାରୁ ପଞ୍ଜିକୃତ ଏହି ସଂସ୍ଥା ମାଧ୍ୟମରେ କାରୁକାର୍ଯ୍ୟ ଓ କାଠ ଶିଳ୍ପୀଙ୍କ ବିକାଶ ପାଇଁ ସେମାନେ ଉଦ୍ୟମରତ। ପ୍ରଥମେ ଆର୍ତ୍ତତ୍ରାଣ ପରେ ମୁରଲୀ ସଂସ୍ଥାର ଦାୟିତ୍ୱ ତୁଲାଉ ଆସୁଛନ୍ତି। ପ୍ରାୟ ପ୍ରତିବର୍ଷ କେନ୍ଦ୍ର ସରକାରଙ୍କ ଦ୍ବାରା ବିଭିନ୍ନ ସଂସ୍ଥାରେ ଏମାନେ ଏଠାରୁ ବିଭିନ୍ନ ଯୁବକ ମାନଙ୍କୁ ତାଲିମ ପାଇଁ ପଠାଇ ସେମାନଙ୍କୁ ସ୍ବାବଲମ୍ବୀ କରିଥାନ୍ତି। ଏଠାରେ ଅନେକ ଭିନ୍ନକ୍ଷମ ମଧ୍ୟ କର୍ମନିଯୁକ୍ତି ପାଇଛନ୍ତି। ଏହା ବ୍ୟତୀତ ଏଠାରେ ଶିଳ୍ପୀ ଆର୍ତ୍ତତ୍ରାଣ ମହାରଣା ଓ ମୁରଲୀଧର ମହାରଣା ଭିନ୍ନ ଭିନ୍ନ ଦୁଇଟି କର୍ମଶାଳା ପ୍ରତିଷ୍ଠା କରିଥିବା ବେଳେ ଶିଳ୍ପୀ ଅରୁଣ ମହାରଣା ଓ ବନମାଳୀ ମହାରଣା ମିଳିତ ଭାବେ ମାଣିକେଶ୍ଵରୀ କାଠ କଣ୍ଢେଇ ତାଲିମ କେନ୍ଦ୍ର ପ୍ରତିଷ୍ଠା କରିଛନ୍ତି। ଏଠାରେ କେବଳ ମହାରଣା ନୁହଁନ୍ତି, ସବୁ ବର୍ଗର ବେକାରି ତଥା ଭିନ୍ନକ୍ଷମ ଯୁବକମାନଙ୍କ ପାଇଁ ନିଯୁକ୍ତିର ଅପୂର୍ବ ସୁଯୋଗ ଏମାନେ ଆଣି ଦେଇଛନ୍ତି। ଉଭୟ କର୍ମଶାଳାରେ ଶାଗୁଆନ ଓ ଶାଳ କାଠରେ ନିର୍ମିତ ବିଭିନ୍ନ କିସମର ହାତୀ, ହରିଣ, ଗଣ୍ଡା ତଥା ପଶୁ ପକ୍ଷୀ ଓ ଠାକୁରଙ୍କ ପ୍ରତିମୂର୍ତ୍ତି ଓଡ଼ିଶାର ବିଭିନ୍ନ ହସ୍ତଶିଳ୍ପ ବିକ୍ରୟସ୍ଥଳକୁ ପଠାଯିବା ସହ ଦିଲ୍ଲୀ, ମୁମ୍ବାଇ, ବାଙ୍ଗାଲୋର ଆଦି ଅନେକସ୍ଥାନର ଶିଳ୍ପ ପ୍ରତିଷ୍ଠାନ ଓ ବ୍ୟକ୍ତି ବିଶେଷମାନଙ୍କୁ ବରାଦ ଅନୁଯାୟୀ ଯୋଗାଇ ଦିଆଯାଏ।
ଏହି କାରିଗରମାନେ ରାଜ୍ୟ ତଥା ରାଜ୍ୟ ବାହାରେ ବିଭିନ୍ନ ପ୍ରଦର୍ଶନୀରେ ଭାଗ ନେଇ ନିଜ ତଥା କଳାହାଣ୍ଡିର ଗୌରବ ବଢ଼ାଇଛନ୍ତି। ଖଇରପଦର କାଠ ମୂର୍ତ୍ତି ଏତେ ଜୀବନ୍ତ ଯେ ତାକୁ ଦେଖିଲେ ଛାତିରେ କମ୍ପନ ସୃଷ୍ଟି ହୁଏ। ମନ ଭିତରେ ଆପେ ଆପେ ଉଚ୍ଚାରିତ ହୁଏ, ସତରେ କାଠର ବି ଜୀବନ ଅଛି। ଖଇରପଦର କାଠ ଶିଳ୍ପକୁ ନେଇ କଳାହାଣ୍ଡି ଗୌରବାନ୍ବିତ। କିନ୍ତୁ ବିଡ଼ମ୍ବନା ସେ ଗୌରବ ଆଣିଥିବା ଶିଳ୍ପୀମାନେ ବର୍ଷ ବର୍ଷ ଧରି ଭୋଗୁଥିବା ସମସ୍ୟା ପ୍ରତି ନା ପ୍ରଶାସନ ନା ସରକାର କେହି ସଚେତନ ନୁହନ୍ତି। ସମୟ ଆସିଛି, ଏକ ଜାତିର ସୁନାମଧନ୍ୟ କଳାକୃତିକୁ ବଞ୍ଚାଇ ରଖିବା ପାଇଁ ଖଇରପଦରକୁ ଶିଳ୍ପୀ ଗ୍ରାମ ମାନ୍ୟତା ଦେଇ ଏଠାକାର ଶିଳ୍ପୀମାନଙ୍କୁ ସମସ୍ତ ପ୍ରକାର ସୁବିଧା, ସୁଯୋଗ ଯୋଗାଇ ଦେବା ପାଇଁ ସରକାର, ପ୍ରଶାସନ ଆନ୍ତରିକତା ଦେଖାନ୍ତୁ।