ଶୂନ୍ୟଗର୍ଭା ସାନ୍ଦୁଲ ନଦୀ, ପାନୀୟ ଜଳ ଯୋଗାଣ ହୋଇପାରେ ପ୍ରଭାବିତ
ଗ୍ରାମାଞ୍ଚଳରେ ଖସୁଛି ଜଳସ୍ତର: ଆଗକୁ ଦେଖା ଯାଇ ପାରେ ଉତ୍କଟ ଜଳ ସମସ୍ୟା
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଅଞ୍ଚଳରେ ଏବେଠୁ ଆରମ୍ଭ ହୋଇଗଲାଣି ପାନୀୟ ଜଳ ସମସ୍ୟା । ଏମିତିରେ ତ ଚଳିତ ବର୍ଷ ହୀନବୃଷ୍ଟି ଯୋଗୁଁ ବର୍ଷାଦିନରୁ ହିଁ ନଈ, ନାଳ, ବନ୍ଧ, ପୋଖରୀ ସବୁଠିରେ ପାଣି କମିଲା । ଅଭାବୀ ବର୍ଷା ଯୋଗୁଁ ଜଳାଶୟ ଗୁଡିକ ପୂର୍ଣ୍ଣ ହୋଇପାରି ନଥିଲା । ଫଳ ସ୍ୱରୁପ ଜଳାଶୟ ଗୁଡିକରେ ମାର୍ଚ୍ଚ, ଅପ୍ରେଲ ମାସ ଯାଏଁ ପାଣିଭରି ରହିବା କଥା ହେଲେ ଗତ ମାର୍ଚ୍ଚ ମାସରୁ ପାଣି ଶୁଖି ସାରିଲାଣି । ଗାଈଗୋରୁ ପିଇବା ପାଇଁ ମଧ୍ୟ ପାଣି ମୁନ୍ଦିଏ ନାହିଁ । ପିଲାଏ ପୋଖରୀ ମଧ୍ୟରେ କ୍ରୀକେଟ ଖେଳୁଥିବା ଦୃଶ୍ୟମାନ ହେଉଛି । ନର୍ଲାର ସଦର ମହକୁମା, ରୁପ୍ରାରୋଡ଼ ଭଳି କେତେକ ସ୍ଥାନକୁ ଛାଡିଦେଲେ ନର୍ଲା ବ୍ଲକର ଗ୍ରାମାଞ୍ଚଳ ଗୁଡିକରେ ପାନୀୟ ଜଳର ଅନେକ ସମସ୍ୟା ରହୁଛି । ଏହାବାଦ ନର୍ଲା, ସର୍ଗିଗୁଡା, ନର୍ଲାରୋଡ ଓ ବେହେରାପାଟିକୁ ସର୍ଗିଗୁଡା ଗେଟ୍ ଫାଟକ ନିକଟସ୍ଥ ସାନ୍ଦୁଲ ବ୍ରୀଜ୍ ନିକଟରୁ ଆରଡବ୍ଲୁଏସ୍ଏସ୍ ତରଫରୁ ପାନୀୟ ଜଳ ଯୋଗାଣ ଚାଲିଛି । ସେହିଭଳି ସାନ୍ଦୁଲ ନଈ କଡେ କଡେ ରହିଥିବା ନିକଟସ୍ଥ ଗ୍ରାମ ଗୁଡିକ ମାଣ୍ଡେଲ, ରୁପ୍ରାରୋଡ, ଲାଖଗୁଡା, ଭୀମକେଲା, ପଲସାପଡା ଏଭଳି ଅନେକ ଗୁଡିଏ ଗ୍ରାମକୁ ବିଭାଗ ତରଫରୁ ପାନୀୟ ଜଳ ଯୋଗାଣ ଚାଲିଥିବା ବେଳେ ସାନ୍ଦୁଲ ନଈ ବର୍ତ୍ତମାନ ଜଳଶୂନ୍ୟ । ଶୂନ୍ୟଗର୍ଭା ସାନ୍ଦୁଲ ଯେ ଚଳିତ ବର୍ଷ ପାନୀୟ ଜଳ ଯୋଗାଇ ପାରିବ ବୋଲି ଆଉ ଭରଷା ମଧ୍ୟ ପାଉନି । ପ୍ରଶାସନ ପକ୍ଷରୁ ନଇରେ ବାଲି ଆଡେଇ ଚହଲା ସବୁ କରିବା କଥା ହେଲେ ଏ ଯାବତ୍ ତାହା ମଧ୍ୟ କରାଯାଇନାହିଁ । ଏପଟେ ନର୍ଲା ଅଞ୍ଚଳର ଜଳସ୍ତର ମଧ୍ୟ କ୍ରମଶଃ ତଳକୁ ତଳ ଖସିବାରେ ଲାଗିଛି । ମାର୍ଚ୍ଚମାସ ଆରମ୍ଭରୁ କୂଅ ସବୁ ଶୁଖି ସାରିଲାଣି । ଜଳସ୍ତର ଖସି ଯାଉଥିବା ଯୋଗୁଁ ନଳକୂଅ ଗୁଡିକରେ ମଧ୍ୟ ଆଉ ପ୍ରଚୁର ପାଣି ବାହାରି ପାରୁ ନାହିଁ । ଯଦି ବା ବାହାରୁଛି କଳଙ୍କି ଗୁଣ୍ଡ ମିଶା ମଇଳା ପାଣି ବାହାରୁଛି ଯାହା ପାନୀୟ ଯୋଗ୍ୟ ନୁହଁ । ଅଞ୍ଚଳର ଅନେକ ନଳକୂଅ ଦୀର୍ଘ ଦିନ ଧରି ଖରାପ ହୋଇ ପଡିଥିଲେ ମଧ୍ୟ ବିଭାଗ ତରଫରୁ ତତ୍ପରତା ପ୍ରକାଶ ପାଉନାହିଁ । ରେଳ ଲାଇନ୍ କଡେ କେସିଙ୍ଗାରୁ ଲାଞ୍ଜିଗଡରୋଡ ଯାଏଁ ରହିଥିବା ଗାଁ ଗୁଡିକରେ ଲୋକେ ବେଦାନ୍ତ କମ୍ପାନୀ ଦୟାରୁ ତେଲ ନଦୀର ପାଣିପାଇ ଜଳକଷ୍ଟରୁ ଟିକେ ନିସ୍ତାର ପାଉଥିବା ଦେଖିବାକୁ ମିଳୁଛି । ନର୍ଲା ଅଞ୍ଚଳ ସମ୍ପୂର୍ଣ୍ଣ ଭାବରେ ଗ୍ରାମାଞ୍ଚଳ ହୋଇଥିବାରୁ ୮୫ ପ୍ରତିଶତ ଲୋକେ ପାନୀୟ ଜଳ ତଥା ସ୍ନାନ ଓ ଶୌଚ ପାଇଁ କୂଅ ଓ ପୋଖରୀ ଗୁଡିକ ଉପରେ ନିର୍ଭର କରିଥାନ୍ତି । ହେଲେ ଅଞ୍ଚଳର କେତେକ ପୋଖରୀ ଶୁଖି ସାରିଲାଣିତ ଆଉ କେତେ ଗୁଡିଏ ପୋଖରୀ ଅଳ୍ପଦିନ ମଧ୍ୟରେ ଶୁଖିଯିବ । ଆଗକୁ ଆସୁଛି ପ୍ରଚଣ୍ଡ ଖରା ତାତି । ଏବେଠୁ ନର୍ଲା ଅଞ୍ଚଳରେ ପାଣି ପାଇଁ ହା ହା କାର ଦେଖା ଦେଲାଣି । ମଣିଷତ ମଣିଷ ପଶୁ ପକ୍ଷୀ ମଧ୍ୟ ପାଣି ମୁନ୍ଦିଏ ପାଇଁ ଜୀବନ ବିକଳରେ ଜଳଂଦେହୀ ଚିତ୍କାର କରିବା ସ୍ଥିର ନିଶ୍ଚିତ ପ୍ରାୟ । ଏଣୁ ପ୍ରଶାସନ ଯଦି ଏବଠୁ ସଜାଗ ନହେବ ତା ହେଲେ ଅଂଶୁଘାତ ଜନିତ ମୃତ୍ୟୁ ସଂଖ୍ୟା ଢେର ବଢି ଯିବାର ସମ୍ଭାବନା ରହିଛି । ବ୍ଲକର ପ୍ରତି ପଞ୍ଚାୟତ ଅଞ୍ଚଳରେ ଅଦ୍ୟାବଧି ଜଳଛତ୍ର ଖୋଲାଯାଇ ନାହିଁ । କାଁ ଭାଁ ରାସ୍ତା କଡରେ ଗୋଟାଏ ଦୁଇଟି ଜଳଛତ୍ର ଖୋଲାଯାଇଥିବା ଦୃଶ୍ୟମାନ ହେଉଛି । ପ୍ରଶାସନ ତରଫରୁ ନଈରେ ଚହଲା କରିଦେବା, ଟ୍ୟାଙ୍କର ସାହାଯ୍ୟରେ ପାନୀୟ ଜଳ ଯୋଗାଇବାର ବ୍ୟବସ୍ଥା କରିବା, ବୋରିଂ ଗୁଡିକ ସଫା ଓ ମରାମତି କରେଇବା ପାଇଁ ଅଞ୍ଚଳବାସୀଙ୍କ ତରଫରୁ ଦାବୀ ହେଉଛି ।