ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଭବାନୀପାଟଣାରୁ ଜୟପୁରକୁ ସଂଯୋଗ କରୁଥିବା ଜାତୀୟ ରାଜପଥ ୨୬ର କୋକସରା ବ୍ଲକ ରେଙ୍ଗାଳପାଲି ଛକ ନିକଟରେ ରହିଥିବା ମୁଣ୍ଡରା ନଦୀ ବ୍ରିଜର ଜଏଣ୍ଟରେ ଅନେକ ମାସ ହେବ ଫାଟ ହୋଇ ରଡ଼ ସବୁ ବାହାରକୁ ଦେଖାଯାଉଛି । ଆସ୍ତେ ଆସ୍ତେ ଏହି ବ୍ରିଜ ଫାଟ ଦୁର୍ବଳ ହେବାସହ ସିମେଣ୍ଟ ଖଣ୍ଡ ଗୁଡାକ ଛାଡି ଗଲାଣି । ଏହି ଜାତୀୟ ରାଜପଥ ଏକ ପ୍ରମୁଖ ରାସ୍ତା ହୋଇଥିବା ଯୋଗୁଁ ପ୍ରତି ଦିନରାତି ରାସ୍ତାରେ ଶହ ଶହ ସଂଖାରେ ଯାତ୍ରୀବାହୀ ବସ, ଭାରିଯାନ ସହ ଅନ୍ୟ ଗାଡି ମୋଟର ଯାଆସ କରିଥାଏ । ଅନେକ ସମୟରେ ଦୁର୍ଘଟଣା ହେଉଥିବା ମଧ୍ୟ ଦେଖିବାକୁ ମିଳୁଛି । ବ୍ରିଜ ର ଫାଟ ବିପଦ ସଂକୁଳ ରହିଥିବା ନେଇ ବିଭିନ୍ନ ଗଣମାଧ୍ୟମ ରେ ଖବର ପ୍ରକାଶିତ ମଧ୍ୟ ପାଉଛି । ଖବର ପରେ ନାମକୁ ବିଭାଗ କେବେ ସିମେଣ୍ଟ ମିଶା ଗୁଣ୍ଡ ଆଣି ମରାମତି କରୁଥିବା ବେଳେ ଅଳ୍ପ ଦିନ ପରେ ପୁଣି ସେହି ଅବସ୍ଥା ଦେଖିବାକୁ ମିଳୁଛି । ବର୍ତମାନ ପୋଲର ବିଭିନ୍ନ ଜଏଣ୍ଟ ଛାଡି ଲୁହା ରଡ଼ ସବୁ ବାହାରି ପଡିଥିବା ବେଳେ କେତେବେଳେ ଯେ ବଡ ଧରଣର ଦୁର୍ଘଟଣା ହେବ ତାହାକୁ ଏଡାଇ ଦିଆ ଯାଇପାରିବ ନାହିଁ । ଦୁର୍ଘଟଣା ପରେ କଣ ଜାତୀୟ ରାଜପଥ ଅଧିକାରି ଙ୍କ ନିଦ ଭାଙ୍ଗିବ କି ବୋଳି ସାଧାରଣ ଲୋକ ଅଭିଯୋଗ କରୁଛନ୍ତି । ଏ ନେଇ କେସିଙ୍ଗା ଜାତୀୟ ରାଜପଥ ବିଭାଗର ସହକାରୀ ଯନ୍ତ୍ରୀ ମଲ୍ଲିକ ବାବୁଙ୍କ ପ୍ରତିକ୍ରିୟା ନେବାରୁ ମୁଁ ନିଜେ ଯାଇ ସ୍ଥିତି ଅନୁଧ୍ୟାନ କରିଛି ଓ ଏନେଇ ବିଭାଗ ମରାମତି ପାଇଁ ଆଲଟମେଣ୍ଟ ପାଇଁ ପଠାଯାଇଛି, ଆସନ୍ତା ୩/୪ ଦିନ ମଧ୍ୟରେ ମରାମତି ହୋଇଯିବ ବୋଳି ପ୍ରତିକ୍ରିୟା ଦେଇଛନ୍ତି ।