ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଭୂବନେଶ୍ୱର ସ୍ଥିତ “ପୂଣ୍ୟ ଉତ୍କଳ ଫାଉଣ୍ଡେସନ”ର ଅଷ୍ଟମ ବାର୍ଷିକ ଉତ୍ସବରେ କଳାହାଣ୍ଡି ବିବେକ ସେନାର ସମ୍ପାଦକ ତଥା କବି, ସମାଜସେବୀ, ଓଡିଶା ରାଜ୍ୟ ପରିବହନ କର୍ମଚାରୀ ସଂଘ କଳାହାଣ୍ଡିର ସମ୍ପାଦକ ମୋହନ କୁମାର ଭଟ୍ଟ ସମ୍ବର୍ଦ୍ଧିତ ହୋଇଛନ୍ତି । ଏ ନେଇ କଳାହାଣ୍ଡି ବିବେକେ ସେନା ଓ କଳାହାଣ୍ଡି ଓଡିଶା ରାଜ୍ୟ ପରିବହନ କର୍ମଚାରୀ ସଂଘରେ ଖୁସିର ଲହରୀ ଖେଳିଯିବା ସହ ମୋହନ ଭଟ୍ଟଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି । ଗତ ପଣା ସଂକ୍ରାନ୍ତି ଅବସରରେ ଭୁବନେଶ୍ୱର ଜାଭିୟର ଛକ ସ୍ଥିତ ଓଡିଶୀ ଗବେଷଣା କେନ୍ଦ୍ରରେ “ପୂଣ୍ୟ ଉତ୍କଳ ଫାଉଣ୍ଡେସନ”ର ଅଷ୍ଟମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏକ ଭବ୍ୟ କାର୍ଯ୍ୟକ୍ରମରେ ବିଶିଷ୍ଟ ସ୍ତମ୍ବକାର ଶ୍ରୀରାମ ଦାସଙ୍କ ସଭାପତିତ୍ୱରେ “ପୂଣ୍ୟ ଉତ୍କଳ ଫାଉଣ୍ଡେସନ”ର ଅଧ୍ୟକ୍ଷ ଓଡିଶା ରାଜ୍ୟ ପରିବହନ ନିଗମର ଅର୍ଥ ପରାମର୍ଶଦାତା ମନୋରଜନ ମହାପାତ୍ରଙ୍କ ନେତୃତ୍ୱରେ ଅନୁଷ୍ଠିତ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମରେ ଓଡିଶାର ପୂର୍ବତନ ମୁଖ୍ୟ ଶାସନ ସଚୀବ ବିଜୟ କୁମାର ପଟ୍ଟନାୟକ ଯୋଗଦାନ କରି ଉତ୍ସବଟିକୁ ଉଦ୍ଘାଟନ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ଅତିରିକ୍ତ ମୁଖ୍ୟ ଶାସନ ସଚୀବ ଉପେନ୍ଦ୍ର ନାଥ ବେହେରା, ବିଶିଷ୍ଟ ଅତିଥି ଭାବରେ ପୂର୍ବତନ ଅତିରିକ୍ତ ପୋଲିସ ମହା ନିର୍ଦ୍ଦେଶକ ଗୋପବନ୍ଧୁ ନାୟକ, ମୁଖ୍ୟ ବକ୍ତା ଭାବରେ ବିଶିଷ୍ଟ କବି ପ୍ରବୀର କୁମାର ମହାନ୍ତି ପ୍ରମୁଖ ଯୋଗଦାନ କରିଥିଲେ । ଇତ୍ୟବସରରେ ସମାଜସେବା, ସମାଜ ପ୍ରତି ଅତୁଳନୀୟ ଅବଦାନ ପାଇଁ ବିଭିନ୍ନ ପ୍ରତିଭାବାନ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ନର୍ଲାର ବିଶିଷ୍ଟ କବି, ବିବେକ ସେନା କଳାହାଣ୍ଡିର ସମ୍ପାଦକ, ଓଡିଶା ରାଜ୍ୟ ପରିବହନ ନିଗମ କଳହାଣ୍ଡି କର୍ମଚାରୀ ସଂଘର ମୋହନ କୁମାର ଭଟ୍ଟଙ୍କୁ ତାଙ୍କର ନିସ୍ୱାର୍ଥପର ସମାଜସେବା, କବିତା ମାଧ୍ୟମରେ ଜନସଚେତନତା ସୃଷ୍ଟି କରିବା ଭଳି ମହନୀୟତା ପୂର୍ଣ୍ଣ କାର୍ଯ୍ୟପାଇଁ ମଞ୍ଚରେ ମାନପତ୍ର, ଉପଢୌକନ ଦେଇ ଅତିଥି ବୃନ୍ଦ ସମ୍ବର୍ଦ୍ଧିତ କରିଥିଲେ ।





