ଓଡ଼ିଆ ବାର୍ତ୍ତା/ ସିନାପାଲି (ରମେଶ ମେହେର): ବଜରଙ୍ଗ ଦଳ ଏବଂ ବିଶ୍ୱ ହିନ୍ଦୁ ପରିଷଦର ଆହ୍ୱାନରେ ସିନାପାଲି ଠାରେ ମହାବୀର ହନୁମାନଙ୍କ ଜନ୍ମଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । ଏ ଅବସରରେ ସକାଳୁ ସ୍ଥାନୀୟ ହନୁମାନ ମନ୍ଦିରରେ ଯଥାବିଧି ପୂଜାଅର୍ଚ୍ଚନା ପରେ ସାମୁହିକ ହନୁମାନ ଚାଳିଶା ପାଠ କରାଯାଇଥିଲା । ଏହା ପରେ ନେହେରୁ ମଣ୍ତପ ଏବଂ ଜଗନ୍ନାଥ ଛକ ଠାରେ ସାଧାରଣରେ ପଣା ବଣ୍ଟନ କରାଯାଇଥିଲା । ଏଥିସହ ସଂଧ୍ଯାରେ ଏକ ବିଶାଳ ଶୋଭାଯାତ୍ରା ହନୁମାନ ମନ୍ଦିର ଠାରୁ ବାହାରି ସିନାପାଲି ନଗର ପରିକ୍ରମା କରିଥିଲା । ଶୋଭାଯାତ୍ରାରେ ସିନାପାଲି ସହରର ଶହଶହ ବୁଦ୍ଧିଜୀବୀ, ଯୁବକଙ୍କ ସମେତ ହାତୀବନ୍ଧା, ଗଣ୍ତାବାହାଲି, ବରଗାଁ, ପଲସାପଡ଼ା, ସାଗୁନଭାଡ଼ି, କୋଦୋବେଡ଼ା ଆଦି ଗ୍ରାମର ହନୁମାନ ପ୍ରେମୀ ସାମିଲ ହୋଇଥିଲେ । ଶୋଭାଯାତ୍ରାକୁ ସହରର ବିଭିନ୍ନ ସ୍ଥାନରେ ବନ୍ଧାପନା କରି ମାଆ ଭଉଣୀ ମାନେ ସ୍ୱାଗତ କରିଥିବା ଦେଖିବାକୁ ମିଳିଥିଲା । ଶୋଭାଯାତ୍ରା ଜଗନ୍ନାଥ ମନ୍ଦିର ଠାରେ ପହଂଚିଲା ପରେ ସେଠାରେ ସମସ୍ତେ ସାମୁହିକ ଅନ୍ନ ଭୋଜନ ଗ୍ରହଣ କରିଥିଲେ । ଏହା ପରେ ସ୍ଥାନୀୟ କଳାକାରଙ୍କ ଦ୍ୱାରା ଭକ୍ତିଭଜନ ପରିବେଷଣ କରାଯାଇଥିଲା । କାର୍ଯ୍ଯକ୍ରମ ସଫଳତାରେ ଉଭୟ ବଜରଙ୍ଗ ଦଳ ଓ ହିନ୍ଦୁ ପରିଷଦର କର୍ମକର୍ତ୍ତାଙ୍କ ସହ ସ୍ଥାନୀୟ ସମସ୍ତ କ୍ଲବ, ସାଂକୃତିକ, ଧାର୍ମୀକ, ସାମାଜିକ ଆଦି ଅନୁଷ୍ଠାନର ସଦସ୍ଯମାନେ ସହଯୋଗ କରିଥିଲେ ।





