ପୋତି ହେଲାଣି ଫୁଲଝରି ସେଚ ପ୍ରକଳ୍ପ : ରହୁନି ପାଣି, ରବି ଚାଷରୁ ବଞ୍ଚିତ ଶତାଧିକ ଚାଷୀ

ଓଡ଼ିଆ ବାର୍ତ୍ତା/ ଚନ୍ଦାହାଣ୍ଡି (କାମିନୀ ରଞ୍ଜନ ପାଣ୍ଡେ): ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକର ଚାଷୀକୁ ପାଣି ଯୋଗେଇ ଦେବାକୁ ୮୦ ଦଶକରେ ନିର୍ମାଣ ହୋଇଥିଲା ଫୁଲଝରି କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ । ଦଳବେଡା ପଞ୍ଚାୟତର ଭାଟିପଡ଼ା ନିକଟ ଭଣ୍ଡାର ନଦୀ ଉପରେ ଏହାକୁ ନିର୍ମାଣ କରାଯାଇଥିଲା । ଲକ୍ଷ ଥିଲା ବ୍ଲକର ୫ଟି ପଞ୍ଚାୟତର ୧୬୦୦ ହେକ୍ଟର ଜମିକୁ ଜଳ ସେଚିତ କରିବା । ପରିତାପର ବିଷୟ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ଏହି ପ୍ରକଳ୍ପ ଏବେ ପୋତି ହୋଇ ଗଲାଣି । ପଙ୍କ କାଦୁଅରେ ପୋତି ହୋଇଥିବାରୁ ଆଗଭଳି ପାଣି ରହୁନାହିଁ ।ଅକ୍ଟୋବର ମାସରୁ ଶୁଖିଲା ପଡୁଛି ପ୍ରକଳ୍ପ । ଏହାଦ୍ୱାରା ଶତାଧିକ ଚାଷୀ ରବି ଚାଷରୁ ଶତାଧିକ ହେଉଛନ୍ତି ।ତତ୍କାଳୀନ ରାଜ୍ୟ ଜଳସେଚନ ମନ୍ତ୍ରୀ ତଥା ବର୍ତ୍ତମାନର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ତତ୍ୱାବଧାନରେ ନିର୍ମାଣ ହୋଇଥିଲା ଫୁଲଝରୀ କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ । ୧୯୯୮ ମସିହାରେ ଶରଧପୁର ପଞ୍ଚାୟତର ଝରାବାହାଲ, ଚନ୍ଦାହାଣ୍ଡି ପଞ୍ଚାୟତର ହଳଦୀ ଏବଂ ମୋହରା ପଞ୍ଚାୟତର ପୂଜାରୀଗୁଡା ଚାଷୀମାନେ ଅଧିକ ଉପକୃତ ହେଉଥିଲେ । ସେମାନଙ୍କ ସହ ଜମାଦାରପଡା ପଞ୍ଚାୟତ ଏବଂ ପାଟଖଲିଆ ପଞ୍ଚାୟତର କେତେକ ଚାଷୀ ସୁବିଧା ପାଉଥିଲେ । ଅନ୍ୟ ସ୍ଥାନକୁ କେନାଲ ଯାଇପାରି ନଥିବାରୁ ଜଳସେଚନ ସୁବିଧାରୁ ବଞ୍ଚିତ ହେଉଛନ୍ତି ଚାଷୀ । ସେମାନେ କିନ୍ତୁ ନିୟମିତ ଜଳକର ବାନ୍ଧୁଛନ୍ତି । ଦୁଃଖର ବିଷୟ, ପ୍ରକଳ୍ପର ମରାମତି ଅଭାବରୁ ସାଇଫନ୍ ସବୁ ଭାଙ୍ଗିରୁଚି ନଷ୍ଟ ହୋଇଗଲାଣି । ଏଠାରେ କାନ୍ଥ ସବୁ ଫାଟି ଆଁ କଲାଣି । କାଦୁଅରେ ପୋତି ହୋଇ ଗଲାଣି ପୁରା ପ୍ରକଳ୍ପ ।ପ୍ରତିବର୍ଷ ଅକ୍ଟୋବର ମାସରୁ ଆଉ ପ୍ରକଳ୍ପରେ ପାଣି ରହୁନି । ଶତାଧିକ ହେକ୍ଟର ଜମି ପଡିଆ ପଡୁଛି। ରବି ଋତୁରେ ସରକାରଙ୍କ ତରଫରୁ ମିଳୁଥିବା ବିଭିନ୍ନ ଯୋଜନାରେ ଫାଇଦା ଉଠାଇ ପାରୁନାହାନ୍ତି ଚାଷୀ । ଏହାକୁ ସ୍ୱୀକାର କରିଛନ୍ତି ବ୍ଲକର ସହକାରୀ କୃଷି ଅଧିକାରୀ । ସେ କହିଛନ୍ତି ୧୬୦୦ ହେକ୍ଟର ଜମିକୁ ଏହି ପ୍ରକଳ୍ପ ଜଳ ସେଚିତ କରୁଥିବା ବିଭାଗୀୟ ମୁଖ୍ୟ ଯନ୍ତ୍ରୀ କୃଷି ବିଭାଗକୁ ରିପୋର୍ଟ ଦେଇଛନ୍ତି । ଅନ୍ୟ ପକ୍ଷରେ ପାଣି ନପାଇ ବହୁ ଚାଷୀ ଜଳକର ବାନ୍ଧୁଥିବା ଅଭିଯୋଗକୁ ସ୍ୱୀକାର କରିଛନ୍ତି ଚନ୍ଦାହାଣ୍ଡି ତହସିଲଦାର । ସେ କହିଛନ୍ତି ,ଚାଷୀମାନେ ସେମାନଙ୍କ ସମସ୍ୟା ସମ୍ପର୍କରେ ଲିଖିତ ଅଭିଯୋଗ କଲେ ପଦକ୍ଷେପ ନିଆଯିବ । ଅଞ୍ଚଳବାସୀ କହିଛନ୍ତି, ପ୍ରକଳ୍ପର ମରାମତି ଦିଗରେ ପ୍ରଶାସନ ପକ୍ଷରୁ ଦୃଷ୍ଟି ଦିଆଯାଉନାହିଁ । ଯୁଦ୍ଧକାଳୀନ ଭିତ୍ତିରେ ପ୍ରକଳ୍ପର ମରାମତି କରାନଗଲେ ଆଗାମୀ ଦିନରେ ଆନ୍ଦୋଲନ କରାଯିବ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି । ଅନ୍ୟ ପକ୍ଷରେ କ୍ଷୁଦ୍ର ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀଙ୍କ ସହ ଯୋଗାଯୋଗ ପାଇଁ ଆମେ ଉଦ୍ୟମ କରିଥିଲୁ । ତାଙ୍କ ଫୋନ ବନ୍ଦ ଥିବାରୁ ପ୍ରତିକ୍ରିୟା ମିଳି ପାରିନାହିଁ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.