ନବ ନିର୍ବାଚିତ ଲୋକପ୍ରତିନିଧିଙ୍କ ମଧ୍ୟରେ ପ୍ରବଳ ଉତ୍ସାହ
ବିଭିନ୍ନ ବିଷୟକୁ ନେଇ ହେଲା ଆଲୋଚନା
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ସଭାଗୃହ ଠାରେ ଆଜି ଅନୁଷ୍ଠିତ ହୋଇଯାଇଛି ପଞ୍ଚାୟତ ସମିତି ବୈଠକ । ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ବୈଠକରେ ବିଡ଼ିଓ ତଥା ତହସିଲଦାର ମାନସ ରଞ୍ଜନ ତ୍ରିପାଠୀ, ବ୍ଲକ ଉପାଧ୍ୟକ୍ଷ ଦୂର୍ଗା ପ୍ରସାଦ ମହାନ୍ତି, ନର୍ଲାର ତିନିଗୋଟି ଜୋନ୍ ର ଜିଲ୍ଲା ପରିଷଦ ଲିଲି ଦିପ, ହରିଶଙ୍କର ମାଝୀ ଓ ନମ୍ରତା ସାହୁ, ସାଂସଦ ପ୍ରତିନିଧି ପର୍ଶୁରାମ ପଣ୍ଡା, ବିଧାୟକ ପ୍ରତିନିଧି ପରେଶ ପଧାନ, ସରପଞ୍ଚ ସଂଘ ସଭାପତି ଅନନ୍ତରାମ ମାଝୀଙ୍କ ସମେତ ନିର୍ବାଚିତ ପ୍ରାୟ ସମସ୍ତ ପ୍ରତିନିଧି ଏବଂ ବିଭିନ୍ନ ବିଭାଗୀୟ ଅଧିକାରୀ ବୃନ୍ଦ ଉପସ୍ଥିତ ଥିଲେ । ବୈଠକରେ ଶିକ୍ଷା, ସ୍ବାସ୍ଥ୍ୟ, କୃଷି, ପାନୀୟଜଳ, ଗମନାଗମନ, ପରିମଳ ବ୍ୟବସ୍ଥା ସହ ପଞ୍ଚାୟତ ମାନଙ୍କର ବିଭିନ୍ନ ସୁବିଧା ଅସୁବିଧା ବିଷୟରେ ଆଲୋଚନା ପର୍ଯ୍ୟାଲୋଚନା କରାଯାଇଥିଲା । ତେବେ ଏଥରର ପଞ୍ଚାୟତ ସମିତି ବୈଠକ ପୂର୍ବାପେକ୍ଷା ଭିନ୍ନ ଧରଣର ପ୍ରତୀୟମାନ ହେଉଥିଲା । ବିଭିନ୍ନ ପଞ୍ଚାୟତରୁ ନିର୍ବାଚିତ ହୋଇଥିବା ନବ ନିର୍ବାଚିତ ଲୋକପ୍ରତିନିଧିମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଉଦ୍ଦୀପନା ଦେଖାଯାଇଥିଲା ଓ ସେମାନେ ଅତି ସୁନ୍ଦର ଭାବରେ ନିଜ ନିଜ ମତ ଓ ପଞ୍ଚାୟତର ସମସ୍ୟା ଉପସ୍ଥାପନ କରିଥିବା ଦେଖିବାକୁ ମିଳିଥିଲା ।