ସାହିତ୍ୟିକ କବି ବନ୍ଧୁ ପରିବାରର ଗୀତାମୃତ ପଠନ ଓ ଶ୍ରବଣ କାର୍ଯ୍ୟକ୍ରମ
ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର: ସାହିତ୍ୟିକ କବି ବନ୍ଧୁ ପରିବାର ପକ୍ଷରୁ ନିରନ୍ତର ଚାଲି ଆସୁଥିବା ‘ଗୀତାମୃତ ପଠନ ଓ ଶ୍ରବଣ କାର୍ଯ୍ୟକ୍ରମ’ ମଇ ୫ ଗୁରୁବାର ସନ୍ଧ୍ୟା ୭.୩୦ ସମୟରେ ଆୟୋଜିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଦେବେନ୍ଦ୍ର କୁମାର ନାଏକଙ୍କର ସଭାପତିତ୍ୱରେ , ପରିବାରର ବରିଷ୍ଠ ଉପଦେଷ୍ଟା ବିଶ୍ବେଶ୍ବର ମାଝୀଙ୍କର ପୌରହିତ୍ୟରେ ଆଭାସୀ ମାଧ୍ୟମରେ ଏହା ଅନୁଷ୍ଠିତ ହୋଇଥିଲା ।ସମ୍ପାଦିକା ପ୍ରଣତି ମହାପାତ୍ର ସମସ୍ତଙ୍କୁ ସୁସ୍ଵାଗତ ସହ ପ୍ରବଚକଙ୍କର ପରିଚୟ ପ୍ରଦାନ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ପ୍ରବଚକ, ଆଲୋଚକ, ସଂସ୍କୃତ ଅଧ୍ୟାପକ ପଣ୍ଡିତଜୀ ପ୍ରତାପ କୁମାର ରଥ ଯୋଗଦେଇଥିଲେ । ତାଙ୍କର ଦୀକ୍ଷାନ୍ତ ଆଲୋଚନା ତଥା ବକ୍ତବ୍ୟରେ ସମସ୍ତେ ମନ୍ତ୍ରମୁଗ୍ଧ ହୋଇ ଶ୍ରୀମଦ୍ ଭଗବଦ୍ ଗୀତାର ତୃତୀୟ ଅଧ୍ୟାୟ, କର୍ମଯୋଗର ଏକବିଂଶ ତମ ଶ୍ଲୋକରୁ ତ୍ରିଂଶତମ ଶ୍ଲୋକ ପର୍ଯ୍ୟନ୍ତ ଦଶଟି ଶ୍ଲୋକର ବ୍ୟାଖ୍ୟା ଶ୍ରବଣ କରି ପ୍ରୀତ ହୋଇଥିଲେ । ଅଜ୍ଞାନୀ ମାନେ କର୍ମଫଳରେ ଆସକ୍ତ ହୋଇ ଯେପରି କର୍ମ କରନ୍ତି, ଜ୍ଞାନୀ ମାନେ ମଧ୍ୟ ଅନାସକ୍ତ ହୋଇ ଲୋକ କଲ୍ୟାଣାର୍ଥେ ସେହିପରି କର୍ମ କରିବା ଉଚିତ । ଗୁରୁଙ୍କର ସ୍ବଭାବ ସୂର୍ଯ୍ୟ, ଝରଣା ଓ ବୃକ୍ଷ ପରି ହେବା ଆବଶ୍ୟକ । ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ତ୍ରିଂଶତମ ଶ୍ଲୋକରେ ବୁଝେଇଛନ୍ତି ହେ ଅର୍ଜୁନ, ତୁମେ ଆତ୍ମବୁଦ୍ଧିରେ ସକଳ କର୍ମ ମୋ ଠାରେ ସମର୍ପଣ କରି ନିଷ୍କାମ ଓ ଶୋକରହିତ ହୋଇ ଯୁଦ୍ଧ କର । ଇତ୍ୟାଦି ବିଷୟ ସବୁ ପ୍ରବଚକ ମହାଶୟ କର୍ମଯୋଗର ଦଶଟି ଶ୍ଲୋକର ମହତ୍ ବ୍ୟାଖ୍ୟାରେ ବର୍ଣ୍ଣନା କରିଥିଲେ ।
ଗୀତାଞ୍ଜଳି ପୃଷ୍ଟି, ବିଶ୍ବେଶ୍ବର ମାଝୀ, ବନଲକ୍ଷ୍ମୀ ମହାନ୍ତି, ସଂଯୁକ୍ତା ରାଉତ , ଶ୍ରୀମତୀ ସ୍ନେହ ମିଶ୍ର ଦଶଟି ଶ୍ଲୋକ ପାଠ କରିବା ସହ ଅନ୍ଵୟ ମଧ୍ୟ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ଜିଲ୍ଲାର ସାରସ୍ଵତ ଗୀତାମୃତ ପ୍ରେମୀ ଯୋଗ ଦେଇ ଏ ମହତ୍ ବାଣୀ ସାହିତ୍ୟିକ କବି ବନ୍ଧୁ ପରିବାରର ଏ କାର୍ଯ୍ୟକ୍ରମ ମାଧ୍ୟମରେ ନିଆରା ଶ୍ରବଣ କରି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ । ସଂଯୁକ୍ତା ରାଉତ ସାଂଖ୍ୟଯୋଗର ଦଶଟି ଶ୍ଲୋକର ଚୁମ୍ବକରେ ସାରତତ୍ତ୍ଵ ବର୍ଣ୍ଣନା କରିଥିଲେ । ରଥଯାତ୍ରା ସମୟରେ ଧାରା ବିବରଣୀ ପ୍ରଦାନ କରୁଥିବା ବାଗ୍ମୀ ଚନ୍ଦ୍ରକାନ୍ତ ନାୟକ ଗୀତାମୃତ କାର୍ଯ୍ୟକ୍ରମ ଏକ ସର୍ବଶ୍ରେଷ୍ଠ କାର୍ଯ୍ୟକ୍ରମ ବୋଲି ଅନୁଷ୍ଠାନର କର୍ମକର୍ତ୍ତା ମାନଙ୍କୁ ସାଧୁବାଦ ଜଣାଇଥିଲେ । ଶେଷରେ ସଭାପତିଙ୍କ ଅନୁମୋଦନ କ୍ରମେ ବିପିନ ବିହାରୀ ବାରିକ ଧନ୍ୟବାଦ ଓ ପରିବାରର ବଡ଼ଭାଇ ବିଶ୍ବେଶ୍ବର ମାଝୀ ଶାନ୍ତିପାଠ ସହ କାର୍ଯ୍ୟକ୍ରମ ସାଙ୍ଗ କରିଥିଲେ ।