✍🏼ବିଶ୍ବବିଜୟୀ ଦାଶ
ଶୋଲରୀ, ଭାଲେରୀ, ଘଣ୍ଟଶିଳା, ଖଣ୍ଡାହଣା ପାହାଡ଼ ପରିବେଷ୍ଟିତ ମରାଳ ମାଳିନୀ ନୀଳାମ୍ବୁ ଚ଼ିଲିକାର ତଟ ଦେଶରେ ବାଣପୁର ମାଟି। ତା’ ମଧ୍ୟରେ ଭାଟପଡ଼ା ଅଞ୍ଚଳର ଶ୍ୟାମଳ ସବୁଜିମା ଘେରା ଚ଼କଡ଼ା ପଥର ପାହାଡ଼ ପାଦଦେଶରେ ଗୋଡ଼ିଝର ଗ୍ରାମ। ସେହି ମାଟିରେ ୧୯୩୪ ମସିହା ଅଗଷ୍ଟ ୩ ତାରିଖରେ ଜନ୍ମ ଗ୍ରହଣ କରିଥିଲେ ପ୍ରଚ଼ଣ୍ଡ ପ୍ରତିଭା ସମ୍ପର୍ଣ୍ଣ ବ୍ୟକ୍ତିତ୍ବ ଶ୍ରୀ ବିଶ୍ବଭୂଷଣ ହରିଚ଼ନ୍ଦନ। ତାଙ୍କ ପିତା ସ୍ବର୍ଗତ ପର୍ଶୁରାମ ହରିଚ଼ନ୍ଦନ, ଯିଏକି ଜଣେ ସ୍ବାଧିନତା ସଂଗ୍ରାମୀ, ନିଃସ୍ବାର୍ଥପର ଜନସେବକ ବିପ୍ଲବୀ ଜନନେତା ତଥା ଜାତୀୟତାବାଦୀ ନାଟ୍ୟକାର। ଶ୍ରୀ ବିଶ୍ବଭୂଷଣ ହରିଚ଼ନ୍ଦନଙ୍କ ଜ୍ୟେଷ୍ଠ ଭ୍ରାତା ସ୍ବର୍ଗତ ଶଶୀଭୂଷଣ ହରିଚ଼ନ୍ଦନ, ଯିଏକି ଜଣେ ସମାଜସେବୀ, ସମବାୟବିତ୍, ରାଜନେତା, ଆଦର୍ଶ ଶିକ୍ଷକ, ସୁସଂଗଠକ, ସୁପରାମର୍ଶଦାତା, ବଂଧୁପ୍ରେମୀ ଥିଲେ।
ପିଲାଟି ବେଳୁ ବିଶ୍ବଭୂଷଣଙ୍କର ମୂଳ ଲକ୍ଷ୍ୟ ଥିଲା ସମାଜ ତଥା ଅଞ୍ଚଳର ବିକାଶ ଓ ଉନ୍ନତି। ତାଙ୍କର ପାଠ ପଢ଼ା ସରିବା ପରେ ଓଡ଼ିଶା ହାଇକୋର୍ଟରେ ଆଇନଜୀବୀ ଭାବେ କାର୍ଯ୍ୟ କରୁଥିଲେ। ନିଜର ଦକ୍ଷତା ବଳରେ ଆଇନଜୀବୀ ଭାବେ ବେଶ ପ୍ରଶଂସିତ ହୋଇଥିଲେ। ପରବର୍ତ୍ତି ସମୟରେ ରାଜନୀତିରେ ଯୋଗଦେଇଥିଲେ। ପ୍ରାକ୍ ଜରୁରୀ ଅବସ୍ଥା ବେଳେ ବିଚ଼ାର ବିଭାଗ ସ୍ବାଧିନତାରେ ହସ୍ତକ୍ଷେପ ଯୋଗୁଁ ଓଡ଼ିଶା ଆଇନଜୀବୀ ଆନ୍ଦୋଳନର ନେତୃତ୍ବ ନେବା ସହିତ ଜୟପ୍ରକାଶଜୀଙ୍କ ଆନ୍ଦୋଳନରେ ଭାଗ ନେଇ ଜରୁରୀ ଅବସ୍ଥାରେ କାରାବରଣ କରିଥିଲେ। ତା’ପରେ ୧୯୭୭ ମସିହାରେ ଚ଼ିଲିକା ନିର୍ବାଚ଼ନ ମଣ୍ଡଳୀର ବିଧାୟକ ଭାବେ ନିର୍ବାଚ଼ିତ ହୋଇ ବିଧାନସଭାରେ ପ୍ରତିନିଧିତ୍ବ କରିଥିଲେ। ଚ଼ିଲିକା ନିର୍ବାଚ଼ନ ମଣ୍ଡଳୀ ର ସର୍ବାଙ୍ଗୀନ ଉନ୍ନତି କରିବା, ତାଙ୍କର ମୂଳ ଲକ୍ଷ୍ୟ ଥିଲା, ସେହି ଲକ୍ଷ୍ୟକୁ ସେ ପୂରଣ କରିଥିଲେ। ଭାରତୀୟ ଜନତା ପାର୍ଟିର ଓଡ଼ିଶା ପ୍ରଦେଶର ସଭାପତି ହୋଇ ଦଳକୁ ଆଗକୁ ନେବାରେ ସଫଳ ମଧ୍ୟ ହୋଇଥିଲେ। ଦୀର୍ଘ ସମୟ ଧରି ତାଙ୍କର ବଳିଷ୍ଠ ନେତୃତ୍ବ ରେ ଓଡ଼ିଶା ରେ ଭାରତୀୟ ଜନତା ପାର୍ଟି ଆଗକୁ ବଢ଼ିଥିଲା। ପରବର୍ତ୍ତୀ ସମୟରେ ଚ଼ିଲିକା ନିର୍ବାଚ଼ନ ମଣ୍ଡଳୀ ପୁଣି ବିଧାୟକ ଭାବେ ନିର୍ବାଚ଼ିତ ହୋଇଥିଲେ। ତା’ପରେ ଭୂବନେଶ୍ବର ନିର୍ବାଚ଼ନ ମଣ୍ଡଳୀରୁ ବିଧାୟକ ହୋଇଥିଲେ। ଓଡ଼ିଶାର ବିଭିନ୍ନ ମନ୍ତ୍ରୀମଣ୍ଡଳ ଖାଦ୍ୟ, ଯୋଗାଣ, ଆଇନ, ଶ୍ରମ, ନିଯୁକ୍ତି, ରାଜସ୍ବ, ଗୃହନିର୍ମାଣ, ଶିଳ୍ପ, ଗ୍ରାମ୍ୟ ଉନ୍ନୟନ, ମତ୍ସ୍ୟ, ପଶୁ ସଂପଦ ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ ଭାବେ ଦକ୍ଷତା, ସାଧୁତା ଓ ଦୂରଦର୍ଶିତା ପ୍ରଦର୍ଶନ କରି ଓଡ଼ିଶାକୁ ବିକାଶ ପଥରେ ଆଗକୁ ନେବାରେ ଶ୍ରୀ ହରିଚ଼ନ୍ଦନଙ୍କର ବିଶେଷ ଭୂମିକା ଥିଲା। ଓଡ଼ିଆ, ଓଡ଼ିଆତ୍ବ, ଓଡ଼ିଆ ସଂସ୍କୃତି, ତା’ର ଗର୍ବିତ ଇତିହାସ ଓ ସାମରିକ ପରମ୍ପରାକୁ ପୁନର୍ଜୀବିତ କରି ଓଡ଼ିଆ ଜାତିକୁ ଜାଗ୍ରତ କରିବା ପାଇଁ ସର୍ବଦା ଚ଼େଷ୍ଟିତ। ଓଡ଼ିଶାର ରାଜନୈତିକ, ସାମାଜିକ ଓ ସାଂସ୍କୃତିକ ପ୍ରସଙ୍ଗ ଉପରେ ତାଙ୍କର ଲିଖିତ ନିବନ୍ଧ ଗୁଡ଼ିକ ଦୈନିକ ଖବରକାଗଜ ଗୁଡ଼ିକରେ ପ୍ରକାଶିତ ଓ ବହୁ ଚର୍ଚ୍ଚିତ। ପାଇକ ବିଦ୍ରୋହ ଉପରେ ତାଙ୍କର ଲିଖିତ ନିବନ୍ଧ ଗୁଡ଼ିକ ସାରା ଭାରତବର୍ଷରେ ଚ଼ର୍ଚ୍ଚିତ।
ସେ ଅନେକ ପୁସ୍ତକ ଲେଖିଛନ୍ତି, ସେହି ପୁସ୍ତକ ମଧ୍ୟରେ “ମରୁବତାସ”, “ମହାସଂଗ୍ରାମର ମହାନାୟକ”, “ମାତୃଭାଷା”, “ବକ୍ସି ଜଗବନ୍ଧୁ”, “ଶେଷ ଝଲକ”, “ଅସ୍ତିସିଖା”, “ରାଣାପ୍ରତାପ” ଏବଂ ତାଙ୍କ ଆତ୍ମଜୀବନୀ “ସଂଗ୍ରାମ ସରିନାହିଁ” ଅନନ୍ୟ ଓ ବେଶ୍ ପ୍ରଶଂସନୀୟ। ବର୍ତ୍ତମାନ ସେ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଅଛନ୍ତି। ରାଜ୍ୟପାଳ ଭାବେ ନିଜ ଦକ୍ଷତା, ସାଧୁତା ଫଳରେ ସେ ଆନ୍ଧ୍ରପ୍ରଦେଶର ଜନସାଧାରଣଙ୍କ ନିକଟରେ ଅତି ପରିଚ଼ିତ ହୋଇଛନ୍ତି। ସେ ମଧ୍ୟ “କଳିଙ୍ଗ ରତ୍ନ” ଉପାଧିରେ ଭୂଷିତ। ବନ୍ଧୁବତ୍ସଳ,ନିଷ୍କଳଙ୍କ ତଥା ସାଲିସ୍ ବିହୀନ ରାଜନେତା, ଅହଂକାର ଶୂନ୍ୟ ବ୍ୟକ୍ତିତ୍ବ ଏବଂ ଦକ୍ଷ ନେତା ହିସାବରେ ଓଡ଼ିଶା ତଥା ସମଗ୍ର ଦେଶରେ ପରିଚ଼ିତ। ତାଙ୍କ ନିଷ୍ଠା, ସାଧୁତା, ପରୋପକାରୀ, ଦକ୍ଷତା ଆଜିର ଯୁବ ଓ ଛାତ୍ର ସମାଜ ପ୍ରତି ପ୍ରେରଣା। ସେହି ଜନପ୍ରିୟ ନେତା, ବାଣପୁର ମାଟି ତଥା ଓଡ଼ିଶାର ଗୌରବ ଶ୍ରୀ ବିଶ୍ବଭୂଷଣ ହରିଚ଼ନ୍ଦନ ମହୋଦୟଙ୍କ ଶୁଭ ଜନ୍ମ ଦିନ ଅବସରରେ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ। ଆପଣ ଆହୁରି ସଫଳତା ଶୀର୍ଷରେ ପହଞ୍ଚନ୍ତୁ ଏବଂ ଆପଣଙ୍କର ଉତ୍ତମ ସ୍ବାସ୍ଥ୍ୟ ଓ ଦୀର୍ଘାୟୁ କାମନା କରି ମୁଁ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓ ମା’ ଭଗବତୀଙ୍କ ନିକଟରେ ପ୍ରାର୍ଥନା କରୁଛି।