ରଣପୁର ମଣିନାଗ ପୀଠରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଲୋକାର୍ପଣ

ଓଡ଼ିଆ ବାର୍ତ୍ତା/ ନୟାଗଡ଼: ନୟାଗଡ଼ ଜିଲ୍ଲା ରଣପୁରର ପ୍ରସିଦ୍ଧ ମା’ ମଣିନାଗ ପୀଠର ସୌନ୍ଦର୍ଯ୍ୟକରଣ ବୃଦ୍ଧି ପାଇଁ ପର୍ଯ୍ୟଟକ ସୁବିଧା ନିମନ୍ତେ ହୋଇଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କରକମଳରେ ଲୋକାର୍ପିତ ହୋଇଯାଇଛି । ମା’ଙ୍କ ସେବା କରିବା ପାଇଁ ସୁଯୋଗ ଦେଇଥିବାରୁ ବୀରଭୂମି ଓ ଐତିହ୍ୟସମ୍ପନ୍ନ ରଣପୁର ଅଞ୍ଚଳର ସ୍ୱାଭିମାନୀ ନାଗରିକମାନଙ୍କୁ ଶ୍ରୀ ପ୍ରଧାନ କୃତଜ୍ଞତା ଜଣାଇଛନ୍ତି ।

ଇଣ୍ଡିଆନ ଅଏଲର କର୍ପୋରେଟ୍ ସାମାଜିକ ଦାୟିତ୍ୱ (ସିଏସଆର) ଅନ୍ତର୍ଗତ ପାଖାପାଖି ୨ କୋଟି ଟଙ୍କା ବ୍ୟୟରେ ମଣିନାଗ ପୀଠରେ ୧୦୦ ଫୁଟ ଲମ୍ବ ଓ ୪୦ ଫୁଟ ଓସାର ବିଶିଷ୍ଟ ଗୋଷ୍ଠୀ କେନ୍ଦ୍ର ସମେତ ଆନ୍ୟାନ୍ୟ ଆନୁଷଙ୍ଗିକ କାମ ସମ୍ପୂର୍ଣ୍ଣ କରାଯାଇଛି । ଏଠାରେ ବିଦ୍ୟୁତ୍ ଏବଂ ପାନୀୟ ଜଳ ସୁବିଧା ସାଙ୍ଗକୁ ଶୌଚାଳୟ ସୁବିଧା ରହିଛି । ୧୪ ଗୋଟି ସୋଲାର ଲାଇଟ୍ ଦ୍ୱାରା ତଳ ମଣିନାଗ ମନ୍ଦିର ପରିସରର ଆଲୋକୀକରଣ ସାଙ୍ଗକୁ ମଣିନାଗ ପୀଠର ଅଧପନ୍ତରିଆ ଭାବେ ଥିବା ତୋରଣର କାମ ପୂର୍ଣ୍ଣାଙ୍ଗ ହୋଇଛି । ଉପର ମଣିନାଗ ମନ୍ଦିର ପରିସରର ଆଲୋକୀକରଣ ପାଇଁ ଗୋଟିଏ ହାଇ ମାଷ୍ଟ ଲାଇଟ୍ ଟାୱାର ଓ ଚାରୋଟି ଫୋକସ୍ ଲାଇଟର ବ୍ୟବସ୍ଥା କରାଯାଇଛି । ଏହି ସୁବିଧା ଦ୍ୱାରା ଆଗନ୍ତୁକ ଓ ପର୍ଯ୍ୟଟକମାନେ ବିଶେଷ ଉପକୃତ ହେବେ । ପୀଠକୁ ଆଗାମୀ ଦିନରେ ଅନେକ ଶ୍ରଦ୍ଧାଳୁଙ୍କ ଆଗମନ ବୃଦ୍ଧି ପାଇବ । ରଣପୁରବାସୀଙ୍କ ଦୀର୍ଘଦିନର ଦାବିକୁ ସମ୍ମାନ ଜଣାଇ ପର୍ବତମାଳାର ଶିଖରରେ ପ୍ରାକୃତିକ ମନୋରମ ପରିବେଶରେ ଗଢ଼ି ଉଠିଥିବା ମଣିନାଗ ପୀଠର ସୌନ୍ଦର୍ଯ୍ୟକରଣକୁ ଆଗେଇ ନେଇଥିବାରୁ ଇଣ୍ଡିଆନ ଅଏଲକୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.