ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ସାଧାରଣ ବିଦ୍ୟାଳୟରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନେ ପଢ଼ୁଛନ୍ତି। ସେହି ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷାଦାନ ପାଇଁ ମାନ୍ୟବର ଉଚ୍ଚତମ ନ୍ୟୟାଳୟ ରେ Civil Case No WPC-132/2016 ୨୦୧୬ ମସିହାରେ ଦାୟାର ହୋଇଥିଲା। ମାନ୍ୟବର ଉଚ୍ଚତମ ନ୍ୟାୟଳୟ ଏହି କେସ୍ ଶୁଣାଣି କରି ଗତ ୨୮ ଅକ୍ଟୋବର ୨୦୨୧ ମସିହାରେ ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ସାଧାରଣ ବିଦ୍ୟାଳୟରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କ ଶିକ୍ଷା ପାଇଁ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ପୁନଶ୍ଚ ସେହି ରାୟର ଶୁଣାଣି କରି ୨୦୨୨ ମସିହା ଜୁଲାଇ ୨୧ ତାରିଖରେ ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ପ୍ରାଥମିକ ବିଦ୍ୟାଳୟ ରେ ୧୦ ଜଣ ଦିବ୍ୟାଙ୍ଗ ଶିକ୍ଷାର୍ଥୀ ଙ୍କ ପାଇଁ ୧ ଜଣ ସ୍ବତନ୍ତ୍ର ଶିକ୍ଷକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ମାଧ୍ୟମିକ ବିଦ୍ୟାଳୟରେ ୧୫ ଜଣ ଦିବ୍ୟାଙ୍ଗ ଶିକ୍ଷାର୍ଥୀଙ୍କ ପାଇଁ ୧ ଜଣ ସ୍ବତନ୍ତ୍ର ଶିକ୍ଷକ ଏବଂ ଯେଉଁ ବିଦ୍ୟାଳୟରେ ଜଣେ ଦିବ୍ୟାଙ୍ଗ ବିଦ୍ୟାର୍ଥୀ ଅଛନ୍ତି, ସେହି ବିଦ୍ୟାଳୟରେ ମଧ୍ୟ ଜଣେ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ପାଇଁ ଆଦେଶ ଦେଇଥିଲେ। ଓଡ଼ିଶାରେ ୬୪ ହଜାରରୁ ଅଧିକ ବିଦ୍ୟାଳୟ ରେ ୮୨ ହଜାରରୁ ଅଧିକ ଦିବ୍ୟାଙ୍ଗ ବିଦ୍ୟାର୍ଥୀ ରହିଛନ୍ତି, କିନ୍ତୁ ସେମାନଙ୍କ ପାଇଁ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ହୋଇ ନଥିବାରୁ ସେମାନଙ୍କ ପାଠ ପଢ଼ା ବ୍ୟାହତ ହେଉଛି। ଦିବ୍ୟାଙ୍ଗ ବିଦ୍ୟାର୍ଥୀଙ୍କ ଶିକ୍ଷାର ବିକାଶ ପାଇଁ ଚ଼େଷ୍ଟିତ ଓଡ଼ିଶା ସେସ୍ପିଆଲ୍ ଏଜୁକେଟର ଫେଡ଼େରସନ ଫର୍ ଦିବ୍ୟାଙ୍ଗ(OSEFD)ସଂଘ ପକ୍ଷରୁ ସ୍ବତନ୍ତ ଶିକ୍ଷକ ନିଯୁକ୍ତି ନିମନ୍ତେ ସଂଘ ପକ୍ଷରୁ ପ୍ରତ୍ୟେକ ଜିଲ୍ଲାର ଜିଲ୍ଲାପାଳ, ଜିଲ୍ଲା ଶିକ୍ଷାଧିକାରୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ, ମାନ୍ୟବର ଗଣଶିକ୍ଷା ମନ୍ତ୍ରୀ, ମାନ୍ୟବର ମୁଖ୍ୟ ଶାସନ ସଚ଼ିବଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ତତସହିତ ସଂଘ ପକ୍ଷରୁ ବିଧାୟକ ତଥା ସାଂସଦ ମାନଙ୍କୁ ନିଯୁକ୍ତି ନିମନ୍ତେ ଅନୁରୋଧ ପତ୍ର ପ୍ରଦାନ କରାଯାଇଥିଲା ଏବଂ ବହୁ ବିଧାୟକ ଓ ସାଂସଦ ଆମର ଅନୁରୋଧକୁ ରକ୍ଷା କରି ମାନ୍ୟବର ମୁଖ୍ୟମନ୍ତ୍ରୀ, ମାନ୍ୟବର ଗଣଶିକ୍ଷା ମନ୍ତ୍ରୀ, ମାନ୍ୟବର ମୁଖ୍ୟଶାସନ ସଚ଼ିବ ଓ ମାନ୍ୟବର OSEPA ନିର୍ଦେଶକଙ୍କୁ ଚ଼ିଠି କରିଥିଲେ। ସଂଘର କର୍ମକର୍ତ୍ତା ଶିକ୍ଷାମନ୍ତ୍ରୀ ଓ ଶିକ୍ଷା ବିଭାଗକୁ ବାରମ୍ବାର ସାକ୍ଷାତ କରି ନିଯୁକ୍ତି ନିମନ୍ତେ ଅନୁରୋଧ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସାଧାରଣ ବିଦ୍ୟାଳୟ ରେ ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ନିମନ୍ତେ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇପାରୁନାହିଁ। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ସଂଘ ପକ୍ଷରୁ କୁହାଯାଇଛି ଏବଂ ରାଜ୍ୟରେ ଭିନ୍ନକ୍ଷମ ଦିବସକୁ ବହୁ ଆଡ଼ମ୍ବର ରେ ପାଳନ କରାଯାଉଛି, କିନ୍ତୁ ଦିବ୍ୟାଙ୍ଗ ବିଦ୍ୟାର୍ଥୀଙ୍କ ଶିକ୍ଷା ପାଇଁ କିଛି ପଦକ୍ଷେପ ସରକାର ନେଇ ନଥିବାରୁ ସଂଘ ପକ୍ଷରୁ କ୍ଷୋଭ ପ୍ରକାଶ କରାଯାଇଅଛି। ତେଣୁ ସାଧାରଣ ବିଦ୍ୟାଳୟରେ ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ଦାବିରେ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ (ଡ଼ିସେମ୍ବର ୩) ତାରିଖରେ ଭୁବନେଶ୍ବରର ଲୋୟର ପିଏମଜି ଠାରେ ସଂଘ ପକ୍ଷରୁ ଧାରଣା ଦେବା ସହ ବିଶାଳ ସମାବେଶ କରାଯିବ।ଯଦି ଏହି ଧାରଣା ପରେ ରାଜ୍ୟ ସରକାର ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ବାହାର ନ କରନ୍ତି, ତାହାଲେ ଆଗାମୀ ଦିନରେ ଭୁବନେଶ୍ବର ରାଜରାସ୍ତାରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଅହୋରାତ୍ର ଧାରଣା ଦିଆଯିବ।