ଓଡ଼ିଆ ବାର୍ତ୍ତା/ ଥୁଆମୂଳ ରାମପୁର : (ଦୁର୍ଗା କୀର୍ତ୍ତି): ନିଜ ଅଞ୍ଚଳରେ ସମସ୍ତଙ୍କ ହାତକୁ କାମ ଦେବାପାଇଁ ଯୋଜନା ପରେ ଯୋଜନା ପ୍ରଣୟନ କରି ଚାଲିଛନ୍ତି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର। ତେବେ ଏସବୁ ଯୋଜନାର ସଫଳ କ୍ରିୟାନ୍ବୟନ ହୋଇପାରୁନଥିବା ତଥା ଶିଳ୍ପାନୁଷ୍ଠାର ଅଭାବ ଯୋଗୁଁ କଳାହାଣ୍ଡିର ହଜାର ହଜାର ଲୋକ ପ୍ରତିବର୍ଷ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଉଥିବା ଦେଖାଯାଉଛି। ସେଠାରେ ସେମାନେ ଅକଥନୀୟ ନିର୍ଯାତନାର ଶିକାର ହେଉଥିବା ଅଭିଯୋଗ ହେଉଛି। ଏହାସହ ବର୍ଷ ତମାମ କଳାହାଣ୍ଡିର ୧୩ଟି ଯାକ ବ୍ଲକକୁ ଫେରୁଛି ଦାଦନ ଶ୍ରମିକଙ୍କ ଶବ। କଳାହାଣ୍ଡି ଜିଲ୍ଲାର ଆଦିବାସୀ ଅଧ୍ୟୁସିତ ଦୁର୍ମମ ଥୁଆମୂଳ ରାମପୁର ବ୍ଳକ କେରପାଇ ଗ୍ରାମପଞ୍ଚାୟତ ଅନ୍ତର୍ଗତ ପିଣ୍ତାପଦର ଗ୍ରାମକୁ ଏବେ ଫେରିଛି ଦାଦନ ଶ୍ରମିକ ରବି ମାଝୀଙ୍କ ଶବ। ଏହି ଗ୍ରାମର ସୁନାଙ୍ଗ ମାଝୀଙ୍କ ପୁଅ ରବି ମାଝୀ (୧୯) ଆନ୍ଧ୍ରପ୍ରଦେଶର ପ୍ରକାଶମ ଜିଲ୍ଲାର ଏଡିକେଜି କଟାଗଲପ୍ଳ ଠାରେ ଏକ ମାଛ କମ୍ପାନୀରେ ଏକ ମାସ ହେଲା କାମ କରୁଥିଲେ। ସେଠାରେ ନିଶୁଣି ସାହାଯ୍ୟରେ ଉପରକୁ ଚଢୁଥିବା ବେଳେ କୌଣସି କାରଣ ବଶତଃ ଭାରସାମ୍ୟ ହରାଇ ଗୋଡ ଖସି ଯିବାରୁ ତଳେ ପଡି ସେ ମୃତ୍ୟୁବରଣ କରିଥିବା ଜଣାପଡିଛି। ରବି ମାଝୀଙ୍କ ଶବକୁ କମ୍ପାନୀ ପିଣ୍ତାପଦର ଗ୍ରାମକୁ ପହଞ୍ଚାଇଦେଇଛି। ଏହାପରେ ଗାଁରେ ଶୋକାକୁଳ ପରିବେଶ ମଧ୍ୟରେ ଅନ୍ତିମ ସଂସ୍କାର କରାଯାଇ ଥିବା ଜଣାପଡିଛି। ତେବେ ଏହି ଗରିବ ପରିବାରରେ ରବି ମାଝୀ ହିଁ ଏକ ମାତ୍ର ରୋଜଗାରିଆ ପୁଅ ଥିଲେ। ତାଙ୍କୁ ହରାଇ ପରିବାରବର୍ଗ ମର୍ମାହତ ହୋଇପଡିଛନ୍ତି। ତେଣୁ ପ୍ରଶାସନ ତରଫରୁ ମୃତକଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।