ମୋଦିଙ୍କ ବନ୍ଦେ ଭାରତ ଟ୍ରେନ୍ ଫେଲ୍ !

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନତାଙ୍କୁ ଦେଇଥିବା ଅନେକ ପ୍ରତିଶ୍ରୁତି ନିର୍ଦ୍ଧାରିତ ସମୟ ମଧ୍ୟରେ ପୂରଣ କରିପାରି ନାହାନ୍ତି । ଯାହାକୁ ନେଇ ବିରୋଧି ଦଳମାନେ ଅନେକ ସମୟରେ ସରକାରଙ୍କୁ ଘେରିଥିବାବେଳେ ସାଧାରଣ ଜନତା ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି । ତେବେ ମୋଦିଙ୍କ ଶାସନ କାଳରେ ଦେଶର ଅନେକ ଉନ୍ନତିବିଧାନ ହୋଇଛି । ଆନ୍ତର୍ଜାତିକ କ୍ଷେତ୍ରରେ ଭାରତ ପୂର୍ବାପେକ୍ଷା ଅଧିକ ଚର୍ଚ୍ଚିତ ହୋଇଛି । ଅନେକ କ୍ଷେତ୍ରରେ ଭାରତ ବିଶ୍ବର ନେତୃତ୍ବ ନେବାରେ ସକ୍ଷମ ହୋଇଛି । ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ପାନୀୟଜଳ, କଳା ସଂସ୍କୃତି ଐତିହ୍ୟର ସଂରକ୍ଷଣ, ପ୍ରଯୁକ୍ତିବିଦ୍ୟା, କୃଷି, ବୈଦେଶିକ ସଂପର୍କ, ବାଣିଜ୍ୟ, କ୍ରିଡା ଆଦି ପ୍ରତ୍ୟେକ କ୍ଷେତରେ ଯୋଡ଼ି ହୋଇଛି ନୂତନ ଫର୍ଦ । ତେବେ ଏସବୁ ସତ୍ତ୍ୱେ ମୋଦି ସରକାର ଅନେକ ସମୟରେ ବିରୋଧିମାନଙ୍କ ସମାଲୋଚନାର ଶିକାର ହେଉଛନ୍ତି । ଏସବୁ ସତ୍ତ୍ୱେ ମଧ୍ୟ ମୋଦି ଦେଶର ଜଣେ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ହୋଇ ଦେଶର ସେବାରେ ସମର୍ପିତ ଅଛନ୍ତି । ଦେଶର ଅର୍ଥନୈତିକ ସ୍ଥିତିକୁ ସଜାଡ଼ି ବିଭିନ୍ନ ଯୋଜନା ପ୍ରଣୟନ କରିବାସହ ସେସବୁ କାର୍ଯ୍ୟକାରୀ କରୁଛନ୍ତି ସରକାର । ବିଗତ ଦୁଇବର୍ଷ ଧରି କରୋନା ବିରୋଧରେ ଲଢେ଼ଇ କରିଛି ସାରା ଦେଶ । ମହାମାରୀ କରୋନାକୁ ମାତ ଦେବାରେ ସକ୍ଷମ ହୋଇଛନ୍ତି ସରକାର । ଶତ୍ରୁ ମୁକାବିଲା ପାଇଁ ଅନେକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି । ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ମୋଦି ୨୦୨୩ ଅଗଷ୍ଟରେ ଲାଲକିଲ୍ଲାରୁ ଦେଇଥିବା ବନ୍ଦେ ଭାରତ ଟ୍ରେନ ଚଳାଚଳ ପ୍ରତିଶ୍ରୁତିକୁ ନେଇ ଏବେ ଏକ ରିପୋର୍ଟ ପ୍ରକାଶ ପାଇଛି । ଯାହିକୁ ନେଇ ସରଗରମ ହୋଇ ଉଠିଛି ରାଜନିତୀ ।  ଆସନ୍ତା ୧୯ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସିକନ୍ଦରାବାଦରୁ ଆନ୍ଧ୍ରର ବିଜୟୱାଡ଼ା ମଧ୍ୟରେ ଅଷ୍ଟମ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିବେ । ତେବେ ଏହି ବନ୍ଦେ ଭାରତ ଟ୍ରେନ ଗଡିବା ପୂର୍ବରୁ ଦେଶରେ ଆରମ୍ଭ ହୋଇଯାଇଛି ବିତର୍କର ଝଡ । 
ଦେଶ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତିରେ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ, ଆଗାମୀ ୭୫ ସପ୍ତାହରେ ଦେଶର କୋଣ ଅନୁକୋଣକୁ ୭୫ଟି ବନ୍ଦେ ଭାରତ ଟ୍ରେନ୍ ଗଡ଼ିବ । ୨୦୨୩ ଅଗଷ୍ଟରେ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତିରେ ପାଳନ କରାଯାଉଥିବା ଆଜାଦୀ କି ଅମ୍ରିତ ମହୋତ୍ସବ ଶେଷ ହେବ । ହେଲେ ପୂରଣ ହେବ ତ ପ୍ରଧାନମନ୍ତ୍ରୀ ମୋଦି ଲାଲକିଲ୍ଲାରୁ ଦେଇଥିବା ବନ୍ଦେ ଭାରତ ପ୍ରତିଶ୍ରୁତି । ପ୍ରଧାନମନ୍ତ୍ରୀ ମୋଦିଙ୍କ ମନ୍ତବ୍ୟକୁ ଇତି ମଧ୍ୟରେ ୧୭ ମାସ ବିତିଛି । ୨୦୧୯ ଫେବ୍ରୁଆରୀ ୧୫ରେ ଦିଲ୍ଲୀରୁ କାନପୁର ଦେଇ ବାରଣାସୀକୁ ଗଡ଼ିଥିଲା ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ୍ । ୨୦୨୩ ଜାନୁଆରୀ ସୁଦ୍ଧା ଦେଶର ୭ଟି ରୁଟରେ ଗଡ଼ୁଛି ବନ୍ଦେ ଭାରତ ଏକ୍ସପ୍ରେସ୍ ।
୨୦୨୩ ଅଗଷ୍ଟ ୧୫ରେ ଆଜାଦୀ କି ଅମ୍ରିତ ମହୋତ୍ସବ ସରିବ । ମୋଦି ଦେଇଥିବା କଥା ରଖିବାକୁ ହେଲେ ଆସନ୍ତା ୭ ମାସରେ ଆଉ ୬୭ଟି ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିବାକୁ ପଡ଼ିବ । ଯଦି ଭାରତୀୟ ରେଳବାଇ ମୋଦି ଦେଇଥିବା ଧାର୍ଯ୍ୟ ସମୟ ଅନୁସାରେ, ଏ ଲକ୍ଷ୍ୟ ପୂରଣ ପାଇଁ କାମ କରେ ତ ୨୦୪ ଦିନ ଲାଗିବ । ଅର୍ଥାତ୍ ୨୦୨୩ ଅଗଷ୍ଟ ୧୫ ସୁଦ୍ଧା ପ୍ରତି ୭୨ ଘଣ୍ଟାରେ ଗୋଟିଏ ବନ୍ଦେ ଭାରତ ଟ୍ରେନ୍ ଗଡ଼ିଲେ ପୂରଣ ହେବ ମୋଦି ୨୦୨୧ ସ୍ୱାଧୀନତା ଦିବସରେ ଦେଇଥିବା କଥା ।
ଟାଇମ୍ସ ନାଓର ରିପୋର୍ଟ ଅନୁସାରେ, ଆସନ୍ତା ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୩୦୦ରୁ ୪୦୦ଟି ନୂଆ ବନ୍ଦେ ଭାରତ ଟ୍ରେନ୍ ନେଇ ଘୋଷଣା କରି ପାରନ୍ତି । ତେବେ ନୂଆ ଜ୍ଞାନକୌଶଳର ଉପଯୋଗ ଯୋଗୁ ଦିନକୁ ଦିନ ବନ୍ଦେ ଭାରତ ଟ୍ରେନ୍ ନିର୍ମାଣ ଖର୍ଚ୍ଚ ମଧ୍ୟ ବଢ଼ି ଚାଲିଛି । ଗୋଟିଏ ବନ୍ଦେ ଭାରତ ଟ୍ରେନ୍ ଲାଗି ୧୧୦ରୁ ୧୨୦ କୋଟି ଟଙ୍କା ଖର୍ଚ୍ଚ ହେଉଛି । ଯାହାକି ପୂର୍ବରୁ ୧୦୬ କୋଟି ଟଙ୍କା ମଧ୍ୟରେ ଥିଲା । ବନ୍ଦ ଭାରତ ଟ୍ରେନ୍ ନିର୍ମାଣ ଲାଗି ଖର୍ଚ୍ଚ ବଢ଼ୁଥିବା ବେଳେ ସମୟ ହ୍ରାସ ପାଉଛି । ଆଉ ମାତ୍ର ୭ ମାସରେ ଅଶ୍ୱିନୀ ବୈଷ୍ଣବ ରଖି ପାରିବେ ତ ମୋଦିଙ୍କ ଟେକ ?

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.